ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାସଭା ଉପନିର୍ବାଚନ ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ମିଳିଥିବାବେଳେ ଶୁକ୍ରବାର ଦିନ ବ୍ଲକ ଏବଂ ମ୍ୟୁନିସିପାଲିଟିରେ ୧୨ ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜେଡି।

ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି ସାହୁଙ୍କୁ କିରମିରା ବ୍ଲକ ଦାୟିତ୍ୱ ଦିଆଯାଇଥିବାବେଳେ କୋଲାବିରା ବ୍ଲକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ନିରଞ୍ଜନ ପୂଜାରୀ ଏବଂ ସରୋଜ ମେହେର। ସେହିପରି ଝାରସୁଗୁଡ଼ା ବ୍ଲକ ଦାୟିତ୍ଵ ବଦ୍ମନାଭ ବେହେରା ଏବଂ ଡକ୍ଟର ଅରୁଣ ସାହୁଙ୍କୁ ଦିଆଯାଇଥିବାବେଳେ ଲଇକିରା ବ୍ଲକରେ ପ୍ରତାପ କେଶରୀ ଦେବ ଏବଂ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ।

ଝାରସୁଗୁଡ଼ା ମ୍ୟୁନିସିପାଲିଟି ଜଗିବାକୁ ଦାୟିତ୍ଵ ମିଳିଛି ବିଜେଡି ନେତା ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନି ଛୁରିଆ ଏବଂ ରୀତା ସାହୁଙ୍କୁ।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଦଳ ପକ୍ଷରୁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରାଯିବା ପରେ ମଙ୍ଗଳବାର ଦିନ ତିନି ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକଙ୍କୁ ଉପନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ୧୨ ଜଣ ନେତାଙ୍କୁ ବ୍ଲକ ଏବଂ ମ୍ୟୁନିସିପାଲିଟି ଦାୟିତ୍ଵ ଦେଇଛି ଦଳ।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାନ ଲାଗି ମତଦାନ। ଏପ୍ରିଲ ୧୩ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ଆସନ୍ତା ମେ’ ୧୦ ତାରିଖରେ ମତଦାନ ହୋଇ ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaAssemblyByelection #Election #BJD #Observer

Comment