ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ପୁରୀକୁ ଯାଇଛି ରଥ କାଠ। ଚଳିତ ବର୍ଷକୁ ମିଶାଇ ଷଷ୍ଠ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ପୁରୀକୁ ରଥକାଠ ପଠାଇଛି। ଚଳିତ ବର୍ଷ ତିନିଠାକୁରଙ୍କ ରଥରେ ବ୍ୟବହାର ହେବା ପାଇଁ ବୌଦ୍ଧ ବନଖଣ୍ଡରୁ ମୋଟ ୩୦୩ ଖଣ୍ଡ କାଠ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଛି।

ଏହା ପୂର୍ବରୁ ଜିଲ୍ଲାରୁ ୨୦୧୮ ମସିହାରେ ୨୫୬ ଖଣ୍ଡ ରଥ କାଠ ପୁରୀକୁ ପଠାଯାଇଥିବାବେଳେ ୨୦୧୯ ମସିହାରେ ୨୪୮ ଖଣ୍ଡ, ୨୦୨୦ ମସିହାରେ ୩୪୫ ଖଣ୍ଡ, ୨୦୨୧ ମସିହାରେ ୭୦୧ ଖଣ୍ଡ ଏବଂ ୨୦୨୨ ମସିହାରେ ୩୫୧ ଖଣ୍ଡ କାଠ ପୁରୀକୁ ପଠାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ରେଞ୍ଜର ସଂରକ୍ଷିତ ଜଙ୍ଗଲରୁ ୨୮ ଖଣ୍ଡ ଧଉରା କାଠଗଣ୍ଡି ଟ୍ରକ ଯୋଗେ ପୁରୀକୁ ପଠାଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ରଥକାଠକୁ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଭକ୍ତିମୟ ପରିବେଶ ମଧ୍ୟରେ ରଥକାଠ ଧରି ଏକ ଟ୍ରକ୍ ପୁରୀ ଅଭିମୁଖେ ଯାତ୍ରା କରିଥିଲା।

ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଏସିଏଫ ଆଶିଷ କୁମାର କହଁର, କଣ୍ଟାମାଲ ରେଞ୍ଜର ଖୁରାଧି ପ୍ରଧାନ ଓ ବୌଦ୍ଧ ରେଞ୍ଜର ନିହାର ମଳିକଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।

Tags: #Boudh #RathaWood #Puri #RathaYatra

LEAVE A REPLY

Please enter your comment!
Please enter your name here