ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ହେଉଛି ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ କରୁଛନ୍ତି ଶେଷ ପ୍ରୟାସ। ଆଜି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଜି ସରିବ ପ୍ରଚାର କାର୍ଯ୍ୟ। ଶେଷ ଦିନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟରଙ୍କୁ ମନେଇବାକୁ ଶେଷ ପ୍ରୟାସ ଚଳାଇଛନ୍ତି।

ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ଗାଁକୁ ଗାଁ ବୁଲି ଘରେ ଘରେ ଦଳୀୟ ନେତା ଏବଂ ସମର୍ଥକଙ୍କ ଗହଣରେ ଯାଇ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି।

ପ୍ରଚାର ଶେଷ ଦିନ ପୂର୍ବରୁ ରବିବାର ଝାରସୁଗୁଡ଼ାରେ ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ ପ୍ରଚାର। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଲାଗି ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାନ ଦିନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ସନ୍ଧ୍ୟାରେ ସରିବ ନିର୍ବାଚନ ପ୍ରଚାର କାର୍ଯ୍ୟ। ଭୋଟ ହାତେଇବାକୁ ବିଭିନ୍ନ ଦଳର ପ୍ରାର୍ଥୀଙ୍କର ଚାଲିଛି ପୂରା ଦମରେ କସରତ। ଆସନ୍ତା ମେ’ ୧୦ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ତେବେ କାହା ଉପରେ ଭରସା କରିବେ ଝାରସୁଗୁଡ଼ା ଭୋଟର ତାହା ଦେଖିବାକୁ ବାକି ରହିଲା।

Tags: #Politics #OdishaPolitics #JharsugudaByElection #ElectionCampaign #LastCampaign

Comment