ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ। ଆଉ ଦିନକ ପରେ ଉପନିର୍ବାଚନ ଲାଗି ହେବ ମତଦାନ।

ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଝାରସୁଗୁଡ଼ା। ଆସନ୍ତା ୧୦ ତାରିଖରେ ମତଦାନ କରିବେ ଝାରସୁଗୁଡ଼ା ଭୋଟର। ନିର୍ବାଚନ ମଇଦାନରେ ରାଜ୍ୟର ୩ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଆଜି ଭୋଟରଙ୍କୁ ମନେଇବାକୁ ଶେଷ ପ୍ରୟାସ କରିଛନ୍ତି।

ଉପନିର୍ବାଚନ ପାଇଁ ସରିଲା ପ୍ରଚାର କାର୍ଯ୍ୟ। ଦିନକ ପରେ ପଡ଼ିବ ଭୋଟ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡ଼ାରେ ପହଞ୍ଚିଛି ଇଭିଏମ ମେସିନ। ଇଭିଏମ ମେସିନଗୁଡ଼ିକୁ ବୁଥମାନଙ୍କୁ ପଠାଯାଇଛି।

ଝାରସୁଗୁଡ଼ା ଉପନିର୍ବାଚନରେ ମତଦାନ କରିବେ ମୋଟ ୨,୨୧,୭୧୯ ଜଣ ଭୋଟର। ମତଦାନ ପାଇଁ ମୋଟ ୨୫୩ଟି ବୁଥରେ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ୧୧୬ଟି ସମ୍ବେଦନଶୀଳ ବୁଥ ରହିଛି। ମହିଳା ଭୋଟରଙ୍କ ଲାଗି ୨୬ଟି ପିଙ୍କବୁଥ୍ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ବରିଷ୍ଠ ନାଗରିକ ତଥା ଶାରୀରିକ ଅକ୍ଷମ ଭୋଟରଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୋମବାର ଦିନ ସୂଚନା ଦେଇଛନ୍ତି।

ସମ୍ବେଦନଶୀଳ ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସମାପନ ନିମନ୍ତେ ନିୟୋଜିତ ହୋଇଛନ୍ତି ୧,୮୧୪ ପୋଲିସ ସର୍ମଚାରୀ। ବୁଥଗୁଡ଼ିକରେ ମୋଟ ୧,୧୯୪ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ମାଇକ୍ରୋ ଅବଜରଭର ରହିଛନ୍ତି। ଅନ୍ୟ ପକ୍ଷରେ ଖରାକୁ ଦୃଷ୍ଟିରେ ରଖି ବୁଥଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ହେବ ମତଦାନ। ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଉପନିର୍ବାଚନ ଲାଗି ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଓ ସ୍ଵାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୯ ଜଣ ନିର୍ବାଚନ ଲଢ଼ୁଛନ୍ତି।

ଗତ ଜାନୁଆରି ୨୯ ତାରିଖରେ ନବକିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ପଦବୀ ପୂରଣ ପାଇଁ ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ଉପନିର୍ବାଚନ।

Tags: #Politics #OdishaPolitics #JharsugudaByElection #ElectionCampaign #Voting

Comment