ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ଆଜି ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ଅତାବିରାର ୧୨ଟି ୱାର୍ଡ ନିମନ୍ତେ ୧୬ଟି ବୁଥ କରାଯାଇଛି। ଏହି ବୁଥଗୁଡ଼ିକ ମଧ୍ୟରୁ ୭ଟି ସମ୍ବେଦନଶୀଳ ଏବଂ ୩ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ଏହି ବୁଥଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ କରାଯାଇଛି।

ନିର୍ବାଚନ ସୁପରିଚାଳନା ନିମନ୍ତେ ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଧିକାରୀ ଏବଂ ଜଣେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି।

ଅତାବିରା ଗ୍ରାମ ପଞ୍ଚାୟତ ଓ ଲାଦରପାଲି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଅତାବିରା ଏନଏସିକୁ ୧୨ଟି ୱାର୍ଡରେ ଭାଗ କରାଯାଇଛି। ଅତାବିରା ଏନଏସି ଗଠନ ପରେ ଏହା ତୃତୀୟ ନିର୍ବାଚନ। ଚଳିତ ଥର ମୋଟ ଭୋଟରଙ୍କ ସଂଖ୍ୟା ୧୩, ୫୨୦ ରହିଛି। ଏଥିମଧ୍ୟରୁ ୬,୭୪୩ ଜଣ ପୁରୁଷ ଓ ୬,୭୭୭ ଜଣ ମହିଳା ଭୋଟର ଅଛନ୍ତି। ଏଠାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ଅତାବିରା ଏନଏସି ଗଠନ ହେବା ପରେ ୨୦୧୩ ମସିହାରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ନିର୍ବାଚନରେ କଂଗ୍ରେସ ୬ଟି ଏବଂ ବିଜେଡି ୬ଟି ୱାର୍ଡରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ପରିଷଦ ଅଧ୍ୟକ୍ଷ ପଦବୀ ହାତେଇ ଥିଲା।

ସେହିପରି ୨୦୧୮ ଦ୍ୱିତୀୟ ନିର୍ବାଚନରେ ସମସ୍ତ ୧୨ ୱାର୍ଡରେ ବିଜେଡି କବ୍‌ଜା କରିବାରେ ସଫଳ ହୋଇଥିଲା। ଚଳିତ ନିର୍ବାଚନରେ କେଉଁ ଦଳକୁ ଭୋଟର ବାଛିବେ ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Bargarh #AtabiraNACElection #Voting #Voter #Politics

Comment