ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ବୀମା କ୍ଷେତ୍ରରେ ଘରୋଇ କମ୍ପାନି ସହ ପ୍ରତିଦ୍ଵନ୍ଦ୍ଵିତା କରିପାରୁନାହାନ୍ତି ରାଷ୍ଟ୍ରାୟତ୍ତ ବୀମା କମ୍ପାନି। ୫ ବର୍ଷରେ ମାର୍କେଟ ସେୟାର ୮ ପ୍ରତିଶତ ହ୍ରାସ।

ସାଧାରଣ ବୀମା ବା ଜେନେରାଲ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ ଘରୋଇ ବୀମା କମ୍ପାନି ସହ ପ୍ରତିଦ୍ଵନ୍ଦ୍ଵିତା କରିପାରୁନାହାନ୍ତି ରାଷ୍ଟ୍ରାୟତ୍ତ ବୀମା କମ୍ପାନି। ଦିନକୁ ଦିନ ଭାରତର ୪ଟି ରାଷ୍ଟ୍ରାୟତ୍ତ ବୀମା କମ୍ପାନିର ମାର୍କେଟ ସେୟାର କମିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ଏହି ୪ କମ୍ପାନିର ମାର୍କେଟ ସେୟାରରେ ୮୦୦ ବେସିସ ପଏଣ୍ଚ  ହ୍ରାସ ହୋଇଛି। ବ୍ରାଣ୍ଡିଂ ଓ ପ୍ରଭାବୀ ସେଟେଲମେଣ୍ଟ ପାଇଁ ଘରୋଇ କମ୍ପାନିଗୁଡ଼ିକ ନିଜର ମାର୍କେଟ ସେୟାର ବଢ଼ାଇବାରେ ଲାଗିଛନ୍ତି।

ଭାରତରେ ୪ଟି ରାଷ୍ଟ୍ରାୟତ୍ତ ବୀମା କମ୍ପାନି ରହିଛନ୍ତି। ଏମାନେ ହେଲେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ଓ ନ୍ୟାସନାଲ ଇନ୍‌ସ୍ୟୁରାନ୍ସ। ଏହି କମ୍ପାନିଗୁଡ଼ିକ ସାଧାରଣ ବୀମା ବଜାର ଉପରୁ ଧୀରେଧୀରେ ନିଜର ଦବଦବା ହରାଇବାରେ ଲାଗିଛନ୍ତି।

ଆଇଆର୍‌ଡିଏଆଇର ସୂଚନା ଅନୁସାରେ ଏହି ୪ଟି କମ୍ପାନି ବଜାରର ମୋଟ ୪୦.୪ ପ୍ରତିଶତ ନିଜ ଦଖଲରେ ରଖିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷରେ ଏମାନଙ୍କ ମୋଟ ମାର୍କେଟ ସେୟାର ୩୨.୩୭ ପ୍ରତିଶତରେ ପହଞ୍ଚିଛି।

ସବୁଠାରୁ ଅଧିକ ୧୪ ପ୍ରତିଶତ ସାଧାରଣ ବୀମା ବଜାର ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଅଧିନରେ ଥିଲା। ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ପାଖରେ ୯ ପ୍ରତିଶତ ବୀମାଧାରକ ଥିଲେ। ଏବେ ଗ୍ରାହକମାନେ ଏମାନଙ୍କଠାରୁ ଦୂରେଇବାରେ ଲାଗିଛନ୍ତି।

ଅନ୍ୟପଟେ କୋଲକାତାରୁ ପରିଚାଳିତ ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନିର ବଜାର ଅଂଶରେ ୩୦୦ ବେସିସ ପଏଣ୍ଟ ହ୍ରାସ ପାଇଛି। ସେହିପରି ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ୨୭୬ ବେସିସ ପଏଣ୍ଟ ଏବଂ ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ୧୭୧ ବେସିସ ପଏଣ୍ଟ ହରାଇଛି।

କାହିଁକି ହ୍ରାସ ପାଇଛି ମାର୍କେଟ ସେୟାର?

ସାଧାରଣ ବୀମା କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକ ସରକାରୀ ବୀମା କମ୍ପାନିର ଗ୍ରାହକମାନଙ୍କୁ ଲୋଭନୀୟ ଅଫର ଦେଇ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ବୀମାରେ ମିଳୁଥିବା ସୁବିଧା ସରକାରୀ ବୀମା କମ୍ପାନିଙ୍କଠାରୁ ଅଧିକ।

ସେହିପରି ଘରୋଇ ବୀମା କମ୍ପାନିଗୁଡ଼ିକର ଦାବି ସମାଧାନ (କ୍ଲେମ ସେଟଲମେଣ୍ଟ) ସରକାରୀ ବୀମା କମ୍ପାନିଠାରୁ ଭଲ ରହୁଛି। ଏଥିଲାଗି ଅନେକ ନୂଆ ଗ୍ରାହକ ଘରୋଇ ବୀମା କମ୍ପାନି ମୁହାଁ ହେଉଛନ୍ତି।

ଅନ୍ୟପଟେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ନିଜର ଗ୍ରାହକମାନଙ୍କୁ ବହୁତ ପରିମାଣରେ ଅଟକାଇ ରଖିବାରେ ସଫଳ ହୋଇଛି। କିନ୍ତୁ ଅନ୍ୟ ୩ କମ୍ପାନିର ବ୍ୟବସାୟରେ ଆଖିଦୃଶିଆ ହ୍ରାସ ପାଇଛି। ଏମାନେ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ବିଶେଷ ସଫଳତା ପାଉନାହାନ୍ତି।

ସରକାରୀ ବୀମା କମ୍ପାନିଗୁଡ଼ିକର ଆର୍ଥିକ କ୍ଷତି

୨୦୨୨-୨୩ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ମୋଟ କ୍ଷତିର ପରିମାଣ ୩୧୦୪ କୋଟି ଟଙ୍କା। ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସର ନିଟ୍ କ୍ଷତିର ପରିମାଣ ୨୧୩୫ କୋଟି ଟଙ୍କା। ସେହିପରି ନ୍ୟାସନାଲ ଇନ୍‌ସ୍ୟୁରାନ୍ସ କମ୍ପାନି ୧୬୬୪ କୋଟି ଟଙ୍କାର କ୍ଷତି ସହିଛି। ଏମାନଙ୍କ ମଧ୍ୟରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ୧୬୪ କୋଟି ଟଙ୍କାର ଲାଭ କରିଛି।

ଏହି ୪ଟି କମ୍ପାନି ମାର୍କେଟ ସେୟାର ହରାଇଥିଲେ ମଧ୍ୟ ଆର୍ଥିକ ସ୍ଥିତି ସେତେ ବିଗିଡ଼ିନାହିଁ। ପ୍ରିମିୟମ ଆଦାୟ ବଢ଼ିଛି। ତଥାପି ମାର୍କେଟ ସେୟାର ଖସିବା ସରକାରୀ ବୀମା କମ୍ପାନିର ସ୍ଵାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ।

ଜେନେରାଲ ଇନ୍‌ସୁରାନ୍ସ କ’ଣ?

ଇନ୍‌ସୁରାନ୍ସ କହିଲେ ମୁଖ୍ୟତଃ ଦୁଇ ପ୍ରକାରର। ଗୋଟିଏ ଲାଇଫ୍ ଇନ୍‌ସୁରାନ୍ସ ଓ ଅନ୍ୟଟି ଜେନେରାଲ ଇନ୍‌ସୁରାନ୍ସ। ଜେନେରାଲ ଇନ୍ସୁରାନ୍ସ ସାଧାରଣତଃ ହୋମ୍‌, ଟ୍ରାଭେଲ, ମୋଟର, ଦୁର୍ଘଟଣା ଓ ହେଲ୍‌ଥ ଇନ୍‌ସୁରାନ୍ସ ଭଳି ପଲିସି ଆମ ଦେଶରେ ବିକ୍ରି ହୋଇଥାଏ।

  • ହୋମ୍‌ ଇନ୍‌ସୁରାନ୍ସ

ଆମେ ଯେତେବେଳେ ଘର ତିଆରି କରୁ ବହୁତ ଖର୍ଚ୍ଚ କରିଥାଉ। ମଣିଷ ଜୀବନରେ ପ୍ରାୟ ଥରେ ଘର କରେ। କୌଣସି ପ୍ରାକୃତିକ କିମ୍ବା ମନ୍ୟୁଷ୍ୟକୃତ ବିପର୍ଯ୍ୟୟ ପାଇଁ ଯଦି ଘରର କୌଣସି କ୍ଷତି ହୁଏ, ତେବେ ହୋମ୍ ଇନ୍‌ସୁରାନ୍ସ ବା ଗୃହ ବୀମାରୁ ଏହି କ୍ଷତିକୁ ଭରଣା କରିହୁଏ।

  • ମୋଟର ଇନ୍‌ସୁରାନ୍ସ

ଆମେ ଗାଡ଼ି ମୋଟର କିଣିବା ବେଳେ ଇନ୍‌ସୁରାନ୍ସ କରିଥାଉ। ଗାଡ଼ି ଓ ଚାଳକ ଏଥିରେ ବୀମାଭୁକ୍ତ ହୋଇଥିବା ବେଳେ ଯଦି ଗାଡ଼ି ଦୁର୍ଘଟଣାରେ ଯଦି କାହାର କିଛି କ୍ଷତି ହୁଏ ତେବେ ବୀମା କମ୍ପାନି ହିଁ ନିୟମ ଅନୁସାରେ ଦାବି ସମାଧାନ କରେ। କିନ୍ତୁ ଏଥିପାଇଁ ଆମକୁ କମ୍ପ୍ରେହେନ୍ସିଭ ବୀମା ନେବାକୁ ପଡ଼ିଥାଏ।

ଯଦି କେବଳ ଥାର୍ଡ ପାର୍ଟି ବୀମା କିଣିଥାନ୍ତି ତେବେ କେବଳ ଆମ ଗାଡ଼ି ଦ୍ଵାରା ଯାହାର କିଛି କ୍ଷତି ହୁଏ ତେବେ କେବଳ ତାଙ୍କୁ ହିଁ ବୀମାର ଲାଭ ମିଳିବ। ଏବେ ଥାର୍ଡପାର୍ଟି ମୋଟର ବୀମା ବାଧ୍ୟତାମୂଳକ କରିଦିଆଯାଇଛି। ବିନା ବୀମାରେ ଗାଡ଼ି ଚଳାଇବା ସାଂଘାତିକ ଭାବେ ଦଣ୍ଡନୀୟ ଅପରାଧ।

  • ଟ୍ରାଭେଲ ଇନ୍‌ସୁରାନ୍ସ

କୌଣସି ଜାଗାକୁ ଭ୍ରମଣ କରିବା ପାଇଁ ଗଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯଦି ଭ୍ରମଣ ବାତିଲ ହୋଇଗଲା, ବିମାନ ବିଳମ୍ବ ହେଲା କିମ୍ବା ବ୍ୟାଗ ହଜିଗଲା ତେବେ ଆପଣଙ୍କୁ ବୀମାର ସୁବିଧା ମିଳିବ। ଏହା ସହିତ ଏହି ବୀମାରେ ନଗଦବିହୀନ ସ୍ଵାସ୍ଥ୍ୟ ସେବା ମଧ୍ୟ ମିଳିବ।

  • ଦୁର୍ଘଟଣା ଇନ୍‌ସୁରାନ୍ସ

ଯଦି କୌଣସି ବ୍ୟକ୍ତି ଆକସ୍ମିକ କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ହେଲେ ଏହି ଇନ୍‌ସୁରାନ୍ସ ଦ୍ଵାରା କ୍ଷତିପୂରଣ ମିଳିଥାଏ। ଏହା ମାଧ୍ୟମରେ ଲୋକମାନଙ୍କୁ ଦୁର୍ଘଟଣା ଜନିତ ସ୍ଵାସ୍ଥ୍ୟ ଖର୍ଚ୍ଚ କିମ୍ବା ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ବୀମା କମ୍ପାନିଠାରୁ ଟଙ୍କା ମିଳିଥାଏ।  

  • ହେଲ୍‌ଥ ଇନ୍‌ସୁରାନ୍ସ

ଆମେ ସଞ୍ଚୟ କ’ଣ କରିଛନ୍ତି ତାହା ଯେତିକି ଗୁରୁତ୍ଵପୂର୍ଣ୍ଣ ନୁହେଁ, ତାଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟବୀମା। ସ୍ଵାସ୍ଥ୍ୟ ବୀମାଧାରକ ଯଦି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୁଏ ତେବେ ସେ ନେଇଥିବା ବୀମାର ସର୍ବୋଚ୍ଚ ପରିମାଣ ଯାଏ ମାଗଣାରେ ଚିକିତ୍ସାର ସୁବିଧା ମିଳେ।

ଯଦି କୌଣସି ଡାକ୍ତରଖାନା ସମ୍ପୂର୍ଣ୍ଣ ଇନ୍‌ସୁରାନ୍ସ କମ୍ପାନି ସହ ଅନୁବନ୍ଧିତ ହୋଇ ନ ଥାନ୍ତି, ତେବେ ବୀମାଧାରକ ତାର ସ୍ଵାସ୍ଥ୍ୟ ଖର୍ଚ୍ଚ ବୀମା କମ୍ପାନିଠାରୁ ନିୟମ ଅନୁସାରେ ଆଦାୟ କରିପାରିବ।

Tags: #GeneralInsurance #NationalizedCompanies #MarketShare #Privetcompanies

 

Comment