ଓଡ଼ିଶାଲାଇଭ୍ ବ୍ୟୁରୋ

 

୨୦୨୩ ମାଟ୍ରିକ ପରୀକ୍ଷା ପାଇଁ ସୋମବାରଠାରୁ ଖାତାଦେଖା ଆରମ୍ଭ ହୋଇଛି। ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଛନ୍ତି। ଚଳିତବର୍ଷ ୫୬ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖାଯାଉଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ମାଟ୍ରିକ ଖାତା ଦେଖା ୧୨ ଦିନ ଧରି ଚାଲିବ। ଏଥିରେ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଖାତାଦେଖା ହେବ। ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ। ଏପ୍ରିଲ ଦ୍ଵିତୀୟ ସପ୍ତାହରେ ଏହି ଖାତା ଦେଖା ଶେଷ ହେବ।

ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଖାତାଦେଖା ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ମାଟ୍ରିକ ଖାତାଦେଖା ପାଇଁ ଚୟନ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ରବିବାର ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ନିଜର ନାମ ପଞ୍ଜୀକରଣ କରାଇଥିଲେ।

୨୦୨୩ରେ ମାଟ୍ରିକ୍‌ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ଏଥିଲାଗି ୫ଲକ୍ଷ ୪୧ହଜାର ୨୪୭ ଜଣ  ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ରାଜ୍ୟର ୩,୨୧୮ କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା।

Tags: #MatricExam #CopyEvaluation #EvaluationCenter #Teachers #BSE #Odisha

Comment