ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଗ୍ରାଉଣ୍ଡରୁ ଆରମ୍ଭ ହେବ ପ୍ରଚାର କାର୍ଯ୍ୟ। ଝାରସୁଗୁଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀମାନେ ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୨୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଥିଲା। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।

ଝାରସୁଗୁଡ଼ା ଉପନିର୍ବାଚନରେ ଏଥର ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏବଂ ବିଜେପି ପ୍ରାର୍ଥୀ ଟଙ୍କଟର ତ୍ରିପାଠୀଙ୍କ ମଧ୍ୟରେ ଜୋରଦାର ହେବ ରାଜନୈତିକ ଲଢ଼େଇ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନ ପ୍ରସ୍ତୁତ କରିଛନ୍ତି ରଣନୀତି। ତେବେ କାହା ଉପରେ ଝାରସୁଗୁଡ଼ା ଜନତା ଭରସା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଆସନ୍ତା ମେ’ ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaByElection #BJD #BJP #Congress

Comment