ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ‘ବିଶ୍ଵ ଛେନାପୋଡ଼ ଦିବସ’ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଏହି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏଠାରେ ଛେନାପୋଡ଼ର ଉତ୍ପତ୍ତି, ପ୍ରସାର ଓ ଲୋକପ୍ରିୟତା ବିଷୟରେ ଅଲୋଚନା କରଯାଇଥିଲା। ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା।

ଛେନାପୋଡ଼ ଦିବସ କାର୍ଯ୍ୟକ୍ରମରେ ନୟାଗଡ଼ର ବିଭିନ୍ନ ଖାଦ୍ୟକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଠାରେ ଛେନାପୋଡ଼, ମୁଗପୋଡ଼, ମୁଗମଣ୍ଡା ଓ ମୁଗ ପକୁଡ଼ି ଭଳି ସୁସ୍ଵାଦୁ ଖାଦ୍ୟର ଲୋକମାନେ ମଜା ନେଇଥିଲେ। କାର୍ଯ୍ୟକ୍ରମକୁ ଆସିଥିବା ଅତିଥିମାନେ ମଧ୍ୟ ଖାଦ୍ୟ ପ୍ରଦର୍ଶନୀ ବୁଲିଥିଲେ।

“ଓଡ଼ିଶାର ଛେନାପୋଡ଼କୁ ଆଜି ସାରା ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ମିଳିଛି। ନୟାଗଡ଼ରୁ ବାହାରିଥିବା ଏହି ଛେନାପୋଡ଼ ଆଜି ସମସ୍ତଙ୍କ ପ୍ରିୟ ଖାଦ୍ୟ ପାଲଟିଛି। ପିଲାଙ୍କଠୁ ଆରମ୍ଭ କରି ବଡ଼ ଲୋକଙ୍କ ଯାଏଁ ସମସ୍ତେ ଏହାର ଆନନ୍ଦ ନେଇଥାନ୍ତି। ଏହାକୁ ‘ଜିଆଇ’ ଟ୍ୟାଗ୍ ମିଳିଲେ ଏହାର ପ୍ରଚାର ପ୍ରସାର ବ୍ୟାପକ ହୋଇପାରିବ”, କହିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ରୁ ଆସିଥିବା କଳାକାରମାନେ ପାଲା, ଦାସକାଠିଆ, ଖଞ୍ଜଣି, ବାଘ ନାଚ ଆଦିର ପରିବେଷଣ କରିଥିଲେ। ଏଠାରେ ଆଧୁନିକ ସଙ୍ଗୀତର ପରିବେଷଣ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ଲେଖକ ଡକ୍ଟର ଦାଶ ବେନହୁର, କଣ୍ଠଶିଳ୍ପୀ ତାନସେନ ସିଂ ଓ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେଇଥିଲେ।

ଛେନାପୋଡ଼ ଦିବସ କାର୍ଯ୍ୟକ୍ରମରେ ଛେନାପୋଡ଼କୁ ନେଇ ହୋଇଥିବା ଏକ ଗୀତକୁ ରିଲିଜ କରଯାଇଥିଲା। ଏଥିରେ ଛେନାପୋଡ଼ର ବିଶେଷତ୍ଵ ସମ୍ପର୍କରେ ବର୍ଣ୍ଣନା କରଯାଇଥିଲା। ଏହି ଗୀତରେ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ମହାପୁରୁଷମାନଙ୍କ ବିଷୟରେ କୁହାଯାଇଛି।

“ଆମ ରାଜ୍ୟରେ ବିଭିନ୍ନ ଜିଲ୍ଲାର କିଛି ବିଶେଷ ଖାଦ୍ୟ ରହିଛି। ସେଗୁଡ଼ିକ ଲାଗି ଜିଲ୍ଲାକୁ ଏକ ବିଶେଷ ପରିଚୟ ମିଳିଥାଏ। ଆଜିର ଏହି ଛେନାପୋଡ଼ ଦିବସର କାର୍ଯ୍ୟକ୍ରମ ନୟାଗଡ଼ର ସ୍ୱତନ୍ତ୍ର ପରିଚୟକୁ ପ୍ରକାଶ କରୁଛି। ଏହିଭଳି କାର୍ଯ୍ୟକ୍ରମ ଦେଶ ବିଦେଶରେ ଛେନାପୋଡ଼ର ପ୍ରଚାର ପ୍ରସାର କରିବାରେ ସହାୟତା କରିବ”, କହିଛନ୍ତି ଡକ୍ଟର ଅରୁଣ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ନୟାଗଡ଼ର ସବୁ ସରକାରୀ କାର୍ଯ୍ୟଳୟରେ ଏହି ଛେନାପୋଡ଼ ଦିବସ ପାଳିତ ହୋଇଛି। ଆଗକୁ ଛେନାପୋଡ଼କୁ ‘ଜିଆଇ’ ମାନ୍ୟତା ଦେବାପାଇଁ ଆମେ ସମସ୍ତେ ମିଳିମିଶି ଉଦ୍ୟମ କରିବୁ।”

ଏହି କାର୍ଯ୍ୟକ୍ରମରେ ପ୍ରଥମେ ଛେନାପୋଡ଼ ତିଆରି କରିଥିବା ସୁଦର୍ଶନ ସାହୁଙ୍କ ଝିଅ ସୁନନ୍ଦା ସାହୁଙ୍କୁ ସମ୍ମାନିତ କରଯାଇଥିଲା। ଏଠାରେ ଖଣ୍ଡପଡ଼ାର ଛେନାପୋଡ଼ ବ୍ୟବସାୟୀ କାର୍ତ୍ତିକେଶ୍ଵର ସାହୁଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା।

 

“ବିଶ୍ଵରେ ସବୁ ମଣିଷଙ୍କ ଖାଦ୍ୟରେ କିଛି ଭିନ୍ନତା ଥାଏ। ଆମ ଦେଶ ତଥା ଆମ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ସେଥିରୁ ନୟାଗଡ଼ର ଛେନାପୋଡ଼ ଅନ୍ୟତମ। ଛେନାପୋଡ଼ର ଉତ୍ପତିକୁ ନେଇ କୌଣସି ବିବାଦ ନାହିଁ। ଏହାର ଇତିହାସ ବେଶୀ ପୁରୁଣା ନହେଲେ ମଧ୍ୟ ଏହା ଆଜି ସମସ୍ତଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି। ତେଣୁ ଏହି ଭଳି କାର୍ଯ୍ୟକ୍ରମ ଛେନାପୋଡ଼କୁ ଅଧିକ ଲୋକପ୍ରିୟ କରିପାରିବ ବୋଲି ମୋର ବିଶ୍ଵାସ”, କହିଛନ୍ତି ଡକ୍ଟର ଦାଶ ବେନହୁର।

“ଆମେ ପୂର୍ବ ବର୍ଷ ପ୍ରଥମକରି ଏହି ଛେନାପୋଡ଼ ଦିବସର ଆୟୋଜନ କରିଥିଲୁ। ଏହାର ସଫଳତାକୁ ଦେଖି ଆମେ ଏ ବର୍ଷ ମଧ୍ୟ ଏହି ଦିବସ ପାଳନ କରୁଛୁ। ଏହା ଦ୍ଵାରା ଆମେ ଛେନାପୋଡ଼ ସହିତ ନୟାଗଡ଼ର ସଂସ୍କୃତି, ପରମ୍ପରା ଓ ଅନ୍ୟାନ୍ୟ ଜିନିଷ ବାବଦରେ ଲୋକମାନଙ୍କୁ ଜଣାଉଛୁ। ଏହା ଆମ ପାଇଁ ଏକ ଗୌରବର ବିଷୟ”, କହିଛନ୍ତି ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା।

ଏହି କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ପଣ୍ଡା ପରିଚାଳନା କରିଥିଲେ। ଏହାଛଡ଼ା ଅନେକ ବିଶିଷ୍ଟ ବ୍ୟକ୍ତି, ଲେଖକ, କଳାକାର ଓ ବିଭିନ୍ନ ସାମାଜିକ ସଂଗଠନର  ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଥିଲା।

Tags: #Chhenapoda #NayagarhChhenapoda #ChhenapodaDibas #Celebration #Bhubaneswar

 

Comment