ଓଡ଼ିଶାଲାଇଭ୍ ବ୍ୟୁରୋ

 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଏହି ନିର୍ବାଚନ ଲାଗି ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏଁ ଏହି ମତଦାନ ଚାଲିବ। ଭୋଟ ଦେବପାଇଁ ମତଦାନ କେନ୍ଦ୍ରରେ ଲୋକମାନଙ୍କ ଗହଳି ଲାଗି ଥିବାର ଦେଖାଦେଇଛି।

ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ୧୬ଟି ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ୮ଟି ସମ୍ବେଦନଶୀଳ ବୁଥ୍ ରହିଛି। ଏହି ବୁଥଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ଭୋଟ ଗ୍ରହଣ ପାଇଁ ୨ଟି ପିଙ୍କ ବୁଥ୍ ମଧ୍ୟ କରାଯାଇଛି।

ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟଗ୍ରହଣକୁ ସୂଚାରୁ ରୂପେ ଚଳାଇବା ପାଇଁ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଧିକାରୀ ଏବଂ କିଛି ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ ମୋଟ ୯ ହଜାର ୮୬୩ ଜଣ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୫ ହାଜର ୪୬ ଜଣ ପୁରୁଷ ଏବଂ ୪ ହଜାର ୮୧୭ ଜଣ ମହିଳା ଭୋଟର ରହିଛନ୍ତି। ଚଳିତବର୍ଷ ନିର୍ବାଚନରେ ୫୦ ଜଣ ପ୍ରାର୍ଥୀ କାଉନସିଲର ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ ୩ ଜଣ ପ୍ରାର୍ଥୀ ମଇଦାନରେ ଓହ୍ଲାଇଛନ୍ତି।

ସୋମବାର ଭୋଟଗ୍ରହଣ ସରିବା ପରେ ଇଭିଏମଗୁଡ଼ିକୁ ପୋଲିସ ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମକୁ ନିଆଯିବ। ବୁଧବାର ଦିନ ହିନ୍ଦୋଳ ଏନଏସି ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

Tags: #Dhenkanal #HindolNACElection #Voting #Voter #Politics

Comment