ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ନିର୍ବାଚନରେ ଭୋଟ ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ସେ ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ପୁରୁଣା ବସ୍ତିରେ ଥିବା ୭୨ ନମ୍ବର ବୁଥରେ ମତଦାନ କରିଥିଲେ।

ବୁଧବାର ଦିନ ୧୨ଟା ବେଳେ ତରୁଣ ପାଣ୍ଡେ ନିଜର କିଛି ସାଙ୍ଗମାନଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଏହାପରେ ସେ ଏଠାରେ ଧାଡ଼ିରେ ଠିଆ ହେବା ପରେ ନିଜର ମତ ସାବ୍ୟସ୍ତ କରିଥିଲେ।

“ପୂର୍ବରୁ ମୁଁ କେବଳ ଜଣେ ମତଦାତା ହିସାବରେ ଭୋଟ ଦେଉଥିଲି କିନ୍ତୁ ଏବେ ଜଣେ ପ୍ରାର୍ଥୀ ଭାବେ ଭୋଟ ଦେଇଥିବାରୁ ମତେ ଗର୍ବ ଅନୁଭବ ହେଉଛି। ଲୋକମାନେ ଆଜି ଏତେ ଖରାରେ ମଧ୍ୟ ଭୋଟ ଦେବାକୁ ଆସିଛନ୍ତି। ଏହା ସେମାନଙ୍କର ନିର୍ବାଚନ ପ୍ରତି ଥିବା ସଚେତନାକୁ ଦର୍ଶାଉଛି। ମୁଁ ଝାରସୁଗୁଡ଼ାବାସୀଙ୍କୁ ଅଧିକ ପରିମାଣରେ ଭୋଟ ଦେବାପାଇଁ ଅନୁରୋଧ କରୁଛି”, କହିଛନ୍ତି ତରୁଣ ପାଣ୍ଡେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ବୁଥରେ ମତଦାନ ଚାଲିଛି। ଏଠାରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ନିର୍ବାଚନ ଲଢ଼ୁଥିବା ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ୱେବ କାଷ୍ଟିଂ ମାଧ୍ୟମରେ ନଜର ରଖାଯାଉଛି। ସେହିପରି ସମ୍ବେଦନଶୀଳ ବୁଥଗୁଡ଼ିକରେ ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

Tags: #JharsugudaByElection #Voting #TarunPandey #Voters #Politics #OdishaPolitics

Comment