ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜାତୀୟ ହକି ଦଳର ଆଉ ୧୦ ବର୍ଷ ଯାଏଁ ପ୍ରାୟୋଜକ ହେବ ଓଡ଼ିଶା। ଏବେ ଓଡ଼ିଶା ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ରହିବ। ଏଥିଲାଗି ୧୦ ବର୍ଷରେ ହକି ଇଣ୍ଡିଆକୁ ୪୩୪ କୋଟି ୧୨ ଲକ୍ଷ ଟଙ୍କା ଦିଆଯିବ। ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଏହି ଟଙ୍କା ଦିଆଯିବ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

“ଓଡ଼ିଶା ଲଗାତାର ଦୁଇଥର ହକି ବିଶ୍ୱକପର ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜିର ଏହି କ୍ୟବିନେଟ ନିଷ୍ପତ୍ତି ରାଜ୍ୟରେ ହକି ତଥା ଅନ୍ୟ କ୍ରୀଡ଼ାକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୨୧ ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରବର୍ତ୍ତୀ ୧୦ ବର୍ଷ ପାଇଁ ଭାରତୀୟ ଟିମକୁ ସ୍ପନସର କରିବେ ବୋଲି ଘୋଷଣା କରିଥିଲେ। ଏହା ହକି ଇଣ୍ଡିଆ ସହ ସ୍ପନସରସିପକୁ ନେଇ ଚାଲୁ ରହିଥିବା ପ୍ରଥମ ଚୁକ୍ତିର ସମାପ୍ତି ପରେ କାର୍ଯ୍ୟକାରୀ ହେବାର ଥିଲା। ଏହି ଘୋଷଣାକୁ ଏବେ କ୍ୟବିନେଟର ଅନୁମୋଦନ ମିଳିଛି। ଭାରତୀୟ ମହିଳା, ପୁରୁଷ ଦଳ ସହ ଓଡ଼ିଶା ଭାରତୀୟ ଜୁନିୟର ହକିର ଉଭୟ ଦଳକୁ ମଧ୍ୟ ସ୍ପନସର କରିବ।

୨୦୧୮ ମସିହାରେ ‘ସାହାର ଇଣ୍ଡିଆ’ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓହରି ଯିବାପରେ ଭାରତୀୟ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶା ସରକାର ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ହେବାକୁ ନିଷ୍ପତ୍ତି ନେଇଥିଲେ।

ଓଡ଼ିଶା ୫ ବର୍ଷ ଯାଏଁ ଅର୍ଥାତ ୨୦୨୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ହେବ ବୋଲି ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ହକି ଇଣ୍ଡିଆ ସହ ଚୁକ୍ତି ହୋଇଥିଲା। ଓଏମସି ହକି ଇଣ୍ଡିଆ ସହ ୧୫୦ କୋଟି ଟଙ୍କାରେ ଏହି ଚୁକ୍ତି କରିଥିଲା।

ଏବେ ୨୦୨୩ ମସିହାରେ ଏହି ଚୁକ୍ତିର ସମୟ ସରି ଆସୁଥିଲା। ଏହାପୂର୍ବରୁ ସୋମବାର କ୍ୟାବିନେଟ ବୈଠକରେ ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ନେଇ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।

Tags: #OdishaGovt #Sponsorship #IndianHockeyTeam #CabinetDecision

Comment