ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ବିରୋଧୀ ଦଳର ସାଂସଦମାନେ ଦିଲ୍ଲୀରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରିଛନ୍ତି। ଆଦାନୀ ଷ୍ଟକ୍ ଦୁର୍ନୀତି ମାମଲାରେ ଯୁଗ୍ମ ସଂସଦୀୟ କମିଟିର (ଜେପିସି) ତଦନ୍ତ ଦାବି କରି ବିରୋଧୀ ସାଂସଦମାନେ ଏହି ଶୋଭାଯାତ୍ରା କରିଛନ୍ତି। ସଂସଦ ଭବନରୁ ବିଜୟ ଚୌକ ଯାଏଁ ସେମାନେ ଏହି ଶୋଭାଯାତ୍ରା କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିଲା।

ଗୁରୁବାର ସଂସଦର ଉଭୟ ଗୃହ ଅନିର୍ଦ୍ଦଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା ହେବାପରେ ବିରୋଧୀ ଦଳର ସଂସଦମାନେ ଏହି ତ୍ରିରଙ୍ଗା ଶୋଭଯାତ୍ରାର ଆୟୋଜନ କରିଥିଲେ। ଏଥିରେ ସେମାନେ ସଂସଦ ଭବନରୁ ବିଜୟ ଚୌକ ଯାଏଁ ଚାଲିଚାଲି ଯାଇଥିଲେ। ସେମାନେ ପ୍ଲା କାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

“କେନ୍ଦ୍ର ସରକାର ଗଣତନ୍ତ୍ରର କଥା କହୁଛନ୍ତି, କିନ୍ତୁ କାହା ସହ କଥାବାର୍ତ୍ତା କରୁନାହାନ୍ତି। ସଂସଦରେ ବିନା ଆଲୋଚନାରେ ବଜେଟ୍‌ ପାରିତ ହୋଇଗଲା। ଆମେ ଆଦାନୀ ଦୁର୍ନୀତି ମମାଲାର ଜେପିସି ତଦନ୍ତ ଦାବି କରୁଥିଲେ ମଧ୍ୟ ସରକାର କିଛି ଶୁଣୁନାହାନ୍ତି। ସରକାର ଆମ କଥା ନ ଶୁଣିଲା ଯାଏଁ ଆମେ ବିରୋଧ ଜାରି ରଖିବୁ”, କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ଏହି ଶୋଭଯାତ୍ରାରେ କଂଗ୍ରେସ, ଜେଡିୟୁ, ଆରଜେଡି, ସମାଜବାଦୀ ପାର୍ଟି, ଡିଏମକେ, ଆମ ଆଦମୀ ପାର୍ଟି, ଏନସିପି ଭଳି ବିରୋଧୀ ଦଳମାନେ ସାମିଲ ହୋଇଥିଲେ। ଏହି ତ୍ରିରଙ୍ଗା ଶୋଭଯାତ୍ରା ଲାଗି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବୁଧବାର ବିରୋଧୀ ଦଳର ସାଂସଦମାନେ ବୈଠକ କରିଥିଲେ।

ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଦେଶରେ ରାଜନୀତି ସରଗରମ ରହିଛି। ଏହି ମାମଲାର ଜେପିସି ତଦନ୍ତ ଲାଗି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଦାବି କରି ଆସୁଛନ୍ତି।

Tags: #TricolourMarch #OppositionParties #Congress #AdaniCase #JPC #Parliament #Delhi

Comment