ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ନେତା, ପୂର୍ବତନ ସାଂସଦ, କଟକ ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନଗୋଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି। କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇନ୍ତି।

ସେହିପରି ତାଙ୍କ ବିୟୋଗ ଖବର ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଓଡ଼ିଶା ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି ବୋଲି ଉଭୟ କହିଛନ୍ତି।

ଜନକଲ୍ୟାଣ କାର୍ଯ୍ୟ ପାଇଁ ସ୍ୱର୍ଗତ କାନୁନଗୋ ସର୍ବଦା ସ୍ମରଣୀ ରହିବେ ବୋଲି ମନମୋହନ ସାମଲ କହିଛନ୍ତି। ଅର୍ଥନୀତିଜ୍ଞ ଭାବେ ମଧ୍ୟ ତ୍ରିଲୋଚନ କାନୁନଗୋଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଛାତ୍ର ଜୀବନରୁ ରାଜନୀତିକୁ ଓହ୍ଲାଇ ଥିଲେ ତ୍ରିଲୋଚନ କାନୁନଗୋ। ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପାଠ ପଢ଼ୁଥିବାବେଳେ ସେ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ଓଡ଼ିଶା ବିଧାସନଭାରେ ସେ ତିନି ତିନି ଥର ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି।

୧୯୭୧ ମସିହ ଏବଂ ୧୯୮୫ ମସିହାରେ ତ୍ରିଲୋଚନ କାନୁନଗୋ ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରେ କଟକ ସଦର ବିଧାନସଭା ଆସନରୁ ନିର୍ବାଚିତ ହେବା ସହ ୧୯୯୯ ମସିହା ବିଜେଡିର ପ୍ରତିନିଧି ଭାବେ ଜଗତସିଂହପୁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ବିଜେଡି ଏବଂ କଂଗ୍ରେସ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି।

Tags: #Politics #TrilochanKanungo #Death #PassesAway #Cuttack

Comment