ବିଜୁ ପଟ୍ଟନାୟକ

ବିଜୁବାବୁଙ୍କ ଉଦ୍ଦାମ, ଉଚ୍ଚାଭିଳାଷୀ ତଥା ସ୍ୱପ୍ନପ୍ରବଣ ତାରୁଣ୍ୟର ଏକ ଚମତ୍କାର ଅଭିବ୍ୟକ୍ତି ‘ବୁଲାନିଶା’। ସେ ରେଭେନ୍‌ସାରେ ପଢ଼ିଲା ବେଳେ ତାଙ୍କର କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ) ଯେଉଁ ସାଇକେଲ ଯାତ୍ରା କରିଥିଲେ, ତା’ର ଏକ ଦୁଃସାହସିକ କାହାଣୀ।

ପଢ଼ନ୍ତୁ ପ୍ରଥମ ଭାଗ:ବୁଲା ନିଶା – ବିଜୁ ପଟ୍ଟନାୟକ (ପ୍ରଥମ ଭାଗ) (odisha.live)

ମ‌ଇ ୧୪ ତାରିଖ। ରାତି ୧୨ଟା ବେଳେ ଏଲାହାବାଦରୁ କାନପୁର ଉଦ୍ଦେଶ୍ୟରେ ଯାତ୍ରା କଲୁ। ଦିନର ଭୀଷଣ ଗରମ ସକାଶେ ଆମକୁ ବାଧ୍ୟ ହୋଇ ରାତିରେ ସାଇକେଲ ଚଳାଇବାକୁ ପଡ଼ିଲା । ଅନ୍ଧାରରେ କିଛି ଦିଶୁ ନଥାଏ। ମୋର ବନ୍ଧୁଙ୍କର ସାଇକେଲ୍ ହଠାତ୍ ଗୋଟାଏ ପଥର ଉପରେ ଚଢ଼ିଯିବାରୁ ଚକଟି ଫାଟିଗଲା। ସେତେବେଳକୁ ରାତି ୨ଟା। ଚାରିଆଡ ନିର୍ଜନ। ଟର୍ଚ୍ଚ ଜାଳି ସାଇକେଲ୍ ମରାମତି କରି ପୁଣି ବାହାରିଲୁ। ଅବଶେଷରେ ସକାଳ ହୋଇଗଲା। କିଛିକ୍ଷଣ ପରେ ଫତେପୁର ନାମକ ଗୋଟିଏ ସ୍ଥାନରେ ପହଂଚିଲୁ ଓ ସେଠାରେ ଡିଷ୍ଟ୍ରିକ୍ଟ ବୋର୍ଡ ଡାକବଙ୍ଗଳାରେ ଆଶ୍ରୟ ନେଲୁ।

ମ‌ଇ ୧୫ ତାରିଖ। ରାତିରୁ ବାହାରି ନିର୍ବିଘ୍ନରେ ସକାଳ ୯ଟା ବେଳେ କାନପୁରରେ ପହଂଚିଲୁ। କାନପୁର ସହରଟା କେବଳ ମିଲ୍ ଫ୍ୟାକ୍ଟ୍ରି ପ୍ରଭୃତିରେ ପୂର୍ଣ୍ଣ। ଏଠାରେ Agricultural Collegeଟି ଅତ୍ୟନ୍ତ ସୁନ୍ଦର। ଏଠି ଗୋଟିଏ ବଗିଚା ଦେଖିଲୁ। ଏହି ବଗିଚାରେ ସିପାହୀ-ବିଦ୍ରୋହ ସମୟରେ ବିଦ୍ରୋହୀମାନଙ୍କୁ ଗଛରେ ଲଟକାଇ ଫାଶୀ ଦିଆ ହେଉଥିଲା। ଏଠି ଗୋଟିଏ କୂଅ ଅଛି। ବିଦ୍ରୋହୀ ଦଳର ନେତା ନାନାସାହେବ ଇଉରୋପୀୟ ବନ୍ଦୀମାନଙ୍କୁ ହତ୍ୟା କରି ମୃତ ଦେହଗୁଡ଼ିକ ଏହି କୂଅରେ ପକାଇଥିଲେ। ଏହି ବଗିଚାରେ ପ୍ରବେଶ କରିବାକୁ ହେଲେ ଜଣେ ସାହେବ ଅଫିସରଙ୍କର ଅନୁମତି ନେବାକୁ ହୁଏ।

ମ‌ଇ ୧୬ ତାରିଖ। କାନପୁରରୁ ଲକ୍ଷ୍ନୌ ଅଳ୍ପ ଦୂର- ୪୭ ମାଇଲ। ସକାଳୁ ବାହାରି ପ୍ରାୟ ୧୦ଟା ବେଳକୁ ଲକ୍ଷ୍ନୌରେ ପହଂଚିଲୁ ଓ ସେଠି ଆମର ଜଣେ ବନ୍ଧୁଙ୍କ ଘରେ ରହିଲୁ। ଲକ୍ଷ୍ନୌ ସହରଟି ଅତ୍ୟନ୍ତ ସୁନ୍ଦର। ସବୁଠି କେବଳ ବଗିଚା। ଏଠାରେ ସ୍ଥାନଗୁଡ଼ିକ କିଛି ଗୋଟାଏ ବାଗ, ଅର୍ଥାତ୍ ବଗିଚା। ଲକ୍ଷ୍ନୌ ପୁରାତନ ନବାବମାନଙ୍କ ଗୋଟିଏ ପ୍ରସିଦ୍ଧ ରାଜଧାନୀ ଥିଲା। ସେମାନଙ୍କର ନବାବୀର ଚିହ୍ନ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଅଛି ଓ ତାହାର ପରିଚୟ ଏହିଠାରୁ ଆରମ୍ଭ ହେଲା। ନବାବ ଆସଫଉଦ୍ଦୌଲାଙ୍କ ବିରାଟ ପ୍ରାସାଦ ଗୋମତୀ ନଦୀ କୂଳରେ ଅବସ୍ଥିତ। ଆଜିକାଲି ତାହା ସୌଖୀନ ସାହେବମାନଙ୍କର କ୍ଲବରେ ପରିଣତ ହୋଇଅଛି।

ନବାବ ଓ ବେଗମ୍ ମହଲ ସବୁ ବୁଲିବୁଲି ଦେଖିଲୁ। ଜଣେ ନବାବଙ୍କୁ ୬୦୦ ବେଗମ୍। ସୁତରାଂ ନବାବୀଟା ଯେ କିପରି ମାତ୍ରାରେ ଚାଲୁଥିଲା, ତାହା ସାଧାରଣଙ୍କ ପକ୍ଷରେ ବୁଝିବା ସହଜ ନୁହେଁ। ଲକ୍ଷ୍ନୌ ଇଉନିଭରସିଟିର ଅଧିକାଂଶ ଏହି ନବାବମାନଙ୍କର ନିର୍ମିତ ଅଟ୍ଟାଳିକା ନେଇ ଗଠିତ। ଏହି ୟୁନିଭରସିଟି ମଧ୍ୟରେ ଗୋଟିଏ ପ୍ରକାଣ୍ଡ ଗାଧୋଇବା ସ୍ଥାନ ଅଛି। ନବାବମାନେ ଏହାକୁ ନିର୍ମାଣ କରିଥିଲେ। ଏହି କୁଣ୍ଡଟି ଦୈର୍ଘ୍ୟରେ ୧୫୦ ଫୁଟ୍, ପ୍ରସ୍ଥରେ ୩୦ ଫୁଟ୍ ଓ ଗଭୀରତା ୫ ଫୁଟ୍। ସ୍ଥାନେ ସ୍ଥାନେ ପ୍ରସ୍ରବଣର ମୁଖ ଦେଖିଲୁ। କଥିତ ଅଛି ଯେ ଏହି ମୁଖବାଟେ ଗୋଲାପ ପାଣି ବାହାରି କୁଣ୍ଡଟି ଭର୍ତ୍ତି ହୋଇଗଲେ ୬୦୦ ବେଗମ୍ ଏଠାକୁ ଗାଧୋଇବାକୁ ଆସୁଥିଲେ ଓ ତାଙ୍କ ସଙ୍ଗେ ଆସୁଥିଲେ ନବାବ ସ୍ୱୟଂ।

କିନ୍ତୁ ଲକ୍ଷ୍ନୌର ଦୃଶ୍ୟ ମଧ୍ୟରେ ସବୁଠାରୁ ବିରାଟ ହେଉଛି ‘ଇମାମ୍‌ବାଡା’। ଏହାର ନିର୍ମାଣ ବିଷୟରେ  ଗୋଟିଏ କଥା ଅଛି। ପ୍ରାୟ ୪୦୦ ବର୍ଷ ପୂର୍ବେ ସମ୍ରାଟ୍ ଆସଫଉଦ୍ଦୌଲ୍ଲାଙ୍କ ସମୟରେ ଉତ୍ତର-ଭାରତରେ ଗୋଟିଏ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା। ଭଦ୍ର, ଇତର, ଉଚ୍ଚ, ନୀଚ ସମସ୍ତେ ଅନାହାର କ୍ଳିଷ୍ଟ ହୋଇ ସମ୍ରାଟଙ୍କ ପାଖକୁ ଯାଇ ଆହାର ମାଗିଲେ।

ସମ୍ରାଟ ଦେଖିଲେ ଯେ, ବସି ଖାଇବାକୁ ଦେଲେ ଅକର୍ମା ସଂଖ୍ୟା ବଢ଼ିବ। ସୁତରାଂ ସେମାନଙ୍କୁ ଇମାମବାଡ଼ା ବା ବୃହତ୍ ପ୍ରାସାଦ ନିର୍ମାଣ କରିବାକୁ କହିଲେ। କିନ୍ତୁ ଲକ୍ଷ ଲକ୍ଷ ଲୋକ କାମ କରିବାକୁ ଆରମ୍ଭ କଲେ ଅଳ୍ପ ଦିନରେ ପ୍ରାସାଦ ନିର୍ମାଣ ସରିଯିବ। ଆହୁରି ମଧ୍ୟ ଭଦ୍ରଲୋକେ ଇତର ଲୋକଙ୍କ ସଙ୍ଗେ କାମ କରିବାକୁ ଲଜ୍ଜାବୋଧ କଲେ। ଏସବୁ ବିଚାର କରି ବୁଦ୍ଧିମାନ  ଆସଫଉଦ୍ଦୌଲା ଇତର ଓ ଭଦ୍ରମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରିଦେଲେ। ଇତର ଲୋକେ ଦିନବେଳେ ଯାହା ନିର୍ମାଣ କରନ୍ତି, ଭଦ୍ରଲୋକ ରାତିରେ ତାହାକୁ ଭାଙ୍ଗି ସମାନ କରିଦିଅନ୍ତି। ଏହିପରି ଭାବରେ ତାଙ୍କର ପ୍ରଜା ବର୍ଗଙ୍କୁ ଅନ୍ନଦାନ କରିଥିଲେ। ଏଇ ଇମାମବାଡ଼ାର ପ୍ରବେଶ ଦ୍ୱାରରେ ଲେଖାଅଛି-

‘‘ଯିସ୍‌କୋ ନା ଦେୟେ ମୌଲା | ଉସ୍‌କୋ ଦେୟେ ଆସଫଉଦ୍ଦୌଲା।’’

ଅର୍ଥାତ୍ ଭଗବାନ ଯାହାକୁ ଖାଇବାକୁ ନ ଦିଅନ୍ତି, ଆସଫଉଦ୍ଦୌଲା ତାହାକୁ ଅନ୍ନ ଦିଅନ୍ତି।

ଇମାମବାଡାରେ ଗୋଟିଏ ପ୍ରକାଣ୍ଡ ହଲ୍‌ ଅଛି। ଏହି ହଲ୍‌ଟି ୧୫୦ ଫୁଟ୍ ଦୀର୍ଘ, ୫୦ ଫୁଟ୍ ପ୍ରସ୍ଥ ଓ ୬୦ ଫୁଟ୍ ଉଚ୍ଚ ଏବଂ ଏହା ନବାବଙ୍କର ଅଭିନୟ ଗୃହ ରୂପେ ବ୍ୟବହୃତ ହେଉଥିଲା। ଉପରେ ବେଗମମାନଙ୍କର ଦେଖିବା ସକାଶେ ସୁନ୍ଦର ବନ୍ଦୋବସ୍ତ ଅଛି। ଏତେବଡ଼ ହଲ୍‌ଟି କେବଳ ଗୋଟିଏ ଖିଲାଣ ଉପରେ ନିର୍ମିତ ଓ ଏହାର କାନ୍ଥଗୁଡ଼ିକ ୪୦ ଫୁଟ୍ ଓସାର ଏହି କାନ୍ଥ ଭିତରେ ବେଗମ୍‌ମାନଙ୍କର ଲୁଚକାଳି ଖେଳିବା ପାଇଁ ବହୁତ ସୁଡ଼ଙ୍ଗ ଅଛି। ଆମ୍ଭମାନଙ୍କର ପଥ ପ୍ରଦର୍ଶକ ଗୋଟିଏ ସ୍ଥାନରେ ଆମକୁ ଛାଡ଼ିଦେଇ ଚାଲିଗଲା। ଆମେ ଅଧଘଣ୍ଟା କାଳ ବୁଲି ବୁଲି ବାହାରକୁ ଆସିପାରିଲୁ ନାହିଁ। ଅଥଚ ଆମ୍ଭମାନଙ୍କର ଓ ବାହାରକୁ ଯିବା ରାସ୍ତା ମଧ୍ୟରେ କେବଳ ୬ ଇଞ୍ଚ ଚୌଡ଼ା ଓ ଗୋଟିଏ କାନ୍ଥର ବ୍ୟବଧାନ।

ଇମାମବାଡା ପ୍ରଭୃତି ଦେଖିସାରି ରେସିଡେନସ ଦେଖିବାକୁ ଗଲୁ। ସିପାହୀବିଦ୍ରୋହ ସମୟରେ ସାହେବମାନେ ଏହି ଦୁର୍ଗରେ ଆଶ୍ରୟ ନେଇଥିଲେ। ଅବଶେଷରେ ଲକ୍ଷ୍ନୌ ଦର୍ଶନ ଶେଷ ହୋଇଗଲାରୁ, ଆମେ ପୁଣି କାନପୁରକୁ ଫେରିଆସିଲୁ ଓ ସେଠାରୁ ଆଲିଗଡ଼ ଆଡକୁ ଯାତ୍ରା କଲୁ।

ରାତିଯାକ ସାଇକଲ୍ ଚଳାଇବାକୁ ହେଲା ଭାରି ନିଦ ମାଡ଼ୁଥାଏ ଅବଶେଷରେ ଏପରି ହେଲା ଯେ, ଆଇ ନିଦ ସମ୍ଭାଳି ନପାରି ଗୋଟିଏ ପୋଲ ଉପରେ ପ୍ରାୟ ୨ ଘଣ୍ଟା ଶୋଇ ପଡ଼ିଲୁ

ମ‌ଇ ୧୮ ଓ ୧୯ ତାରିଖ। କାନପୁରରୁ ଆଲିଗଡ଼ ୧୬୪ ମାଇଲ୍। ମଝିରେ ୧୨୨ ମାଇଲ୍ ଦୂରରେ କେବଳ ଗୋଟିଏ କ୍ଷୁଦ୍ର ସହର ଅଛି। ତାର ହେଉଛି  Etah। କାନପୁରରୁ ଏକାଥରକେ Etahରେ ପହଞ୍ଚିବା ଇଚ୍ଛାରେ ସନ୍ଧ୍ୟାବେଳକୁ ବାହାରିଲୁ। ରାତିଯାକ ସାଇକଲ୍ ଚଳାଇବାକୁ ହେଲା। ଭାରି ନିଦ ମାଡ଼ୁଥାଏ। ଅବଶେଷରେ ଏପରି ହେଲା ଯେ, ଆଇ ନିଦ ସମ୍ଭାଳି ନପାରି ଗୋଟିଏ ପୋଲ ଉପରେ ପ୍ରାୟ ୨ ଘଣ୍ଟା ଶୋଇ ପଡ଼ିଲୁ। ସେତେବେଳେ ରାତି ୨ଟା। ପୁଣି ଉଠି ସାଇକେଲ୍ ଚଳାଇବାକୁ ଲାଗିଲୁ ଓ ସକାଳ ହେଲାବେଳକୁ ଦେଖାଗଲା ଯେ Etah ସେଠାରୁ ଆଉ ୧୮ ମାଇଲ୍।

ପାଣି ପିଇବା ଆଶାରେ ଗୋଟିଏ ବଗିଚା ଭିତରେ ପଶିଲୁ। ଭିତରକୁ ଯାଇ ଜାଣିପାରିଲୁ ଯେ, ଏହା ଗୋଟିଏ ଜମିଦାରଙ୍କ ଗ୍ରାମ୍ୟ ଭବନ। ଆମେ ପାଣି ପିଇବାକୁ ଆସିଛୁ ଶୁଣି ଜମିଦାର ପୁତ୍ର ଆମକୁ ଛାଡ଼ିବାକୁ ଏକାବେଳକେ ନାରାଜ। ସେ ଆମକୁ ସେଠି ସେଦିନଟା ରହିବାକୁ ବାଧ୍ୟ କଲେ। ଘୋଡ଼ା ଚଢ଼ା ଓ ଶିକାର ପ୍ରଭୃତିରେ ସେଦିନଟା ଆମର ବେଶ୍ କଟିଗଲା।

ପରଦିନ ସେଠାରୁ ବାହାରି ରାତି ସାଢ଼େ ୧୦ଟା ବେଳେ ଆଲିଗଡ଼ରେ ପହଞ୍ଚିଲୁ। ସେତେବେଳକୁ ନଗରୀ ସୁଷୁପ୍ତିମଗ୍ନା। ସୁତରାଂ କେଉଁଠି ରହିବା, କ’ଣ ଖାଇବା, କିଛି ସ୍ଥିର କରିନପାରି ଗୋଟାଏ ପୋଲ ଉପରେ ବୁଲୁଥିବା ବେଳେ ଜନୈକ ମୁସଲମାନ ଭଦ୍ରଲୋକଙ୍କୁ ଭେଟିଲୁ। ଆମର ଅବସ୍ଥା ଦେଖି ସେ ସାନନ୍ଦରେ ଆମ୍ଭମାନଙ୍କୁ ତାଙ୍କ ଘରକୁ ଡାକିନେଲେ।  ସେଠି ଆମର ସବୁ ସୁବିଧା ହୋଇଗଲା। ଭଗବାନଙ୍କୁ ଧନ୍ୟବାଦ ଦେଇ ପରିଶ୍ରାନ୍ତ ଶରୀରରେ ଶୋଇ ପଡ଼ିଲୁ।

ଆଲିଗଡ଼ Universityଟି ସୁବୃହତ୍। ଏହାର Science Laboratory ଗୁଡ଼ିକ ଭାରତରେ ସବୁଠାରୁ ବଡ଼। କଲେଜର ହଷ୍ଟେଲ୍‌ରେ ୪୦୦୦ ଛାତ୍ରଙ୍କର ରହିବାର ବ୍ୟବସ୍ଥା ଅଛି। Universityର Market, Museum, Botanical Garden, Swiming house ପ୍ରଭୃତି ଦେଖିଲୁ। ଏଠାରେ Universityର Vice -Chancellor, Sir Syed Ross Masudଙ୍କ ସଙ୍ଗେ ଦେଖା ହେଲା। ସେ ଆମ୍ଭମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଆମ କଲେଜ ବିଷୟରେ ବହୁତ କଥା ପଚାରିଲେ। ତାହା ପରେ ଆହୁରି କେତେକ ବିଶିଷ୍ଟ ଲୋକଙ୍କ ସଙ୍ଗେ ଦେଖା କରିବା ପରେ ଆମେ ପୁଣି ବସାକୁ ଫେରିଲୁ।

ମ‌ଇ ୨୦ ତାରିଖ। ସକାଳୁ ଉଠି ପୃଥିବୀର ସପ୍ତମ ଆଶ୍ଚର୍ଯ୍ୟ ଦେଖିବା ଆଶାରେ ବାହାରିଲୁ। ଆଲିଗଡ଼ରୁ ଆଗ୍ରା ୫୩ ମାଇଲ। ପ୍ରାୟ ୧୧ଟା ବେଳେ ସେଠି ପହଞ୍ଚି ଜଣେ ପ୍ରଫେସରଙ୍କ ବସାରେ ରହିଲୁ। କିଛିକ୍ଷଣ ବିଶ୍ରାମ ନେଇ ଅଗ୍ରା Fort ଦେଖିବାକୁ ଚାଳିଲୁ। ଏହି ଫୋର୍ଟଟି ଦିନରେ ଦୁଇ ଥର ଖୋଲେ। ଯାହା ହେଉ ଆମେ ଗଲାବେଳକୁ ଖୋଲାଥିଲା। ଦୁର୍ଗଟି ଅତ୍ୟୁଚ୍ଚ ପାଚେରିରେ ବେଷ୍ଟିତ ଓ ପ୍ରାଚୀରଟି ଗୋଟିଏ ସୁଗଭୀର ପରିଖା ଦ୍ୱାରା ସୁରକ୍ଷିତ। ଯମୁନାନଦୀ ଉପରେ ଏହି ଦୁର୍ଗଟି ଅବସ୍ଥିତ।

ଏହି ଦୁର୍ଗରେ ପଶି ଆକବରଙ୍କ ଦରବାର ସ୍ଥାନ, ମୋତି ମସ୍‌ଜିଦ୍‌ ପ୍ରଭୃତି ଦେଖିଲୁ। ସମ୍ରାଟ ସାହାଜାହାନଙ୍କର କାରାଗାର, ରାଣୀ ଯୋଧବାଈଙ୍କ ଉଆସ ପ୍ରଭୃତି ଆମ ଆଖି ଆଗରେ ଇତିହାସଟାକୁ ମେଲାଇ ଦେଲା। ଏହି ଦୁର୍ଗରେ Pipe System ଥିବାର ଦେଖିଲୁ। ଶୀଗ୍ ମହଲ ନାମକ ଗୋଟିଏ ଛୋଟ ଘର ଅଛି। ତା’ ଭିତରେ ପଶିଲାକ୍ଷଣି କାନ୍ଥରେ  ନିଜର ଅସଂଖ୍ୟ ଛବି ପ୍ରତିଫଳିତ ହେଲା। ଦୁର୍ଗଟିର ଚତୁର୍ଦ୍ଦିଗ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ। ଦୁର୍ଗରେ ଗୋଟିଏ ଛୋଟ କାଚ କାନ୍ଥ ସଙ୍ଗେ ଲଗା ହୋଇଛି। ଆକରରେ ତାହା ଗୋଟିଏ ପାହୁଲା ପରି। ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏହା ଭିତରକୁ ଅନାଇଲେ ୬ ମାଇଲ୍ ଦୂରବର୍ତ୍ତୀ ତାଜମହଲ ଛବି ସମ୍ପୂର୍ଣ୍ଣ ରୂପେ ଦେଖାଯାଏ।

ଅବଶେଷରେ ସେହି ପୃଥିବୀ ବିଖ୍ୟାତ ତାଜମହଲ ଦେଖିବାକୁ ଗଲୁ। ଭିତରେ ଯାଇ ଯାହା ଦେଖିଲୁ, ସେଥିରେ ବିସ୍ମୟରେ ଅବାକ୍ ଓ ସ୍ତବ୍ଧ ହୋଇ ରହିଲୁ। ଛବିରେ ଦେଖି ଭାବିଥିଲୁ ଯେ, ଗୋଟିଏ କ୍ଷୁଦ୍ର ଅଥଚ ସୁନ୍ଦର ଘର ହୋଇଥିବ। କିନ୍ତୁ ଏହା ଏତେ ବିରାଟ, ଏତେ ସୁନ୍ଦର, ଏତେ ଗମ୍ଭୀର, ତାହା ମୁଁ କଳ୍ପନାରେ ସୁଦ୍ଧା ଭାବି ନଥିଲି। ମମତାଜଙ୍କ ସୌଭାଗ୍ୟକୁ ଅତ୍ୟନ୍ତ ହିଂସା ହେଲା। ତାଙ୍କରି କବର ଦେଖିବାକୁ ଆମେ ଏତେ ଦୂରରୁ ଦୌଡ଼ିଛୁ। ତାଜମହଲ ଦର୍ଶନ ଶେଷ ହେବା ପରେ ଆକବରଙ୍କ କବର, ଏଡ୍‍ମଦ୍ ଉଦ୍ଦୌଲା ପ୍ରଭୃତି କେତୋଟି ସୁନ୍ଦର ପ୍ରାସାଦ ଦେଖି, ଫତେପୁର ସିକ୍ରି ଆଡକୁ ଯାତ୍ରା କଲୁ। ସେଠାରେ ସିକ୍ରିର ଦୂରତ୍ୱ ୨୮ ମାଇଲ୍।

ସିକ୍ରି ଯାଇ ପ୍ରଥମେ ଇତିହାସ ବିଖ୍ୟାତ ଯୁଦ୍ଧକ୍ଷେତ୍ର ଦେଖିବାକୁ ଗଲୁ। ଆଜି ପର୍ଯ୍ୟନ୍ତ ସେ ବିଶାଳ ଯୁଦ୍ଧକ୍ଷେତ୍ର ବାବରଙ୍କ ଜୟାଭିମାନର ମୂକସାକ୍ଷୀ ରୂପେ ପଡ଼ିରହିଛି। ସେଠାରୁ ଆକବରଙ୍କ ଦୁର୍ଗ ଦେଖିଲୁ, ଦୁର୍ଗ ପ୍ରାଚୀରର ଭଗ୍ନାବଶେଷ ମାତ୍ର ଅଛି, ଦୁର୍ଗ ମଧ୍ୟରେ ଅଶ୍ୱଶାଳ, Pipe System, ଦରବାର ଘର ପ୍ରଭୃତି ଦେଖିଲୁ। କବର ସ୍ଥାନଗୁଡ଼ିକ ଅତ୍ୟନ୍ତ ଯତ୍ନ ସହକାରେ ରକ୍ଷିତ ହୋଇଅଛି। ଏସବୁ ଦେଖି ସାରିଲା ପରେ ପୁଣି ଆଗ୍ରାକୁ ଫେରିଆସିଲୁ ଓ ତା’ର ପରଦିନ ଆଲିଗଡ଼ ଗଲୁ। ଏଠାରୁ ଭାରତର ରାଜଧାନୀ ଆଡକୁ ଯିବାର କଥା।

ମ‌ଇ ୨୨ ଓ ୨୩ ତାରିଖ। ସଞ୍ଜବେଳେ ଆଲିଗଡ଼ରୁ ବାହାରିଲ। ଏଠାରୁ ଦିଲ୍ଲୀର ଦୂରତା ୮୪ ମାଇଲ୍ । କିନ୍ତୁ କପାଳ ଦୋଷରେ ଆମକୁ ୧୧୮ ମାଇଲ୍ ଯିବାକୁ ହୋଇଥିଲା। ସେଦିନ ଜ୍ୟୋତ୍ସ୍ନାରେ ଚାରିଆଡ ଆଲୋକିତ ହାଇଥାଏ। ସୁତରାଂ ନିଶ୍ଚିନ୍ତ ମନରେ ଯାତ୍ରା ଆରମ୍ଭ କଲୁ। ପ୍ରାୟ ୫୨ ମାଇଲ୍ ଯିବା ପରେ, ରାତି ୨ଟା ବେଳେ, ଦିଲ୍ଲୀର ରାସ୍ତା ମନେକରି ଭୁଲ୍‌ରେ ମିରାଟ୍ ରାସ୍ତାରେ ପ୍ରାୟ ୧୭ ମାଇଲ୍ ଖଣ୍ଡେ ଚାଲିଗଲୁ। ଅବଶେଷରେ ଭୁଲ୍ ବୁଝିପାରି ପୁଣି ଫେରିଆସି ଦିଲ୍ଲୀ ଆଡକୁ ଚାଲିଲୁ। ସକାଳ ପ୍ରାୟ ୮ଟା ବେଳେ ଯମୁନା ପୋଲ ପାର ହୋଇ ଦିଲ୍ଲୀରେ ପହଞ୍ଚିଲୁ ଓ ଜଣେ ବିହାରୀ ଭଦ୍ରଲୋକଙ୍କ ଘରେ ରହିଲୁ।

ଦିଲ୍ଲୀରେ ଆମେ ଦୁଇ ଦିନ ଥିଲୁ। ନୟାଦିଲ୍ଲୀ ଦିଲ୍ଲୀଠାରୁ ୫ ମାଇଲ୍ ଦୂର, ସେଠାକୁ ଯାଇ ବଡ଼ଲାଟଙ୍କ ପ୍ରାସାଦ Parade Ground ପ୍ରଭୃତି ଦେଖିଲୁ।  ତାହା ପରେ ଆସେମ୍ବଲି ହାଉସ୍ ଓ ଆହୁରି କେତୋଟି ସୁନ୍ଦର ଅଟ୍ଟାଳିକା ଦେଖିଲୁ। ନୟାଦିଲ୍ଲୀ ସହରଟି ଅତ୍ୟନ୍ତ ସୁନ୍ଦର ଓ ପରିଷ୍କୃତ ଓ ଏହାର ଅଧିବାସୀ ପ୍ରାୟ ସମସ୍ତେ ଧନୀ ଓ ଉଚ୍ଚଶିକ୍ଷିତ। ଦିଲ୍ଲୀରେ କୁତବ୍‌ମିନାର ଦେଖିଲୁ। ଏହା କେବଳ ଗୋଟିଏ ଅତ୍ୟୁଚ୍ଚ ସ୍ତମ୍ଭ। ଦିଲ୍ଲୀର ଜୁମ୍ମା ମସ୍‌ଜିଦର ବର୍ହିଦୃଶ୍ୟ ଠିକ୍‌ ଆଗ୍ରା Fortର ଦୃଶ୍ୟ ଭଳି;  କିନ୍ତୁ ଭିତରର ମସଜିଦ୍‌ ଆଗ୍ରାର ମୋତି ମସଜିଦ୍‌ ଠାରୁ ଅଧିକତର ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ।

ମ‌ଇ ୨୪ ତାରିଖ। ଦିଲ୍ଲୀରୁ ପାନିପଥ ଆଡକୁ ଯାତ୍ରା କଲୁ। ପାନିପଥର ଦୂରତା ୫୪ ମାଇଲ୍ ହୋଇଥିବାରୁ ପ୍ରାୟ ୧୦ଟା ବେଳେ ସେଠାରେ ପହଞ୍ଚିଲୁ। ସହର ଠାରୁ କିଛି ଦୂରରେ ଇତିହାସ ବିସ୍ତୃତ ସେହି ଯୁଦ୍ଧକ୍ଷେତ୍ର ଦୃଷ୍ଟିଗୋଚର ହେଲା। ୪/୫ ମାଇଲ୍ ବ୍ୟାପୀ ଖାଲି ପଡ଼ିଆ ପଡ଼ି ରହିଛି। ପାନିପଥରରେ ଦ୍ୱିପ୍ରହରଟା କଟାଇ ପୁଣି ଓପରଓଳି ବାହାରିଲୁ କାର୍ନାଲ୍ ଆଡକୁ। କାର୍ନାଲରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଗଲା। ରାତିଟା ଗୋଟାଏ ଡାକବଙ୍ଗଳାରେ କଟାଇବାର ବନ୍ଦୋବସ୍ତ କଲୁ।

ମ‌ଇ ୨୫ ତାରିଖ। କାର୍ନାଲରୁ ସକାଳେ ବାହାରି ସନ୍ଧ୍ୟା ବେଳେ ଅମ୍ବାଲାରେ ପହଞ୍ଚିଲୁ। ଏଣିକି ଗରମ ଟିକିଏ କମ୍ ପଡ଼ିଲା। ଅମ୍ବାଲାରେ ରାତିଟା କଟାଇ ପରଦିନ ସନ୍ଧ୍ୟାବେଳେ ଜଳନ୍ଦର ଉଦ୍ଦେଶ୍ୟରେ ବାହାରିଲୁ।

ମ‌ଇ ୨୬ ଓ ୨୭ ତାରିଖ। ରାତିଯାକ ସାଇକଲ୍ ଚଳାଇ ପରଦିନ ସକାଳ ୯ଟା ବେଳେ ଜଳନ୍ଦରରେ ପହଞ୍ଚିଲୁ। ଜଳନ୍ଦରରେ ଜାଲିୟାନାବାଗ ଇତ୍ୟାଦି ଦେଖିଲୁ। ରାତିଟା ଜଳନ୍ଦରରେ କଟାଇଲୁ।

ମ‌ଇ ୨୮ ତାରିଖ। ସକାଳେ ଜଳନ୍ଦରରୁ ବାହାରି ପ୍ରାୟ ୧୦ଟା ବେଳେ ଅମୃତ ସହରରେ ପହଞ୍ଚିଲୁ ଓ ସେଠାର କଲେଜର ଜଣେ ପ୍ରଫେସରଙ୍କ ଘରେ ରହିଲୁ। ଦ୍ୱିପ୍ରହରଯାକ ବୁଲି ବୁଲି କଲେଜ ଓ Golden Temple ଦେଖିଲୁ। ସୁନା ଦେଉଳରେ ସ୍ୱଳ୍ପ ମାତ୍ର ସୁନା ଅବଶିଷ୍ଟ ଅଛି। ସଂସ୍କାର ଅଭାବରୁ ଦେଉଳଟି ଧୀରେ ଧୀରେ ବିକୃତ ହୋଇଯାଉଅଛି।

ଅବଶେଷରେ ପ୍ରାୟ ୫ଟା ବେଳେକୁ ଅମୃତସହରରୁ ବାହାରିଲୁ ଓ ସନ୍ଧ୍ୟା ୮ଟା ବେଳେ ଲାହୋରରେ ପହଞ୍ଚିଲୁ। ଏଠାରେ କହିରଖେ ଯେ, ଲାହୋରରେ ୮ଟା ପରେ ସନ୍ଧ୍ୟା ହୁଏ। ଲାହୋରରେ ଜଣେ ପୂର୍ବପରିଚିତ ଭଦ୍ରଲୋକଙ୍କ ଘରେ ରହିଲୁ।

ଲାହୋର ରାଜ୍ୟ ରାବୀ ନଦୀ ଉପରେ ଅବସ୍ଥିତ। ଏଠାରେ ଗୋଟିଏ ପ୍ରକାଣ୍ଡ Museum ଅଛି। ଲାହୋରରେ ସ୍ତ୍ରୀ ଶିକ୍ଷା ବହୁଳ ଭାବରେ ପ୍ରଚଳିତ। କଲେଜରେ ଓ ସ୍କୁଲର ଛାତ୍ରମାନେ ସକାଳୁ ବହିପତ୍ର ଓ ଖାଦ୍ୟଦ୍ରବ୍ୟ ନେଇ ଗୋଟିଏ ପାର୍କକୁ ଯାଆନ୍ତି। ସେଠାରେ ଦିନଯାକ ପଢ଼ାପଢ଼ି କରି ପୁଣି ସନ୍ଧ୍ୟା ବେଳେ ଘରକୁ ଫେରି ଆସନ୍ତି। ଲାହୋରରେ  ଆମ୍ଭେମାନେ କେତୋଟି ପୃଥିବୀ ବିଖ୍ୟାତ Athletଙ୍କ ସଙ୍ଗେ ଦେଖାକଲୁ। ସେମାନେ ସମସ୍ତେ ଭାରତୀୟ। ତାଙ୍କ ପାଖରୁ ଖେଳ ବିଷୟରେ ଅନେକ ଉପଦେଶ ଗ୍ରହଣ କଲୁ। ଏଠାରେ ହକି ଖେଳଟି ଅତ୍ୟନ୍ତ ପ୍ରିୟ।

ଏଠାରେ ଜାହାଙ୍ଗୀର ଓ ନୁରଜାହାନଙ୍କର କବରର ଭଗ୍ନାବଶେଷ ଅଛି। ବିଖ୍ୟାତ ବୀର ରଣଜିତ୍ ସିଂହଙ୍କ ଦୁର୍ଗ ଅଦ୍ୟାପି ବର୍ତ୍ତମାନ। ଲାହୋରରେ Rowing ଆଉ ଗୋଟିଏ ପ୍ରିୟ ଖେଳ। ପ୍ରତ୍ୟେକ ସ୍କୁଲ ଓ କଲେଜର ୪/୫ଟି ବୋଟ୍ ଅଛି। ଛାତ୍ର, ଛାତ୍ରୀ ସମସ୍ତେ ସେଥିରେ Rowing କରନ୍ତି।

ମ‌ଇ ୩୦ ତାରିଖ। ଲାହୋରରୁ ରାଉଳପିଣ୍ଡି ୧୫୦ ମାଇଲ୍। ଏତେ ଦୂର ଆସି ଥରେ କାଶ୍ମୀର ନ ବୁଲିଲେ ମନଟା ବଡ଼ ଖରାପ ହେବ। କିନ୍ତୁ କାଶ୍ମୀର ସାଇକେଲରେ ଯିବା ଏକାବେଳକେ ଅସମ୍ଭବ; ବରଂ ଚାଲିକରି ଯିବା ସୁବିଧା। ଜଣେ ଲୋକକୁ ପଚାରି ବୁଝିଲୁ ଯେ ଲାହୋରରୁ ଶ୍ରୀନଗର ପର୍ଯ୍ୟନ୍ତ ବସ୍ ସର୍ଭିସ୍ ଅଛି। ଆହୁରି ମଧ୍ୟ ଶ୍ରୀନଗରରୁ ରାଉଳପିଣ୍ଡିକୁସେହି Bus ଯାଏ। ସୁତରାଂ ଆଉ କାଳବିଳମ୍ବ ନ କରି ସାଇକଲ୍  ଦିଓଟି ରେଳରେ ଲାହୋରରୁ ରାଉଳପିଣ୍ଡି ପର୍ଯ୍ୟନ୍ତ Book କରିଦେଲୁ। କାରଣ ଆମେ Busରେ କାଶ୍ମୀର ବୁଲିଆସି ରାଉଳପିଣ୍ଡିରୁ ସାଇକେଲରେ ପେଶାଉଆର ଯାଇପାରୁଁ।

ଅବେଶଷରେ ବସ୍‌ରେ ଚଢ଼ି ୩୦ ତାରିଖ ଦିନ ସକାଳ ୯ଟା ବେଳେ ଭୂସ୍ୱର୍ଗ ଅଭିମୁଖରେ ଯାତ୍ରାକଲୁ। କାଶ୍ମୀର ଦୁଇଟି ପ୍ରଦେଶରେ ବିଭକ୍ତ- କାଶ୍ମୀର ଓ ଜାମ୍ମୁ। ଜାମ୍ମୁ ସହର ଜାମ୍ମୁ ପ୍ରଦେଶରେ ଦୁଇ ଜଣ ଗଭର୍ଣ୍ଣର ଅଛନ୍ତି ଓ ତାଙ୍କ ଉପରେ କାଶ୍ମୀରର ମହାରାଜ ମଧ୍ୟ ଅଛନ୍ତି। ପ୍ରତ୍ୟେକ ରାଜଧାନୀରେ ଗୋଟିଏ ଲେଖାଏଁ କଲେଜ ଅଛି।

ଯାହା ହେଉ, ଆମ ସଙ୍ଗରେ ଜାମ୍ମୁ, କଲେଜର ଜଣେ କେମିଷ୍ଟ୍ରି ପ୍ରଫେସର ବସ୍‌ରେ ଉଠିଲେ। ତାଙ୍କ ସଙ୍ଗେ କଥାବାର୍ତ୍ତା କରୁ କରୁ ଜାଣିଲୁ ଯେ, ଜାମ୍ମୁ କଲେଜରେ ପ୍ରାୟ ୫୫୦ ଛାତ୍ର ଓ ୭ଟି ଛାତ୍ରୀ ପଢ଼ନ୍ତି। ସେ କହିଲେ ଯେ, କାଶ୍ମୀରୀ ଲୋକେ ସ୍ତ୍ରୀ ଶିକ୍ଷାର ଅତ୍ୟନ୍ତ ବିରୋଧୀ। ଏହିପରି ଗଳ୍ପ କରୁ କରୁ ଆମ ଲରୀ ସିଆଲକୋର୍ଟରେ ଆସି ପହଞ୍ଚିଲା।

ସେ ଭଦ୍ରଲୋକଙ୍କ ସଙ୍ଗେ ସିଆଲୋକୋଟରେ Sports goods Factory ଦେଖିବାକୁ ଗଲୁ। ଭିନ୍ନ ଭିନ୍ନ କମ୍ପାନିଙ୍କର ପ୍ୟାକ୍ଟରୀ ଅଛି, କିନ୍ତୁ ସେମାନଙ୍କ ଭିତରେ U.B Roc କମ୍ପାନିର ଫ୍ୟାକ୍ଟରୀଟି ସବୁଠାରୁ ଭଲ। କିଛି କ୍ଷଣ ସେଠାରେ କଟାଇ ପୁଣି ଲରୀରେ ବସି ଜାମ୍ମୁ ଆଡକୁ ଚାଲିଲୁ। ଜାମ୍ମୁରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା। ରାତିଟା ସେହିଠାରେ କଟାଇବା କଥା। ରାତିଟା Bus Service ଅଫିସ୍ ଘରେ କଟାଇ ଦେଲୁ।

ମ‌ଇ ୩୧ ତାରିଖ। ଜାମ୍ମୁ ସହର ଦେଖିବାକୁ ବାହାରିଲୁ। ସହରଟା ଗୋଟାଏ ପାହାଡର ଚୂଡ଼ାରେ ଅବସ୍ଥିତ। ଜାମ୍ମୁ ପର୍ଯ୍ୟନ୍ତ ରେଳଲାଇନ୍ ଆସିଛି। ଏଣିକି ଆଉ ଟ୍ରେନ୍ ନାହିଁ। ସହର ଭିତରେ କିଛି କ୍ଷଣ ବୁଲି କଲେଜ ଦେଖିବାକୁ ଗଲୁ। କଲେଜ ଭିତରକୁ ଗଲାକ୍ଷଣି ଛାତ୍ରମାନେ ଆମର ଲୁଗାପଟା ଆଡକୁ ଆଶ୍ଚର୍ଯ୍ୟ ଭାବରେ ଚାହିଁବାକୁ ଲାଗିଲେ। ଯାହାହେଉ ତାଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କରି କଲେଜଟା ଭଲ କରି ଦେଖିଲୁ। ଏପାଖର ସ୍ତ୍ରୀପୁରୁଷଙ୍କ ବେଶଭୂଷା ସମାନ। କେବଳ ସ୍ତ୍ରୀମାନେ ମୁଣ୍ଡରେ  ଗୋଟାଏ ଚାଦର ବା ଓଢ଼ଣା ପକାନ୍ତି। ଅବଶେଷରେ ପ୍ରାୟ ୧୦ଟା ବେଳକୁ Bus Serviceର ଅଫିସ୍‌ ଘରକୁ ଫେରିଆସିଲୁ। କାରଣ ସେତିକିବେଳକୁ ଲରୀ ଶ୍ରୀନଗର ଆଡକୁ ଛାଡ଼ିବ କଥା। ଲରୀରେ ଆସି ବସିଲୁ।

ଆମର ସହଯାତ୍ରୀ ଭାବରେ ଗୋଟିଏ ପଞ୍ଜାବୀ ପରିବାର ଓ ଦୁଇ ଜଣ ଯୁବକ। ଏହି ଦୁଇ ଜଣ କାଶ୍ମୀରର Cavalry Officer। ଗରମ ସମୟଟା ଶ୍ରୀନଗରରେ କଟାଇବାକୁ ଯାଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଜାମ୍ମୁର ଗଭର୍ଣ୍ଣରଙ୍କ ପୁଅ। ତାଙ୍କ ସଙ୍ଗେ ଭଲରକମ ବନ୍ଧୁତ୍ବ କଲୁ। ଜାମ୍ମୁ ପର୍ଯ୍ୟନ୍ତ ରାସ୍ତା ପ୍ରାୟ ସମତଳ ପାଇଥିଲୁ; କିନ୍ତୁ ଏଣିକି ସବୁ ପାହାଡ଼ିଆ। ରାସ୍ତା ଧୀରେ ଧୀରେ ଉଚ୍ଚରୁ ଉଚ୍ଚତର ଉଠିବାକୁ ଲାଗିଲା। ଏତିକିବେଳେ ରାସ୍ତାର ପ୍ରାୟ ୧୦୦୦ ଫୁଟ ତଳେ ଚିନାବ ନଦୀ ଦେଖାଗଲା। ଏତେ ଉଚ୍ଚରୁ ମନେହେଲା ଯେ ନଈ ୧୦/୧୨ ଫୁଟ ଚୌଡ଼ା। କଥା ପଡ଼ୁପଡ଼ୁ ଭରତ ସିଂ (ଗଭର୍ଣ୍ଣରଙ୍କ ପୁଅ) କହିଲେ ଯେ, ଚିନାବ ନଈ ପାଞ୍ଚଟା ପାହାଡ଼ର ଚାରିପାଖରେ ବୁଲିଛି। ଏହି ପାଞ୍ଚପାହାଡ଼ ହେଉଛି କାଶ୍ମୀରର ଯାବଜ୍ଜୀବନ କରାବାସର ସ୍ଥାନ।

ଭରତ ସିଂହ ମୋର ନଈ ପହଁରିବା କଥା ମନେ ପକାଇଦେଲେ ମୁଁ ସାନନ୍ଦରେ ଲୁଗାପଟା ବଦଳାଇ ନଈକୁ ଗଲି କୂଳରେ ଯାଇ ପହଞ୍ଚିଲା ବେଳେ ନଦୀର ଗର୍ଜନରେ କାନ ବଧିର ହୋଇଗଲା ୧୫ ଫୁଟ୍ ଚୌଡ଼ା ନଈ ୬୦ ଫୁଟ୍ ଭଳି ଦେଖାଗଲା ନଈ ଭିତରେ ବଡ଼ ବଡ଼ ପଥର ସବୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି

ଲୋକେ ଏହା ଭିତରକୁ ଗଲେ ଆଉ ବାହାରି ପାରିବେ ନାହିଁ। ମୁଁ ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟବୋଧ କଲି। କାରଣ ୧୫ ଫୁଟ୍ ଚୌଡ଼ା ଗୋଟାଏ ନଈରୁ ଯେ କେହି ପହଁରି ପାର ହୋଇପାରେ; କିନ୍ତୁ ଭରତ ସିଂ କହିଲେ ଯେ, ସେମାନେ କେଭେ ପାର ହୋଇପାରିବେ ନାହିଁ। କାରଣ ପଚାରିବାରୁ ସେ ମୋତେ ନିଜେ ପରୀକ୍ଷା କରି ଦେଖିବାକୁ କହିଲେ। ମୁଁ ମଧ୍ୟ ନଈଟା ପହଁରି ପାର ହେବାକୁ ରାଜି ହେଲି। ଯାହାହେଉ ଏହିପରି ଭାବରେ ଦିନଟା କଟିଗଲା ଓ ଉପରଓଳି ଲରୀ Khud (ଖୁଦ୍) ନାମକ ଗୋଟିଏ ସ୍ଥାନରେ ପହଞ୍ଚିଲା। ରାତିଟା ଏଇଠି କଟାଇବା କଥା। ଏହି ସ୍ଥାନ ପାଖ ଦେଇ ଚିନାବ ନଦୀ ବୋହି ଯାଉଥାଏ। ଭରତ ସିଂହ ମୋର ନଈ ପହଁରିବା କଥା ମନେ ପକାଇଦେଲେ।

ମୁଁ ସାନନ୍ଦରେ ଲୁଗାପଟା ବଦଳାଇ ନଈକୁ ଗଲି। କୂଳରେ ଯାଇ ପହଞ୍ଚିଲା ବେଳେ ନଦୀର ଗର୍ଜନରେ କାନ ବଧିର ହୋଇଗଲା। ୧୫ ଫୁଟ୍ ଚୌଡ଼ା ନଈ ୬୦ ଫୁଟ୍ ଭଳି ଦେଖାଗଲା। ନଈ ଭିତରେ ବଡ଼ ବଡ଼ ପଥର ସବୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି। ତା’ ଉପରେ ନଈରେ ଭାରି ସୁଅ, ପାହାଡ଼ ଉପରୁ ବୋହି ଆସୁଛି ବୋଲି ସାଙ୍ଗରେ ବଡ଼ ବଡ଼ ପଥର , କାଠ ଭସେଇ ଆଣୁଛି। ମୋର ସାହସ ଦେଖି ଭରତ ସିଂହ ମୁରୁକି ମୁରୁକି ହସୁଥାନ୍ତି। ହସିବାର କାରଣ ଥଟ୍ଟା ବୋଲି ମନେକରି ମୁଁ ରାଗରେ ନଈ ଭିତରକୁ ଓହ୍ଲାଇଲି। ଗାଧୋଇବା ବା ନଈ ପାରହେବା ଦୂରେ ଥାଉ, ପ୍ରାଣ ବଞ୍ଚାଇବାକୁ ମୋତେ ତତ୍‌କ୍ଷଣାତ୍‌ ଉପରକୁ ଉଠି ଆସିବାକୁ ହେଲା।

ଭୀଷଣ ଶୀତ ସାଙ୍ଗରେ ଗରମ ଲୁଗା କିଛି ନଥାଏ ସୁତରାଂ କୌଣସି ପ୍ରକାରେ ରାତିଟା କଟାଇବାର ଚେଷ୍ଟା ହେଲା ଆମ ମଜା ଆଉ ଦେଖେ କିଏ? ଶୀତରେ ଥର ଥର ହୋଇ ଶେଯ ଉପରେ ବସିଲୁ ଶେଯ ବୋଲି ଖଟିଆ ଉପରେ ଖଣ୍ଡିଏ ଚାଦର ଯାହା ହେଉ ରାତିଟା କଟିଗଲା ଓ ସକାଳେ ଖିଆପିଆ ସାରି ଶ୍ରୀନଗର ଆଡକୁ ଚାଲିଲୁ

ପାଠକେ, ମନେ କରିବେ ନାହିଁ ଯେ, ନଈରେ ବହୁତ କୁମ୍ଭୀର। ଏ ନଈରେ କୁମ୍ଭୀରର ଅଜାଙ୍କର ମଧ୍ୟ ରହିବା ଅସମ୍ଭବ। କାରଣ ନଈ ପାଣି ଭୀଷଣ ଥଣ୍ଡା। ଏତେ ଥଣ୍ଡା ଯେ, ପରଖି ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। ମୋର ଦେହରେ ପାଣି ଲାଗିଲାକ୍ଷଣି ମନେହେଲା, ସତେ ଯେପରି ଦେହର ରକ୍ତ କମିଗଲା। ପ୍ରକୃତରେ ତିନି ଚାରିଦିନ ପର୍ଯ୍ୟନ୍ତ ମୁଁ ହାତ ଦୁଇଟା ଭଲରକମ ହଲାଇ ପାରିନାହିଁ। ଏତେବେଳକୁ ନଈ ପାରି ହୋଇନପାରିବାର ଅସଲ କାରଣ ବୁଝା ପଡ଼ିଲା। ଯାହା ହେଉ ସାଙ୍ଗେ ସାଙ୍ଗେ ଲୁଗାପଟା ବଦଳାଇ ପକାଇଲି। ଚାହାପିଆ ସାରି ଆମର ରହିବା ସ୍ଥାନକୁ ଆସିଲୁ। ସେଠି ଶୋଇବାର ବନ୍ଦୋବସ୍ତ କରିବାକୁ ଲାଗିଲୁ।

ଭୀଷଣ ଶୀତ ସାଙ୍ଗରେ ଗରମ ଲୁଗା କିଛି ନଥାଏ। ସୁତରାଂ କୌଣସି ପ୍ରକାରେ ରାତିଟା କଟାଇବାର ଚେଷ୍ଟା ହେଲା। ଆମ ମଜା ଆଉ ଦେଖେ କିଏ? ଶୀତରେ ଥର ଥର ହୋଇ ଶେଯ ଉପରେ ବସିଲୁ। ଶେଯ ବୋଲି ଖଟିଆ ଉପରେ ଖଣ୍ଡିଏ ଚାଦର। ଯାହା ହେଉ ରାତିଟା କଟିଗଲା ଓ ସକାଳେ ଖିଆପିଆ ସାରି ଶ୍ରୀନଗର ଆଡକୁ ଚାଲିଲୁ। ବାଟରେ ବହୁତ ସ୍ଥାନରେ  ରହିବାର ଘର ପ୍ରଭୃତି ଅଛି। ରାସ୍ତାଟି ପାହାଡ଼ ଉପରକୁ ବୁଲି ବୁଲି ଯାଇଛି। ଗୋଟାଏ ଆଡେ ପାହାଡ ଉଠିଛି ଯେ, ତା’ର ଅଗ ଦେଖାଯାଉନାହିଁ, ପୁଣି ଆରପାଖରେ ଏତେ ଭୀଷଣ ଗଭୀର ଖାଲ ଯେ, ତାର ତଳ ପର୍ଯ୍ୟନ୍ତ ଦେଖିବା ଅସମ୍ଭବ। ଚିନାବ ନଈଟା ସେଠୁ ଗୋଟାଏ ୩/୪ ଫୁଟ ଚୌଡ଼ା ନାଳଭଳି ଦେଖାଯାଉଥାଏ। ରାସ୍ତାରୁ ପାହାଡ଼ର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର।

ଏହିପରି ଦୃଶ୍ୟ ଦେଖୁ ଦେଖୁ ଲରୀ Banihal Pass ନାମକ ଗୋଟାଏ ସୁଡଙ୍ଗ ପାର ହେଲା ଓ ସେଠି କିଛିକ୍ଷଣ ସକାଶେ ରହିଲା। ବାଟଯାକରେ ଏଇଟା ହେଉଛି ସବୁଠାରୁ ଉଚ୍ଚ ସ୍ଥାନ ପ୍ରାୟ ୯୦୦ ଫୁଟ। ରାସ୍ତା ଉପରେ ବରଫ ପଡ଼ିଥିଲା। ଜୀବନରେ ମୁଁ ବରଫ (Snow) କେବେହେଲେ ଦେଖିନଥିଲି। ଖରାଦିନରେ ଘରେ ବସି ଭାବେ ଯେ, ବରଫଗୁଡ଼ାକ ତ ଲୋକେ ଆରାମରେ ଖାଇ ପାରନ୍ତେ: କିନ୍ତୁ ଏଠି ଦେଖିଲି ଯେ ବରଫ ଏକଦମ୍‌ କାଠ ଭଳି ଶକ୍ତ। ତାକୁ ପାଟି ଭିତରେ ଦେଲେ ବି ତରଳୁନାହିଁ। ଏତେ ଥଣ୍ଡା ସେହି ଜାଗାଟା ସମ୍ମୁଖରେ। ହିମାବୃତ୍ତ ନାଙ୍ଗା ପର୍ବତ; ଆଉ ପ୍ରାୟ  ୨୦୦୦ ଫୁଟ୍ ତଳେ Eil of Kasmir ଅଥବା କାଶ୍ମୀର ଉପତ୍ୟକା ଦେଖାଗଲା।

ଏତେ ସୁନ୍ଦର ଦୃଶ୍ୟ ଜୀବନରେ ମୁଁ ଏହି ପ୍ରଥମ ଦେଖିଲି। କାଶ୍ମୀରକୁ ଯେ କାହିଁକି ଭୂସ୍ୱର୍ଗ କହନ୍ତି, ତାହାର କାରଣ ସ୍ପଷ୍ଟରୂପେ ଜଣାଗଲା। କିଛିକ୍ଷଣ ପରେ ପ୍ରାୟ ୧୨ଟା ବେଳକୁ ଲରୀ ପୁଣି ଶ୍ରୀନଗର ଆଡକୁ ଯାତ୍ରାକଲା। ପ୍ରାୟ ୨ଟା ବେଳେ ଆମ୍ଭେ ଶ୍ରୀନଗରରେ ପହଞ୍ଚିଲୁ। ବାଟଯାକ ଖାଲି ଡାଳିମ୍ବ ଗଛ ଭର୍ତ୍ତି। ଫୁଲର ତ କଥା ନାହିଁ, ଶ୍ରୀନଗରରେ ଝେଲମ୍ ନଈ ଉପରେ ଗୋଟାଏ ହୋଟେଲରେ ରହିଲୁ। ଅନେକ ବୋଟହାଉସ୍ ଦେଖାଗଲା। ଏଠାରେ କଲେଜ, ରାଜାଙ୍କର ପ୍ରାସାଦ ଇତ୍ୟାଦି ଦେଖିଲୁ। ସବୁ ଘରଦ୍ୱାର କାଠରେ ତିଆରି।

ଜୁନ୍ ପହିଲା। ରାତିଟା ବହୁ କଷ୍ଟରେ କଟାଇ କାଶ୍ମୀରର ବିଖ୍ୟାତ ବଗିଚା ସାଲିମାର ଓ ନିଷାଦବାଗ ଦେଖିବାକୁ ଗଲୁ। ଶ୍ରୀନଗରରୁ ଏହି ବଗିଚା ଦୁଇଟି ୧୨ ମାଇଲ୍ ଦୂର। ବଗିଚା ଭିତରଯାକ କୃତ୍ରିମ ଝରଣାରେ ଭର୍ତ୍ତି। ବଗିଚାଯାକ ଏତେ ସୁନ୍ଦର ଫୁଲ, ଫଳ, ଘାସ ଓ ଛୋଟ ଛୋଟ ପାହାଡ଼ ଏବଂ ଝରଣାରେ ପୂର୍ଣ୍ଣ ଯେ, ତାହା ମୁଁ କେବେ ହେଁ କଳ୍ପନା ମଧ୍ୟ କରି ନଥିଲି। ଯାହା ହେଉ, ଚକ୍ଷୁ ସାର୍ଥକ ହେଲା। ଯେଉଁ ଆଡ଼କୁ ଅନାଇଲି ସୁନ୍ଦର ଛଡ଼ା କୁତ୍ସିତ କିଛି ଦେଖିଲି ନାହିଁ। ନର, ନାରୀ, ଫଳ, ପୁଷ୍ପ, ପାହାଡ଼ ପର୍ବତ ଯାହା ଦେଖିଲି, ସବୁ ସୁନ୍ଦର। ଏଠାରେ କିଛି ଦିନ ରହିବାକୁ ଇଛା ହେଲା ସତ, କିନ୍ତୁ ଅର୍ଥାଭାବରୁ ତାହା ହୋଇପାରିଲା ନାହିଁ।

ଜୁନ୍ ୨ ଓ ୩ ତାରିଖ। ମନକଷ୍ଟରେ ପୁଣି ଆସି ଲରୀରେ ବସିଲୁ। ନିର୍ଦ୍ଦୟ ଲରୀଟା କାଶ୍ମୀରର ସୌନ୍ଦର୍ଯ୍ୟରୁ ଆମକୁ ଦୂରକୁ ନେଇଗଲା। ନାଚାର ହୋଇ ଭବିଷ୍ୟତ ଚିନ୍ତା କରିବାକୁ ଲାଗିଲି। ସାଇକଲ୍ ରାଉଲପିଣ୍ଡିକୁ ଆସିଥିବ କି ନାହିଁ, ଇତ୍ୟାଦି କଥା ଭାବୁ ଭାବୁ, ଲରୀ ଆସି Murru ନାମକ ଗୋଟିଏ ସ୍ଥାନରେ ପହଞ୍ଚିଲା। ଏଇଟା ଗୋଟାଏ English Colony- ଯାବତୀୟ ସାହେବଙ୍କର ଆଡ୍ଡା। ସ୍ଥାନଟି ଅତ୍ୟନ୍ତ ଥଣ୍ଡା। ବୁଲି ବୁଲି ସହରଟା ଦେଖି ପୁଣି ଲରୀରେ ଆସି ବସିଲୁ। ଅବଶେଷରେ ଲରୀ ରାଉଲପିଣ୍ଡି ଆଡକୁ ଚାଲିଲା। ପ୍ରାୟ ୫ଟା ବେଳେ ରାଉଲପିଣ୍ଡିରେ ପହଞ୍ଚିଲୁ। ଷ୍ଟେସନରେ ଯାଇ ପଚାରି ବୁଝିଲୁ ଯେ, ସାଇକେଲ୍ ଦୁଇଦିନ ଆଗରୁ ଆସି ରହିଛି। ସାଙ୍ଗେ ସାଙ୍ଗେ ସାଇକେଲ ନେଇ ବିଛଣାପତ୍ର ବନ୍ଧାବନ୍ଧି କରି ପେଶୋୟାର ଆଡକୁ ବାହାରିଲୁ।

ସେତେବେଳକୁ ସନ୍ଧ୍ୟା ହୋଇଯାଇଥାଏ। ଲୋକମୁଖରୁ ଶୁଣିଥିଲୁ ଯେ, ବାଟରେ ଆଫ୍ରିଦିଙ୍କର ଭାରି ଡର। ଜଣେ ସାହେବ କହିଥିଲେ ଯେ, They will shoot you, if they can get only the price of the cartridge.” ଯାହା ହେଉ ଆମେ ନାଛୋଡବନ୍ଧା। ରାସ୍ତା ଅଳ୍ପ ଟିକିଏ ଉଠାଣି ପଡ଼ିଲା। ବାଟଯାକ ଦୁଇପାଖ ଅଙ୍ଗୁର ଗଛରେ ଭର୍ତ୍ତି। ପେନ୍ଥା ପେନ୍ଥା ହୋଇ ଅଙ୍ଗୁର ଝୁଲୁଥିବାର ଦେଖି ଖାଇବାର ବଡ଼ ଲୋଭ ହେଲା। ଖୁସିରେ ଗୋଟାଏ ଛିଣ୍ଡାଇ ପାଟିରେ ପକାଇଲି। କିନ୍ତୁ ଓଃ, କି ଖଟା! ଖୋଜି ଖୋଜି ଦେଖିଲି ଯେ, ଗୋଟିଏ ମଧ୍ୟ ପାଚିନାହିଁ। କପାଳ ଖରାପ! ଇଂରାଜୀରେ କଥା ଅଛି, “Grapes are sour, when they can not be had”, କିନ୍ତୁ ମୁଁ କହେ “They are also sour when not ripe”, ସୁତରାଂ Proverbଟି ବଦଳାଇବା ଉଚିତ୍।

ଜୁନ୍ ୪ ତାରିଖ। ନିର୍ବିଘ୍ନରେ ରାତିଟା କଟିଗଲା ଓ ଦିନ ପ୍ରାୟ ୧୦ଟା ବେଳକୁ ପେଶୋୟାର ସହରରେ ପହଞ୍ଚିଲୁ। ଗୋଟିଏ ପୋଷ୍ଟ ଅଫିସକୁ ଚିଠି ପକାଇବାକୁ ଯାଇ ସେଠାରେ ପୋଷ୍ଟ ମାଷ୍ଟରଙ୍କ ସଙ୍ଗେ ପରିଚିତ ହେଲୁ ଓ ସେ ଆମ୍ଭମାନଙ୍କୁ ତାଙ୍କ ସାଙ୍ଗରେ ରହିବାକୁ କହିଲେ। ଆମେ ରାତିରେ ଆସିଛୁ ଶୁଣି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ବୋଧକଲେ, କହିଲେ ଯେ ଆମର କପାଳ ଭଲ ବୋଲି ପ୍ରାଣରେ ବଞ୍ଚି ଆସିଛୁ।

ଏ ପାଖରେ ଆଫ୍ରିଦିମାନେ ଚଳନ୍ତା ଟ୍ରେନ୍ ଅଟକାଇ ଲୁଟ୍ କରନ୍ତି। ଆମେ ଏଠି Khyber Pass ଦେଖିବାକୁ ଇଛା କରିଥିଲୁ; କିନ୍ତୁ ପୁଲିସଙ୍କ କୃପାରୁ ହୋଇପାରିଲା ନାହିଁ। ସୁତରାଂ Peshawar contonmentକୁ ଯାଇ, ସେଠାରେ ସୈନ୍ୟ ଦଳର ରହିବା ସ୍ଥାନ ପ୍ରଭୃତି ଦେଖିଲୁ ଓ ତା ପରଦିନ ସକାଳେ ଟ୍ରେନରେ ଚଢ଼ି ଗୃହ ଆଡକୁ ପ୍ରତ୍ୟାବର୍ତ୍ତନ କଲୁ। ଟ୍ରେନରେ ପେଶୋୟାରରୁ କଟକ ତିନିଦିନର ରାସ୍ତା।

(‘ବୁଲାନିଶା’ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନିଜ ଭ୍ରମଣର ଅନୁଭୂତି। ଏହି ଲେଖାଟି ୧୯୩୪ ମସିହାରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୩୮ଶ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ଏହା ହେଉଛି ବିଜୁବାବୁ ରେଭେନ୍‌ସାରେ ପଢ଼ିଲା ବେଳେ କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ) ଯେଉଁ ସାଇକେଲ ଯାତ୍ରା କରିଥିଲେ, ତା’ର ଦୁଃସାହସିକ କାହାଣୀ।)

(୧୯୯୨ ମସିହାରେ ଏହାକୁ ଏକ ପୁସ୍ତକର ରୂପ ଦେଇଥିଲେ କଟକ ଷ୍ଟୁଡେଣ୍ଟସ ଷ୍ଟୋର। ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ଥିଲେ ଏହାର ପ୍ରକାଶନ ଉପଦେଷ୍ଟା। ତାଙ୍କରି ଉଦ୍ୟମରେ ତଥା ସାହିତ୍ୟିକ ଡକ୍ଟର ବାଉରିବନ୍ଧୁ କରଙ୍କ ଆଗ୍ରହକ୍ରମେ ପ୍ରକାଶିତ ଏହି ପୁସ୍ତକ ଏକ ଭ୍ରମଣ ସାହିତ୍ୟ ଭାବେ ଆଦୃତ ହୋ‍ଇପାରିଛି। ବିଜୁବାବୁଙ୍କ ଉଦ୍ଦାମ, ଉଚ୍ଚାଭିଳାଷୀ ତଥା ସ୍ୱପ୍ନପ୍ରବଣ ତାରୁଣ୍ୟର ଏକ ଚମତ୍କାର ଅଭିବ୍ୟକ୍ତି ‘ବୁଲାନିଶା’।)

Tags: #BijuPatnaik #BulaNisha #CuttackPeshawarCycleJourney #Odisha

LEAVE A REPLY

Please enter your comment!
Please enter your name here