ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ମତଦାନ ଚାଲିଛି। ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସମସ୍ତ ୨୫୩ଟି ବୁଥରେ ଭୋଟ ଗ୍ରହଣ ଚାଲିଛି। ଭୋଟ ଦେବା ପାଇଁ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ବୁଥଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ।

ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୧୦୧୨ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାର ସମ୍ବେଦନଶୀଳ ବୁଥଗୁଡ଼ିକରେ ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ସବୁ ବୁଥରେ ୱେବ କାଷ୍ଟିଂ ମାଧ୍ୟମରେ ନଜର ରଖାଯାଉଛି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

Tags: #JharsugudaByElection #Voting #Voters #Politics #OdishaPolitics

Comment