ଓଡ଼ିଶାଲାଇଭ୍ ବ୍ୟୁରୋ

 

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଏଠାରେ ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସମସ୍ତ ୨୫୩ଟି ବୁଥରେ ଭୋଟ ଗ୍ରହଣ ଚାଲିଛି। ୧୧ଟା ସୁଦ୍ଧା ୪୫ ହଜାର ୧୮୩ ଜଣ ଭୋଟର ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ହାଜର ୩୯୮ ଜଣ ପୁରୁଷ ଓ ୨୦ ହଜାର ୭୮୫ ଜଣ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଭୋଟ ଦେବା ପାଇଁ ଏଥର ଅନେକ ନୂତନ ମତଦାତା ରହିଛନ୍ତି। ନୂଆ କରି ଭୋଟ ଦେଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ବୁଧବାର ଝାରସୁଗୁଡ଼ାରେ ତାପମାତ୍ରା ଅଧିକ ରହିଥିବାରୁ ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କ ଉପରେ ପାଣି ସିଂଚନ କରାଯାଉଛି।

ବୁଥଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ।

ଏହି ଉପନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ସେମାନେ ନିର୍ବାଚନ ଲଢ଼ୁଥିବା ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଚଳିତବର୍ଷ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ୨୫୩ଟି ଯାକ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ଏହା ସାହାଯ୍ୟରେ ପ୍ରଶାସନ ପକ୍ଷରୁ ବୁଥଗୁଡ଼ିକର ନିରୀକ୍ଷଣ କରାଯାଉଛି। କୌଣସି ଉତ୍ତେଜନାମୂଳକ ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ମୋବାଇଲ ଟିମ୍ ମଧ୍ୟ ଗଠନ କରାଯାଇଛି।

Tags: #JharsugudaByElection #Voting #Voters #Politics #OdishaPolitics

Comment