ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ନିର୍ବାଚନ ବୈତରଣୀ ପାର ହେବାକୁ ବଡ଼ ନେତାଙ୍କୁ ଛାଡ଼ି ନୂଆ ଚେହେରା ଉପରେ ଭରସା କରିଛି ବିଜେପି।

କର୍ଣ୍ଣାଟକରେ ଆସନ୍ତା ମେ’ ୧୦ ତାରଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ଟିକେଟ ବଣ୍ଟା ପ୍ରାୟ ସରିଗଲାଣି। ୭୦ରୁ ଅଧିକ ନେତାଙ୍କ ଟିକେଟ କାଟି ଦେଇଛି ବିଜେପି। ଫଳରେ ଟିକଟ ନପାଇବାରୁ ବିଜେପିର ବହୁ ବରିଷ୍ଠ ନେତା ଦଳ ଛାଡ଼ି କଂଗ୍ରେସ ଓ ଜେଡିଏସ୍‌ରେ ମିଶୁଛନ୍ତି। ନିର୍ବାଚନରେ ବିଜେପି ପାଇଁ ଏହା ବଡ଼ ଅଡୁଆ ହେବ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି।

ବଡ଼ ବଡ଼ ନେତାଙ୍କୁ ଛାଡ଼ି ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପି ଭରସା କରିଛି ନୂଆ ଚେହେରା ଉପରେ। ନୂଆ ଚେହେରାକୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛି ବିଜେପି। ଟିକେଟ କଟିଥିବା ନେତାମାନେ ବିଜେପିର ଇମେଜ ଖରାପ କରୁଥିଲେ ବୋଲି ଦଳ ପକ୍ଷରୁ କହାଯାଇଛି।

କଂଗ୍ରେସ ସପକ୍ଷରେ ପ୍ରି-ପୋଲ୍ ସର୍ଭେ

ଏଥର ପ୍ରି-ପୋଲ୍ ସର୍ଭେ କଂଗ୍ରେସ ସପକ୍ଷରେ ରହିଛି। ବିଜେପି ସରକାର ପ୍ରତି ପ୍ରବଳ ଅସନ୍ତୋଷ ଭୋଟରଙ୍କୁ କଂଗ୍ରେସ ମୁହାଁ କରାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଠିକ୍ ଏହି ସମୟରେ ଅନେକ ବଡ଼ ନେତାଙ୍କୁ ବିଜେପି ଟିକଟ ଦେଉନଥିବାରୁ ସେମାନେ ଦଳ ଛାଡ଼ି ଅନ୍ୟ ଦଳ ମୁହାଁ ହେଉଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ଏହାର କିଛି ଦିନ ପୂର୍ବରୁ ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭିଡି ବି ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶି ଥିଲେ।

ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟକୁ ନେଇ କଂଗ୍ରେସ ଉତ୍ସାହିତ ଥିବାବେଳେ, ବିଜେପିରୁ ବଡ଼ ନେତାଙ୍କୁ ଦଳରେ ମିଶାଇ କଂଗ୍ରେସ ଅଧିକ ଭୋଟ ଓ ସିଟ୍ ହାସଲ କରିବ ବୋଲି ବିଚାର କରୁଛି। କିଛି ରାଜନୀତି ସମୀକ୍ଷକଙ୍କ ମତରେ ବିଜେପି ବିରୋଧରେ ସରକାର ବିରୋଧୀ ଅନ୍ତଃସ୍ରୋତ, ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ଏବେ ବଡ଼ ବଡ଼ ବିଜେପି ନେତା କଂଗ୍ରେସକୁ ଆସିବା କଂଗ୍ରେସ ପାଇଁ ବୋନସ ସାବ୍ୟସ୍ତ ହୋଇପାରେ।

ବରିଷ୍ଠ ନେତାଙ୍କ ଉପରେ ବିଜେପିର ଭରସା ନାହିଁ

ବିଜେପି ଏଥର କିନ୍ତୁ ଦଳର ଅନେକ ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ଭରସା କରିପାରିନାହିଁ। ଏହି ବରିଷ୍ଠ ନେତା ଏବଂ ପୁରୁଣା ବିଧାୟକଙ୍କ ପାଇଁ ବିଜେପି ବଦନାମ ହୋଇଥିବା କୁହାଯାଉଛି। ସରକାର ବିରୋଧୀ ଜନଅସନ୍ତୋଷକୁ ଦୂର କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ଵ ୭୦ରୁ ଅଧିକ ବିଧାୟକଙ୍କ ଟିକଟ କାଟିବାକୁ ସୁପାରିସ କରିଥିଲେ। ଏହାରି ଆଧାରରେ ଚଳିତ ନିର୍ବାଚନ ପାଇଁ ବିଜେପି ଟିକେଟ ବାଣ୍ଟିଛି।

ଏଥର ୭୦ ବର୍ଷ ପାର୍ କରିଥିବା ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ଟିକଟ ନମିଳିବା ପରେ ଅନେକ ନେତା ବିଜେପି ଛାଡ଼ିଛନ୍ତି। ଆଉ କିଛି ନେତା ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ଟିକେଟ ପାଇନଥିବା ନେତା ଦଳ ଛାଡ଼ିପାରନ୍ତି ବୋଲି ବିଜେପି ଆକଳନ କରିସାରିଥିଲା। ତଥାପି ବିଜେପି ଏହି ନିଷ୍ପତ୍ତିରେ ଅଟଳ ରହିବା ସହ ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବାକୁ ଚେଷ୍ଟା କରୁଛି।

ବିଜେପିର କହିବା ଅନୁସାରେ ଦଳ ନିର୍ବାଚନ ଜିତିବ ଏବଂ ଏଥର ବିଧାନସଭାରେ ଅନେକ ନୂଆ ଓ ଯୁବ ବିଧାୟକଙ୍କୁ ଦେଖିବାକୁ ମିଳିବେ। ସେମାନେ ହିଁ ବିଜେପିର ଯୋଜନାକୁ ଆଗକୁ ନେବେ ଆଶା ରଖିଛି ଦଳ। ଯଦି ବିଜେପିର ଆକଳନ ସତ ହୁଏ ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇତିହାସରେ ପରିବର୍ତ୍ତନ ହେବ। କୌଣସି ଦଳ ଲଗାତର ଦ୍ଵିତୀୟ ଥର ପାଇଁ ସରକାର ଗଠନ କରିବ।

ଲିଙ୍ଗାୟତଙ୍କ ନିୟନ୍ତ୍ରଣରେ କର୍ଣ୍ଣାଟକ ରାଜନୀତି

ଲିଙ୍ଗାୟତମାନେ କର୍ଣ୍ଣାଟକକ ରାଜନୀତିକୁ ସବୁବେଳେ ନିୟନ୍ତ୍ରଣ କରିଆସୁଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟରେ ବିଜେପିର ଏକ ବିରାଟ ଭୋଟ୍ ବ୍ୟାଙ୍କ ରହିଛି। ଜଗଦୀଶ ସେଟ୍ଟାର ଓ ଲକ୍ଷ୍ମଣଙ୍କର ଲିଙ୍ଗାୟତ ସମ୍ପ୍ରଦାୟରେ ଏକ ବିରାଟ ସମର୍ଥନ ରହିଛି। ସେମାନେ ଏବେ କଂଗ୍ରେସରେ ସାମିଲ ହୋଇ ସାରିଛନ୍ତି। ତେଣୁ ସ୍ଵାଭାବିକ ଭାବେ ଲିଙ୍ଗାୟତଙ୍କ ଭୋଟ୍ କଂଗ୍ରେସ ଖାତାକୁ ଅଧିକ ଆସିବ ବୋଲି କଂଗ୍ରେସର ନେତାମାନେ ବିଚାର କରୁଛନ୍ତି।

ଗତ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟରୁ ୫୪ ବିଧାୟକ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ ବିଜେପିର। ଲିଙ୍ଗାୟତ ଭୋଟ୍ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ଭୋଟ ହାତେଇବା ପାଇଁ ଉଭୟ ଦଳ କୌଣସି ଅବହେଳା କରିବାକୁ ଚାହାନ୍ତି ନାହିଁ। ପ୍ରଭାବଶାଳୀ ଲିଙ୍ଗାୟତ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରୁପ୍ପାଙ୍କୁ ଦଳ କଣଠେସା କରିଦେଇଥିଲା।

ପରବର୍ତ୍ତୀ ପରିସ୍ଥିତିରେ ପୁଣି ତାଙ୍କ ଉପରେ ଭରସା କରିଛି ବିଜେପି। ଚଳିତ ନିର୍ବାଚନ ପାଇଁ ତାଙ୍କୁ ପ୍ରଚାର କମିଟିର ନେତୃତ୍ଵ ଦିଆଯାଇଛି। ଯଦି ୟେଦିୟୁରପ୍ପା ଓ ଅନ୍ୟ ଲିଙ୍ଗାୟତ ନେତାମାନେ ବିଜେପି ସପକ୍ଷରେ ଭୋଟ୍ ବଜାୟ ରଖିବାରେ ସଫଳ ହୁଅନ୍ତି ତେବେ କଂଗ୍ରେସ ସପକ୍ଷରେ ଚାଲିଥିବା ଆକଳନ ଓଲଟିଯିବାର ସମ୍ଭାବନା ମଧ୍ୟ ରହିଛି।

ବିଜେପି ରଣନୀତିରେ ଭାଙ୍ଗିଥିଲା କଂଗ୍ରେସ-ଜେଡିଏସ୍ ମେଣ୍ଟ

ଗତ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ଉଭା ହୋଇଥିଲା। କିନ୍ତୁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରି ସରକାର କରିଥିଲେ କଂଗ୍ରେସ ଓ ଜେଡିଏସ୍। ବିଜେପିର ସରକାର ‘ଶିକାର’ ରଣନୀତିରେ କଂଗ୍ରେସ-ଜେଡିଏସ୍ ସରକାର ଗଳିପଡ଼ିଥିଲା। ବିଜେପି ସରକାର ଗଠନ କରିଥିଲା। କଂଗ୍ରେସ ଓ ଜେଡିଏସର ୧୭ ଏମ୍ଏଲ୍ଏ ଇସ୍ତଫା ଦେଇ ତତ୍କାଳୀନ କୁମାର ସ୍ଵାମୀ ସରକାରକୁ ସଂଖ୍ୟା ଲଘୁ କରିଦେଇଥିଲେ। ଏଥର କଂଗ୍ରେସ ଓ ଜେଡିଏସ୍ ଅଲଗା ନିର୍ବାଚନ ଲଢୁଛନ୍ତି।

ସବୁଠି ଚାଲେ ଦଳ ଡିଆଁ

ଦଳ ଡିଆଁ ସବୁ ଦଳ ପାଇଁ ସ୍ଵାଭାବିକ ଘଟଣା। ଏଥିରେ ସବୁବେଳେ ଯେ ଗୋଟିଏ ଦଳ କ୍ଷତିଗ୍ରସ୍ତ ହେବ ତା’ର କୌଣସି ନିଶ୍ଚିତ ଇତିହାସ ନାହିଁ। ବେଳେ ବେଳେ କିଛି ଜିତନ୍ତି ଆଉ କିଛି ପୂରା ଡୁବିଯାଆନ୍ତି। ଏକ ଗଣମାଧ୍ୟମ ସଂସ୍ଥାର ସର୍ଭେ ରିପୋର୍ଟ ଅନୁସାରେ ଦଳଡିଆଁମାନଙ୍କ ପାଇଁ କଂଗ୍ରେସ କିମ୍ବା ବିଜେପି ଟିକଟରେ ଜିତିବାର ସମ୍ଭାବନା ବେଶୀ ରହିଛି। ଅର୍ଥାତ ଚଳିତ ନିର୍ବାଚନରେ ଯଦି ବିଜେପି ଛାଡ଼ି କୌଣସି ନେତା କଂଗ୍ରେସ ଟିକଟରେ ଠିଆ ହୁଅନ୍ତି ତେବେ ଜିତିବାର ସମ୍ଭାବନା ଅଧିକ ରହିଛି। ନିର୍ବାଚନରେ ବିଜୟୀ ହେବା କେବଳ ଦଳୀୟ ସମର୍ଥନ ନୁହେଁ, ବରଂ ବ୍ୟକ୍ତିଗତ ଛବି ବି ଭୋଟରଙ୍କୁ ପ୍ରଭାବିତ କରିଥାଏ।

୨୦୦୮, ୨୦୧୩, ୨୦୧୮ ନିର୍ବାଚନରେ ମୋଟ ୩୪୧ ଦଳଡିଆଁଙ୍କୁ ଟିକଟ ମିଳିଥିଲା। ସେମାନଙ୍କ ମଧ୍ୟରୁ ୭୮ଜଣ ପୁଣି ବିଧାନସଭାକୁ ଯିବାକୁ ସୁଯୋଗ ମିଳିଥିଲା। କିନ୍ତୁ  ୨୦୦୮ମସିହାରେ ୧୦୭ ଦଳଡିଆଁ ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ଦଳରୁ ଲଢ଼ିବାକୁ ସୁଯୋଗ ମିଳିଥିଲା। ସେମାନଙ୍କ ମଧ୍ୟରୁ ୨୫ ଜଣ ଜିତିଥିଲେ। ସେହିପରି ୨୦୧୩ ମସିହାରେ ୧୦୪ ଦଳ ଡିଆଁଙ୍କ ମଧ୍ୟରୁ ୧୬ ଜଣ ଜିତିଥିଲେ। ୨୦୧୮ରେ ୧୩୭ ଦଳଡିଆଁ ନିର୍ବାଚନ ଲଢ଼ିଥିଲେ ଓ ସେମାନଙ୍କ ମଧ୍ୟରୁ ୩୭ ଜଣ ଜିତିଥିଲେ।

ଏହି ୩ଟି ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ ଜିତିବାର ସମ୍ଭାବନା ନଥାଇ ନିଜ ଦଳରୁ ଟିକଟ ହରାଇବା ପରେ ଅନ୍ୟଦଳକୁ ଯାଇ ବିଜୟୀ ହୋଇଛନ୍ତି ପ୍ରାର୍ଥୀ। ଅର୍ଥାତ ଭିନ୍ନ ଭିନ୍ନ କାରଣରୁ ଟିକଟ ପାଇବାର ଯୋଗ୍ୟତା ହରାଇଥିବା ୨୩ ପ୍ରତିଶତ ଦଳଡ଼ିଆଁ ପରବର୍ତ୍ତୀ ସମୟରେ ନିଜର ଦକ୍ଷତା ଓ ଲୋକପ୍ରିୟତା ପ୍ରମାଣିତ କରିଛନ୍ତି।

ଯଦି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଦୁଇଜଣ ଜିତିଲେ ମଧ୍ୟ ତାହା କଂଗ୍ରେସ ପାଇଁ ବୋନସ ସାବ୍ୟସ୍ତ ହେବ। ଏଥର ନିର୍ବାଚନ ଜାତି ସହ ଜନଅସନ୍ତୋଷର ଆଧାରରେ ଲଢ଼ା ହେଉଥିବାରୁ ଆମଦାନୀ ନେତା କଂଗ୍ରେସ ପାଇଁ ଭୋଟ୍ ପ୍ଲସ କରିବେ ବୋଲି ସ୍ପଷ୍ଟ କହିହେବ ନାହିଁ।। ଏହାସହିତ ବିଜେପି ଛାଡ଼ିଥିବା ସବୁ ନେତା ମଧ୍ୟ ବିଜେପି ପାଇଁ ଭୋଟ୍ ମାଇନସ୍ କରିପାରିବାର ଗ୍ୟାରେଣ୍ଟି ମଧ୍ୟ ନାହିଁ। କିନ୍ତୁ ଗତ ଦୁଇଟି ନିର୍ବାଚନରେ ଦଳଡ଼ିଆଁଙ୍କୁ ସ୍ଵାଗତ କରି ବିଜେପି ବେଶୀ ଫାଇଦା ନେଇଛି।

ଅନେକ ନେତା ଆନୁଗତ୍ୟକୁ ଗୁରୁତ୍ଵ ଦିଅନ୍ତି। କିନ୍ତୁ ଏମିତି ବି ବହୁତ ନେତା ଅଛନ୍ତି ଯେଉଁମାନେ ଆନୁଗତ୍ୟ ଅପେକ୍ଷା ବିଧାନସଭା କିମ୍ବା ଲୋକସଭା ପାଇଁ ଟିକେଟକୁ ଗୁରୁତ୍ଵ ଦିଅନ୍ତି। ‘ଟିକଟ ମିଳିଲେ ଭଲ, ନ ମିଳିଲେ ଚାଲ’; ଏମିତି ଡଳଡ଼ିଆଁଙ୍କୁ ରୋକିବା ପାଇଁ ସମ୍ବିଧାନରେ ଆଇନ ରହିଛି। ତଥାପି ଗଳାବାଟ ଦେଇ ଏମାନେ ସରକାର ଭାଙ୍ଗିଦିଅନ୍ତି। ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିଦେଇଥିଲେ। କର୍ଣ୍ଣାଟକରେ କୁମାରସ୍ଵାମୀଙ୍କ ସରକାର ବି ଭାଙ୍ଗିଦେଇଥିଲେ ଏହି ଦଳଡ଼ିଆଁ।

Tags: #Politics #IndianPolitics #KarnatakaAssemblyElection #BJP #Congress #Vote #Voter

Comment