ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆରମ୍ଭ ହୋଇଛି। ଗୁରୁବାର ଦିନ ଏହି ବୈଠକରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ପ୍ରାଥମିକତା ପ୍ରସଙ୍ଗ ଉପରେ ଅଲୋଚନା କରାଯାଇଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ମୁଖ୍ୟ ଅତିଥିଭାବେ ଜୋଡ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

“ଭାରତ ଚଳିତବର୍ଷ ଜି-୨୦ ଦେଶ ସମୂହର ଅଧ୍ୟକ୍ଷତା କରୁଛି। ଏହା ଅଧିନସ୍ଥ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଏହାର ଗୁଣବତ୍ତାରେ ସୁଧାର ଓ ଶିକ୍ଷାକୁ ବ୍ୟାପକ କରିବା ନିମନ୍ତେ କାର୍ଯ୍ୟ କରୁଛି। ଏବେ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ ନୂଆ ଟେକ୍ନୋଲୋଜି ଆସୁଛି। ଏହି ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇବା ଲାଗି ଆମର ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ଓ ଦୃଷ୍ଟିକୋଣ ପ୍ରସ୍ତୁତ କରିବାକୁ ହେବ”, କହିଛନ୍ତି ସୁଭାଷ ସରକାର।

ସେ ଆହୁରି ମଧ୍ୟ କହିଛନ୍ତି, “ଆଜିର ଦୁନିଆରେ ସମସ୍ତଙ୍କ ସମାନ ସମସ୍ୟା ପାଇଁ ଦୀର୍ଘସ୍ଥାୟୀ ସମାଧାନ ବିକାଶ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ।”

ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଙ୍ଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ। ସେମାନଙ୍କ ଦେଶରେ ଥିବା ଶିକ୍ଷାର ବିଭିନ୍ନ ସ୍ତର ଓ ଏଥିରେ କିପରି ଉନ୍ନତି ଆଣି ହେବ ସେ ନେଇ ଚର୍ଚ୍ଚା କରିଥିଲେ। ଶୁକ୍ରବାର ଦିନ ଏହି ବୈଠକ ଶେଷ ହେବ।

ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗର ସଚିବ କେ. ସଞ୍ଜୟ ମୂର୍ତ୍ତି, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ୟୁନିସେଫ୍‌, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନର (ଓଇସିଡି) ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Tags: #G20Countries #EducationWorkingGroup #3rdMeeting #Bhubaneswar #G20Summit

 

Comment