ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଏବେ ଉପନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବା ପାଇଁ ୯ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା କେବଳ ଜଣେ ପ୍ରାର୍ଥୀ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ବିଜେଡି, ବିଜେପି, କଂଗ୍ରେସ ସମେତ ୬ଟି ରାଜନୈତିକ ଦଳର ପ୍ରାର୍ଥୀ ଓ ୩ ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୨୦ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଥିଲା। ଏଥିରେ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସୋମବାର ଦିନ ଏମାନଙ୍କ ମଧ୍ୟରୁ ଜଣେ ସ୍ଵାଧୀନ ପ୍ରାର୍ଥୀ ଭୁବନେଶ୍ଵର ଗର୍ଡ଼ିଆ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉପନିର୍ବାଚନ ଲଢ଼ିବା ପାଇଁ ୯ ଜଣ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରକାଶ କରାଯାଇଛି।

ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେ ରହିଛନ୍ତି। ଏହାବ୍ୟତୀତ ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

ଅନ୍ୟପଟେ ଏହି ଉପନିର୍ବାଚନରେ ୩ ଜଣ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ଲଢ଼େଇ କରିବେ। ସେମାନେ ହେଲେ ବିଜୟ କୁମାର ଜାଳାନ, ମହିନ୍ଦ୍ର ଲୁହା ଓ ଜ୍ଞାନେନ୍ଦ୍ର ବେହେରା।

ଏବେ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ ହେବା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହେବ। ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟ ରାଜନୈତିକ ଦଳମାନେ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ଘୋଷଣା କରିସାରିଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ’ ମାସ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ଏହାପରେ ମେ’ ମାସ ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ।

Tags: #Politics #OdishaPolitics #JharsugudaByElection #BJD #BJP #Congress

Comment