ଓଡ଼ିଶାଲାଇଭ୍ ବ୍ୟୁରୋ

 

ଏବେ ଓଡ଼ିଆ ଭାଷାରେ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର (ସିଏପିଏଫ୍‌) କନଷ୍ଟେବଳ ପରୀକ୍ଷା ହେବ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ। ୨୦୨୪ ମସିହା ଜାନୁଆରି ମାସରୁ ପରୀକ୍ଷା ଆରମ୍ଭ ହେବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ହିନ୍ଦୀ ଓ ଇଂରାଜୀ ସମେତ ଅହମିୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲାମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ଏବେ ମୋଟ ୧୫ଟି ଭାଷାରେ ଏହି ପରୀକ୍ଷା ହେବ।

ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ସଂଖ୍ୟା ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କେବଳ ହିନ୍ଦୀ ଓ ଇଂରାଜୀରେ ସିଏପିଏଫ୍‌ କନଷ୍ଟେବଳ ପରୀକ୍ଷା କରାଯାଉଥିଲା।

ସିଏପିଏଫ୍‌ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ କରାଯାଏ। ଏଥିରୁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ସିଆରପିଏଫ, ବିଏସଏଫ, ଏସଏସବି, ଆଇଟିବିପି ଭଳି କେନ୍ଦ୍ରୀୟ ସୁରକ୍ଷା ବଳରେ ନିଯୁକ୍ତି ମିଳିଥାଏ। ପ୍ରତିବର୍ଷ ଏହି ପରୀକ୍ଷାରେ ସାରା ଭାରତରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି।

Tags: #CAPF #Constable #SSC(GD) #Examination #RegionalLanguages #CentralHomeministry

Comment