ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଶେଷ ଦିନରେ ପହଞ୍ଚିଛି। ଶନିବାର ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଦ୍ଵାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସ୍ଵର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଶନିବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ବିଶ୍ଵବିଦ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସେମାନଙ୍କ ସ୍ମୃତିଚାରଣ କରିଥିଲେ।

“ମୁଁ ମୟୂରଭଞ୍ଜ ମାଟିର ଝିଅ। ଏହା ମୋର ପରିଚୟ। ବିଶ୍ଵ ଦରବାରରେ ମୟୂରଭଞ୍ଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ହସ୍ତଶିଳ୍ପ ଖୁବ ନିଆରା। ମୟୂରଭଞ୍ଜର ଛଉ ନୃତ୍ୟ ୟୁନେସ୍କୋ ଦ୍ଵାରା ବିଶ୍ଵ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପାଇଛି। ଓଡ଼ିଶାର କଳା ଓ ସଂସ୍କୃତିର ବିକାଶରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ” କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଶିକ୍ଷା ଜୀବନର ମୂଳ ଆଧାର। ଜୀବନରେ ଶିକ୍ଷା ଲାଭ କରିବା କେବେବି ସରେ ନାହିଁ। ଆମ ଭିତରେ ସବୁବେଳେ କିଛି ନୂଆ ଶିଖିବା ପାଇଁ ଉତ୍ସାହ ରହିବା ଆବଶ୍ୟକ।”

ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ୮ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୯୦ ଜଣ ବ୍ୟକ୍ତିଙ୍କୁ ପିଏଚଡି ଡିଗ୍ରୀ ଦିଆଯାଇଥିଲା। ଏହାବ୍ୟତୀତ ସ୍ନାତକ ଓ ସ୍ନାତକୋତରରେ ପାଠ୍ୟକ୍ରମର ବିଭିନ୍ନ ବିଷୟରେ ସଫଳ ହୋଇଥିବା ୩୪ ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ଵର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କେତେକ ବିଲୁପ୍ତପ୍ରାୟ ଜନଜାତି ଗୋଷ୍ଠୀଙ୍କ (ପିଭିଟିଜି) ପ୍ରତିନିଧିଙ୍କ ସହ ଦେଖା କରିଥିଲେ। ଏଥିରେ ଲୋଧା, ମାଙ୍କିଡ଼ିଆ, ଖରିଆ ଭଳି ଆଦିବାସୀ ସମୁଦାୟର ଲୋକମାନେ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାଜ୍ୟ ଜଙ୍ଗଲ ତଥା ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବିଶ୍ଵବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକମାନେ ଏଠାରେ ଉପସ୍ଥିତ ଥିଲେ।

Tags: #DroupadiMurmu #PresidentofIndia #OdishaVisit #MSCBUniversity #ConvocationCeremony

 

Comment