ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର (ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ) ଛାଡ଼ କରିଛନ୍ତି। ଏପ୍ରିଲ ୭ ତାରିଖରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବ।

ଓଡ଼ିଶାରେ ଅଧିକ ଚଳଚ୍ଚିତ୍ର ସୁଟିଂକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ଫିଲ୍ମ ଉପରୁ ଏଭଳି କର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ବିଭିନ୍ନ ଫିଲ୍ମକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାର ଅନୁକୂଳ ନୀତି ମଧ୍ୟ କାର୍ଯ୍ୟକାରୀ କରିଛନ୍ତି।

ଓଡିଆ ଭାଷାରେ ନିର୍ମିତ ଏହି ‘ଡେଲିଭରି ବୟ’ ଚଳଚ୍ଚିତ୍ରରେ ସହରାଞ୍ଚଳରେ ଖାଦ୍ୟ ଯୋଗାଉଥିବା ପିଲାଙ୍କ ଜୀବନକୁ ଦର୍ଶାଯାଇଛି। ଫିଲ୍ମଟିରେ ଜଣେ ଡେଲିଭରି ବୟ କିପରି ସଡ଼କ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀଙ୍କ ସହ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛି ତାହା ପ୍ରଦର୍ଶିତ ହୋଇଛି। ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି।

ଏହି ପିଲ୍ମରେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ସ୍ଵାଇଁଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ। ଅଶ୍ୱିନୀ ତ୍ରିପାଠୀ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି। ଜ୍ୟୋତିରଞ୍ଜନ ମହାନ୍ତି ଏହାର ପ୍ରଯୋଜକ ଅଛନ୍ତି। ଫେବ୍ରୁଆରି ମାସରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା।

ଏହାପୂର୍ବରୁ ଓଡ଼ିଶା ସରକାର ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ ଓ କପିଲ ଶର୍ମାଙ୍କ ଫିଲ୍ମ ‘ଜ୍ଵିଗାଟୋ’ ଉପରୁ ମଧ୍ୟ ଟ୍ୟାକ୍ସ ଛାଡ଼ କରିଥିଲେ।

Tags: #DeliveryBoy #OdiaFilm #TaxFree #EntertainmentTax #GovtofOdisha

Comment