ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଚୌକି ଏମିତି କଣ୍ଟକିତ ଆସନ, ଏଠି ଯିଏ ବି ବସିଛି ସିଏ ଲହୁଲୁହାଣ ହୋଇଛି।

କ୍ଷମତାଚ୍ୟୁତ ହେବାର ପ୍ରାୟ ବର୍ଷକ ପରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଗକୁ ତାଙ୍କର ଭବିଷ୍ୟତ କ’ଣ ହେବ ତାହା ସନ୍ଦେହ ଘେରରେ ରହିଛି। କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ଯିଏ ବି ବସିଛି ସେ କଣ୍ଟାର ଆଘାତ ପାଇଛି। କ୍ଷମତା ଯାଇଛି, ଆତ୍ମନିର୍ବାସନରେ ଯିବାକୁ ପଡ଼ିଛି, ନହେଲେ ଭୟଙ୍କର ଦଣ୍ଡ ଭୋଗିବାକୁ ପଡ଼ିଛି।

କ୍ଵାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ବାରମ୍ବାର ନୋଟିସ୍ ହୋଇଥିଲା ବେଳେ ସେ ମଙ୍ଗଳବାର ଦିନ ପାକିସ୍ତାନ ହାଇକୋର୍ଟରେ ହାଜର ହେବାକୁ ଯାଇଥିଲେ। ତା’ ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି। ଇମ୍ରାନଙ୍କ ବିରୋଧରେ କ୍ଵାଦିର ଟ୍ରଷ୍ଟକୁ ୫୩ କୋଟି ପାକିସ୍ତାନୀ ରୁପି ମୂଲ୍ୟର ଜମି ବେଆଇନ ଭାବେ ଦେବାର ଅଭିଯୋଗ ରହିଛି।

ଏହା ପୂର୍ବରୁ ଇମ୍ରାନ ଖାନ ଏକାଧିକ ବାର ଗିରଫଦାରୀରୁ ବର୍ତ୍ତିଯାଇଥିଲେ। କିଛି ମାସ ତଳେ ପୋଲିସ ତାଙ୍କ ଘରେ ଚଢ଼ଉ କରିଥିବା ବେଳେ ମଧ୍ୟ ଇମ୍ରାନ ଖସିଯିବାରେ ସମର୍ଥ ହୋଇଥିଲେ। ତେବେ ମଙ୍ଗଳବାର ଦିନ ପୋଲିସ କେଉଁ ମାମଲାରେ ଗିରଫ କରିଛି ତାହା କହିନାହିଁ। ଏହାକୁ ନେଇ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପୋଲିସ ତାଙ୍କ ନେତାଙ୍କ ଉପରେ ଅପରାଧୀଙ୍କ ପରି ବଳ ପ୍ରୟୋଗ କରିଛି ବୋଲି କହିଛି। ଇମ୍ରାନ ଏଥିରେ ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି।

ପାକିସ୍ତାନରେ ଗଣତନ୍ତ୍ର ଥିଲେ ମଧ୍ୟ ଏଠାରେ କେବେ ବି ସ୍ଥିର ସରକାର ଆସିନାହିଁ। ବର୍ତ୍ତମାନ ଭଳି ପାକିସ୍ତାନ ଅନେକ ବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ଆମେରିକା ଓ ଚୀନ୍‌ର ଆର୍ଥିକ ବୋଝରେ ଚାପିହୋଇ ରହିଛି ପାକିସ୍ତାନ। ପାକିସ୍ତାନରେ କେବେ ବି ସରକାର ସ୍ଥିର ଭାବେ ଶାସନ କରିବାର ସୁଯୋଗ ନପାଇବା ପାକିସ୍ତାନର ଆର୍ଥିକ ସ୍ଥିତିକୁ ସବୁବେଳେ ସଙ୍କଟରେ ପକାଇଛି।

ପଡ଼ୋଶୀ ପାକିସ୍ତାନ ଭାରତର ଗୋଟେ ଦିନ ପୂର୍ବରୁ ସ୍ୱାଧୀନ ହୋଇଥିଲା। ଏହି ଦେଶର ଶାସନ ସବୁବେଳେ ସେନା ଓ ଆଇଏସ୍‌ଆଇ ଦ୍ଵାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟନ୍ତ୍ରିତ। ମେଣ୍ଟ ହେଉ କି ବହୁମତ, ଶପଥ ନେଇଥିବା ପ୍ରଧାନମନ୍ତ୍ରୀ ଏଠି କିନ୍ତୁ ସ୍ଥିର ହୋଇ ରହିପାରନ୍ତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ଜଣେ ହେଲେ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି।

ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରିବର୍ତ୍ତେ ଏହା ଜାରି ରହିଛି। ବିଶ୍ୱର ଏମିତି କୌଣସି ଗଣତନ୍ତ୍ର ନଥିବ ଯେଉଁଠି ନିର୍ବାଚିତ ସରକାରର ପ୍ରଧାନମନ୍ତ୍ରୀଙ୍କୁ ବିତାଡ଼ିତ ହେବାକୁ ପଡୁଥିବ। ଗତ ବର୍ଷ ଇମ୍ରାନ ଖାନଙ୍କ ସରକାର ବିତାଡ଼ିତ ହୋଇଥିଲା। ବିତାଡ଼ିତ, କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ତାଲିକା ବହୁତ ଲମ୍ବା। କାରଣ ଏଠି ଭୋଟ୍ ହୁଏ, ସରକାର ନିର୍ବାଚିତ ହୁଅନ୍ତି, କିନ୍ତୁ ପରେ ନିର୍ବାସିତ ଓ ବିତାଡ଼ିତ ବି ହୁଅନ୍ତି।

ଇମ୍ରାନ ଖାନ୍

ଇମ୍ରାନ ଖାନ। ପୂରା ନାଁ ଇମ୍ରାନ ଅହମ୍ମଦ ଖାନ ନିଆଜି। କ୍ରିକେଟରେ ତାରଙ୍କର ରହିଛି ୨୨ ବର୍ଷର ଲମ୍ବା କ୍ୟାରିୟର। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ଇମ୍ରାନ। ୧୯୯୬ ମସିହାରେ ଇମ୍ରାନ ଖାନ ପାକିସ୍ତାନ-ତେହେରିକ-ଏ- ଇନସାଫ୍ ବା ପିଟିଆଇ ନାଁରେ ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ। ୨୦୦୨ ମସିହାରେ ତାଙ୍କ ଦଳ ଗୋଟିଏ ସାଂସଦ ପଦ ଜିତିଥିଲା। ଏହି ବିଜୟ ପରେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲେ ଇମ୍ରାନ। ୨୦୦୮ ମସିହା ନିର୍ବାଚନକୁ ବୟକଟ୍ କରିଥିଲା ଇମ୍ରାନଙ୍କ ପିଟିଆଇ। ତଥାପି ତାଙ୍କୁ ପାକିସ୍ତାନ ଲୋକେ ପସନ୍ଦ କରିବା ଆରମ୍ଭ କରିଥିଲେ। ପପୁଲାର ଭୋଟରେ ତାଙ୍କ ଦଳ ସମସ୍ତଙ୍କଠାରୁ ଆଗରେ ରହିଥିଲା।

୨୦୧୮ ମସିହାରେ ଇତିହାସ ରଚି ଥିଲେ ଇମ୍ରାନ ଖାନ। ନ୍ୟାସନାଲ ଆସେମ୍ବ୍ଲିନିର୍ବାଚନରେ ତାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସ୍ୱାଧୀନ ସାଂସଦମାନଙ୍କ ସହ ମେଣ୍ଟ କରି ସେ ସରକାର ଗଢ଼ି ଥିଲେ। କିନ୍ତୁ ଇମ୍ରାନ ମଧ୍ୟ ପାକିସ୍ତାନର ରାଜନୀତିକୁ ନିୟନ୍ତ୍ରଣ କରିପାରି ନଥିଲେ ଓ ତାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା।

କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଇତିହାସରେ କେହି ଜଣେ ବି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାନ୍ତି। ପାକିସ୍ତାନର ୩ ଜଣ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପୂର୍ଣ୍ଣ ହେବାର ବର୍ଷକ ଆଗରୁ ପଦ ହରାଇଛନ୍ତି। ଜେନେରାଲ ଜିଆ ସାମରିକ ଶାସକ ଭାବେ ୧୦ ବର୍ଷ ଧରି ପାକିସ୍ତାନକୁ ଶାସନ କରିଥିଲେ। ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ପୁଣି ନିର୍ବାଚିତ ସରକାର ଶାସନ କରିଥିଲେ।

ହେଲେ ପ୍ରଧାନମନ୍ତ୍ରୀ ଭାବେ କେହି ଜଣେ ବି କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ପିପିପି ପାର୍ଟିର ବେନଜୀର ଭୁଟ୍ଟୋ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ମୁସଲିମ ବହୁଳ ଦେଶଗୁଡ଼ିକ ମଧ୍ୟରୁ ପାକିସ୍ତାନରେ ପ୍ରଥମେ ଜଣେ ମହିଳା ପ୍ରଧାନମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଥିଲେ। ସେ ୧୯୮୮ ମସିହାରେ ଗାଦି ସମ୍ଭାଳି ଥିଲେ। ୧୯୯୦ରେ ତାଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା।

ପିଏମ୍ଏଲ୍-ଏନ୍ ପାର୍ଟିର ନଓ୍ୱାଜ ସରିଫ୍ ୧୯୯୦ ମସିହାରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧୯୯୩ ମସିହା ପର୍ଯ୍ୟନ୍ତ ପଦବୀରେ ରହିଥିଲେ। ତାଙ୍କୁ ବି ଗାଦି ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ବେନଜୀର ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ସେ ମାତ୍ର ୩ ବର୍ଷ କ୍ଷମତାରେ ରହିଥିଲେ। ବେନଜୀରଙ୍କ ପରେ ପୁଣି ନଓ୍ୱାଜ ସରିଫ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର କିନ୍ତୁ ମାତ୍ର ୨ ବର୍ଷ ପାଇଁ ସେ ଶାସନ କରିପାରିଥିଲେ। 

ୟୁସୁଫ ରାଜା ଗିଲାନୀ ୨୦୦୮ରୁ ୨୦୧୨ ମସିହା ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ୨୦୧୨ରୁ ୨୦୧୩ ମସିହା ରାଜା ପରଭେଜ ଅସରଫ ପ୍ରଧାନମନ୍ତ୍ରୀ ହୋଇଥିଲେ। ଗିଲାନୀଙ୍କ ପୂର୍ବରୁ ଓ ନଓ୍ୱାଜ ସରିଫଙ୍କ ସମୟରେ ଅର୍ଥାତ ୧୯୯୯ରୁ ୨୦୦୭ ମସିହା ଜେନେରାଲ ପରଭେଜ ମୁସାରଫଙ୍କ ନେତୃତ୍ୱରେ ପାକିସ୍ତାନରେ ସାମରିକ ଶାସନ ଚାଲିଥିଲା। ସାମରିକ ଶାସନ ସମୟରେ ୩ ଜଣ ପ୍ରଧାନମନ୍ତ୍ରୀ ମଧ୍ୟ ଦାୟିତ୍ୱରେ ରହିଥିଲେ। ସାମରିକ ଶାସନ ଶେଷ ହେବା ପରେ ଗିଲାନି ଓ ପରଭେଜ ଆସରଫ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ଦୁଇ ଜଣଙ୍କ ପରେ ନଓ୍ୱାଜ ସରିଫ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ବି ସେ କାର୍ଯ୍ୟକାଳ ପୂରଣ କରିପାରିନଥିଲେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ନଓ୍ୱାଜ ସରିଫ୍। ଫଳରେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ତାଙ୍କ ପରେ ସହିଦ ଅଓ୍ୱାସୀ ମାତ୍ର ବର୍ଷେ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇମ୍ରାନ ଖାନ୍ ୨୦୧୮ ମସିହାରେ ଆସିଲେ। ସେ ମଧ୍ୟ କାର୍ଯ୍ୟକାଳ ପୂର୍ଣ୍ଣ କରିପାରିଲେ ନାହିଁ।

ଲିଆକତ ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଖ୍ୱାଜା ନିଜାମୁଦ୍ଦିନ, ମହମ୍ମଦ ଅଲ୍ଲି ବୋଗ୍ରା ଏବଂ ଚୌଧୁରୀ ମହମ୍ମଦ ଅଲ୍ଲି ୫ ବର୍ଷ ପୂରା କରିନଥିଲେ। ଇବ୍ରାହିମ ଇଜମାଇଲ ଚୁନ୍ଦ୍ରିଗର ମାତ୍ର ୬୦ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ନୁରୁଲ ଆମିନ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦବୀରେ ବସିଥିଲେ। ଚୌଧୁରୀ ସୁଜାତ ହୁସେନ ମାତ୍ର ୫୭ ଦିନ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ।

Tags: #Politics #PakistanPolitics #ImranKhan #FormerPMofPakistan #PakistanPMSeat

Comment