ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଛନ୍ତି।

ଆହତ ସିଆରପିଏଫ ଅଧିକାରୀଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀରର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାପରେ କଳାହାଣ୍ଡି ଏସପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମଙ୍ଗଳବାର ଦିନ ପୋଲିସ ଓ ସିଆରପିଏଫ ପକ୍ଷରୁ କଳାହାଣ୍ଡିର ତାପରେଙ୍ଗ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସେମାନଙ୍କ ସହ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା। ପୋଲିସ ଓ ଗୁଇନ୍ଦା ସୂଚନାକୁ ଆଧାର କରି କଳାହାଣ୍ଡିରେ ବହୁତ ଦିନ ପରେ ଏହି କମ୍ବିଂ ଅପରେସନ ହୋଇଥିଲା।

ଏପ୍ରିଲ ୨୬ ତାରିଖରେ ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲ୍ ଆକ୍ରମଣରେ ୧୦ ଜଣ ପୋଲିସକର୍ମୀ ଶହୀଦ ହୋଇଥିଲେ। ଏହାପରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଥିଲା। ପଡ଼ୋଶୀ ରାଜ୍ୟରେ ଜୋରଦାର କମ୍ବିଂ ଅପରେସନ କାରଣରୁ ମାଓବାଦୀମାନେ ଓଡ଼ିଶାମୁହାଁ ହେବେ ବୋଲି ରାଜ୍ୟ ଗୃହ ପକ୍ଷରୁ ସତର୍କ କରାଯାଇଥିଲା।

Tags: #Police-MaoistsEncounter #CRPF #OdishaPolice #Forest #Kalahandi

LEAVE A REPLY

Please enter your comment!
Please enter your name here