ଓଡ଼ିଶାଲାଇଭ୍ ବ୍ୟୁରୋ

 

ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ସେ ଶନିବାର ଦିନ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ।

ଶନିବାର ତରୁଣ ପାଣ୍ଡେ ନିଜ ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏହାପରେ ସେ କାର୍ଯ୍ୟାଳୟ ଭିତରକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଶୋଭାଯାତ୍ରାରେ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ତରୁଣ ପାଣ୍ଡେ ହେଉଛନ୍ତି ପୂର୍ବତନ ଝାରସୁଗୁଡ଼ା ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ। ଏହି ଉପନିର୍ବାଚନ ପାଇଁ ଏପ୍ରିଲ ୧୦ ତାରିଖରେ କଂଗ୍ରେସ ପକ୍ଷରୁ ତରୁଣଙ୍କୁ ପ୍ରାର୍ଥୀ ଭାବେ ଚୟନ କରଯାଇଥିଲା। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ଵନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପନିର୍ବାଚନ ମଇଦାନରେ ଓହ୍ଲାଇଛି।

ଅନ୍ୟପଟେ ଉପନିର୍ବାଚନ ପାଇଁ ସୋମବାର ଦିନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହାପରେ ଏପ୍ରିଲ ୧୮ ତାରିଖରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୨୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ ଚାଲିବ। ଏଠାରେ ମେ’ ୧୦ ତାରିଖରେ ମତଦାନ ହେବ। ଏହାପରେ ମେ’ ୧୩ ତାରିଖରେ ଭୋଟ ଫଳାଫଳ ବାହାରିବ।

Tags: #JharsugudaByElection #TarunPandey #Congress #Nomination #Politics #OdishaPolitics

Comment