ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ଉପନିର୍ବାଚନରେ ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ସେ ଝାରସୁଗୁଡ଼ାର ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଜୁରାଟୀ କଲୋନିର ୭୦ ନମ୍ବର ବୁଥରେ ମତଦାନ କରିଛନ୍ତି।

ବୁଧବାର ସକାଳ ୯ ଟା ୩୦ ବେଳେ ଟଙ୍କଧର ତ୍ରିପାଠୀ ତାଙ୍କ ପତ୍ନୀଙ୍କ ସହ ଭୋଟ ଦେବାକୁ ଆସିଥିଲେ। ସେ ବୁଥରେ ପହଞ୍ଚି ଭୋଟରଙ୍କ ଧାଡ଼ିରେ ଛିଡ଼ା ହୋଇଥିଲେ। ପରେ ମତଦନା କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିଥିଲେ ଟଙ୍କଧର।

“ଭୋଟ ହେଉଛି ଭାରତୀୟ ନାଗରିକଙ୍କ ଏକ ମୌଳିକ ଅଧିକାର। ଆମ ସମ୍ବିଧାନ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଆମକୁ ଏହି ଅଧିକାର ଦେଇଛି। ଜଣେ ସଚେତନ ନାଗରିକ ଭାବେ ସମସ୍ତେ ନିଜର ଏହି ଅଧିକାରକୁ ସାବ୍ୟସ୍ତ କରିବା ଆବଶ୍ୟକ। ଝାରସୁଗୁଡ଼ାର ଉନ୍ନତି ପାଇଁ ମୁଁ ସବୁ ଭୋଟରଙ୍କୁ ମତଦାନ କରିବା ପାଇଁ ଅନୁରୋଧ କରୁଛି”, କହିଛନ୍ତି ଟଙ୍କଧର ତ୍ରିପାଠୀ।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଝାରସୁଗୁଡ଼ା ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ବୁଥରେ ମତଦାନ ଚାଲିଛି। ଏଥିରୁ ୪୦ଟି ମଡେଲ ବୁଥ ଏବଂ ୨୬ଟି ପିଙ୍କ ବୁଥରେ ମଧ୍ୟ ଭୋଟ ଗ୍ରହଣ ହେଉଛି। ସବୁ ବୁଥରେ ୱେବକାଷ୍ଟିଂର ମାଧ୍ୟମରେ ନଜର ରଖୁଛି ପ୍ରଶାସନ। ସମ୍ବେଦନଶୀଳ ବୁଥଗୁଡ଼ିକରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #JharsugudaByElection #Voting #TankadharTripathy #Voters #Politics #OdishaPolitics

 

Comment