ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ  ସବୁ ସ୍କୁଲରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠପଢ଼ା ବନ୍ଦ ରହିବ। ଏହାବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଜୁନ୍ ମାସ ୧୬ ତାରିଖ ଯାଏଁ ଏହି ଖରା ଛୁଟି ହେବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

“ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଆଗୁଆ ଖରା ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମେ’ ମାସ ୪ ତାରିଖରୁ ଏହି ଖରା ଛୁଟି ହେବାର ସ୍ଥିର କରଯାଇଥିଲା। ଏବେ ଜୁନ୍ ମାସ ୧୭ ତାରିଖରୁ ସବୁ ସ୍କୁଲ ଖୋଲିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି”, କହିଛନ୍ତି ସମୀର ରଞ୍ଜନ ଦାଶ।

ସେ ଆହୁରି ମଧ୍ୟ କହିଛନ୍ତି, “ଅନ୍ୟପଟେ ପିଲାଙ୍କ ପାଠପଢ଼ାରେ ଯେପରି ବାଧା ସୃଷ୍ଟି ନ ହୁଏ, ସେଥିଲାଗି ଏ ବର୍ଷ ଆମେ ଅବକାଶକାଳୀନ ଶିକ୍ଷାର ବ୍ୟବସ୍ଥା କରିଛୁ। ଏହାକୁ ନେଇ ବିଭାଗ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଆଗକୁ ଏହି ପାଠ୍ୟକ୍ରମର ସିଲାବସ ମଧ୍ୟ ଜାରି କରାଯିବ”

ଚଳିତବର୍ଷ ଓଡ଼ିଶାର ସବୁ ସ୍କଲୁରେ ମେ’ ମାସ ୪ ତାରିଖରୁ ଜୁନ୍ ମାସ ୧୬ ତାରିଖ ଯାଏଁ ଗ୍ରୀଷ୍ମକାଳୀନ ଛୁଟି ହେବାର ଥିଲା। ଏବେ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଖରାକୁ ନଜର ରଖି ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି।

ଓଡ଼ିଶାରେ ଏପ୍ରିଲ ୩ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହୋଇଥିଲା। ରାଜ୍ୟରେ ପ୍ରବଳ ଖରାକୁ ନେଇ ଏପ୍ରିଲ ୧୨ ତାରିଖରୁ ୧୬ ତାରିଖ ଯାଏଁ ସ୍କୁଲ ବନ୍ଦ ରହିଥିଲା। ଏହାପରେ ଏପ୍ରିଲ ୧୭ ତାରିଖରୁ ପୁଣି ସ୍କୁଲ ଖୋଲିଥିଲେ ମଧ୍ୟ ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ଆଉ ଦୁଇ ଦିନ ସ୍କୁଲ ଛୁଟି ରଖିବାକୁ ନିର୍ଦେଶ ଦେଇଥିଲେ।

Tags: #Schools #SummerVacation #SchoolClosed #Heatwave #Students #Education #SMEOdisha

 

LEAVE A REPLY

Please enter your comment!
Please enter your name here