ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୁରୁବାରଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରାର୍ଥୀମାନେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ। ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ।

ଅନ୍ୟପଟେ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଏହାପରେ ଏପ୍ରିଲ ୨୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମେ’ ମାସ ୧୦ ତାରିଖରେ ଭୋଟଗ୍ରହଣ କରାଯିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ମତଦାନ ଚାଲିବ। ଏଥିଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ସେହିପରି ମେ’ ୧୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ।

ଜାନୁଆରି ମାସ ୨୯ ତାରିଖରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନକୁ ପୂରଣ କରିବା ପାଇଁ ମାର୍ଚ୍ଚ ମାସରେ ଭାରତୀୟ ନିର୍ବାଚନ ଆୟୋଗ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଏହି ଉପନିର୍ବାଚନରେ ବିଜେଡିର ଦୀପାଳି ଦାସ, କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ।

Tags: #Politics #JharsugudaByElection #OfficialNotification #ElectionCommissionofIndia

 

Comment