ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ସୋମବାର ଦିନ ତରୁଣଙ୍କ ନାଁ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଆଜି କଂଗ୍ରେସ ତରୁଣଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅପେକ୍ଷା ରହିଛି।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି କଂଗ୍ରେସର ଅନେକ ଆଶାୟୀ ରହିଥିଲେ। ମହେନ୍ଦ୍ର ନାୟମ ଏବଂ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। ତେବେ ଶେଷରେ ତରୁଣଙ୍କ ନାଁରେ ମୋହର ମାରିଛି ଦଳ। ତରୁଣ ପାଣ୍ଡେ ହେଉଛନ୍ତି ପୂର୍ବତନ ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଆସନ୍ତା ଏପ୍ରିଲ ୧୩ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯିବା ପରେ କିଏ କେଉଁ ଦଳର ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ପ୍ରଥମେ ବିଜେଡି ପ୍ରାର୍ଥୀ ଦେବା ପରେ ଆଜି କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥର ବିଜେପି ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡ଼ିଯାଇଛି।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaByElection #TarunPandey #DeepaliDas #BJD #BJD

Comment