ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଶାରେ ବିଏସସି ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ନିଟ୍ ପରୀକ୍ଷା। ଡାକ୍ତରୀ ପଢ଼ା ଭଳି ଏବେ ବିଏସସି ନର୍ସିଂ ପାଇଁ ମଧ୍ୟ ଜାତୀୟ ସ୍ତରରେ ହେଉଥିବା ନାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପାସ କରିବାକୁ ପଡ଼ିବ। ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି। ଏନେଇ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ କୌଣସି ଛାତ୍ରଛାତ୍ରୀଙ୍କୁ ନର୍ସିଂରେ ଗ୍ରାଜୁଏସନ କରିବାକୁ ସୁଯୋଗ ମିଳିବ ନାହିଁ। ତେଣୁ ନିଟ୍ ପରୀକ୍ଷା ସମ୍ବନ୍ଧୀୟ ସୂଚନା ହାସଲ କରିବାକୁ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ଆସନ୍ତା ମେ’ ମାସ ୬ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ।
ଓଡ଼ିଶାରେ ମୋଟ ୮ଟି ନର୍ସିଂ କଲେଜ ରହିଛି। ଏହା ବ୍ୟତୀତ ୨୧ଟି ସରକାରୀ ଅକ୍ସୁଲାରି ନର୍ସି ଏଣ୍ଡ ମିଡ୍ ୱାଇଫେରି ଟ୍ରେନିଂ ସେଣ୍ଟର (ଏଏନଟିସି) ରହିଛି। ରାଜ୍ୟର ନର୍ସିଂ କଲେଜଗୁଡ଼ିକରେ ନର୍ସିଂ ସିଟ୍ ସଂଖ୍ୟା ୭୫୦ ରହିଛି। ପ୍ରତିବର୍ଷ ଏଏନ୍ଟିସିରେ ୮୪୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି।
୨୦୨୧-୨୨ ସୁଦ୍ଧା ଓଡ଼ିଶାରେ ୨୮ ହଜାର ୨୯୫ ମଞ୍ଜୁରିପ୍ରାପ୍ତ ନର୍ସ ପଦବୀ ରହିଛି। ସେଥି ମଧ୍ୟରୁ ୧୬ ହଜାର ୩୦୬ ପଦବୀ ଖାଲି ରହିଥିଲା। ଚଳିତବର୍ଷ ରାଜ୍ୟ ସରକାର ୭ ହଜାର ୩୮୪ ନର୍ସ ପଦବୀ ପୂରଣ ପାଇଁ ପଦକ୍ଷେପ ନେଇଛନ୍ତି।
Tags: #NursingCourse #NEETExam #Students #HealthandFamilyWelfareDept #Odisha

















