ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ। ଏବେ ଇଭିଏମରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୧୩ ତାରିଖରେ ଜଣାପଡ଼ିବ ଝାରସୁଗୁଡ଼ା ଭୋଟର କାହା ଉପରେ କରିଛନ୍ତି ଭରସା।

ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି। କୌଣସି ବୁଥରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିନଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ କରିଥିଲା ବ୍ୟାପକ ବ୍ୟବସ୍ଥା। ଖରାକୁ ଦୃଷ୍ଟିରେ ରଖି ସବୁ ବୁଥରେ ଥଣ୍ଡା ପାନୀୟ, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା କରାଯାଇଥିଲା। ମତଦାନରେ ଯେମିତି କୌଣସି ଅସୁବିଧା ନ ହୁଏ ସେଥି ପାଇଁ ନିଜେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବୁଥକୁ ମାରାଥନ ଗସ୍ତ କରିଥିବା କହିଛନ୍ତି।

ମତଦାନ ଲାଗି ୨୫୩ଟି ମତଦାନ କେନ୍ଦ୍ର କରାଯାଇଥିଲା। ମହିଳା ଭୋଟରଙ୍କ ପାଇଁ ୨୬ଟି ପିଙ୍କବୁଥ କରାଯାଇଥିବାବେଳେ ୪୦ଟି ମଡେଲ ବୁଥ ବ୍ୟବସ୍ଥା ହୋଇଥିଲା। ସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଉପନିର୍ବାଚନ ସୁପରିଚାଳନ ନିମନ୍ତେ ୧,୧୯୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିଲେ।

ବୟସ୍କ ଏବଂ ଶାରୀରିକ ଅକ୍ଷମ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଥର ଲାଗି ସମସ୍ତ ୨୫୩ଟି ଯାକ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା ହୋଇଥିଲା। ଏହା ସାହାଯ୍ୟରେ ଜିଲ୍ଲାପାଳ ଏବଂ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ବସି ବୁଥଗୁଡ଼ିକରେ ଭୋଟ ଗ୍ରହଣର ଟିକିନିଖ ଦୃଶ୍ୟ ଦେଖିବା ସହ ଅଭିଯୋଗ ପରେ ସମାଧାନ ବ୍ୟବସ୍ଥା କରୁଥିଲେ। ମତଦାନ ସମୟରେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଥିଲା।

ଅସହ୍ୟ ଖରାକୁ ଖାତିରି ନକରି ସକାଳ ୭ଟା ପୂର୍ବରୁ ଭୋଟରମାନେ ବୁଥ ଆଗରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭୋଟରଙ୍କ ସହ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ସରବାହାଲର ୩୩ ନମ୍ବର ପିଙ୍କ ବୁଥରେ ଭୋଟ ଭୋଟ ଦେଇଥିଲେ। ବାପାଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ ଦୀପାଳି।

ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଜୁରାଟୀ କଲୋନୀର ୭୦ ନମ୍ବର ବୁଥରେ ମତଦାନ ସାବ୍ୟସ୍ଥ କରିଥିଲେ। ଏହା ସହିତ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ପୁରୁଣା ବସ୍ତିରେ ଥିବା ୭୨ ନମ୍ବର ବୁଥରେ ମତଦାନ କରିଥିଲେ।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମୋଟ ୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମୁଖ୍ୟ ଲଢ଼େଇ। ଏବେ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ଇଭିଏମ ମେସିନ। ଆସନ୍ତା ୧୩ ତାରିଖରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ। ତେବେ ଝାରସୁଗୁଡ଼ା ଭୋଟର କାହା ଉପରେ ଭରସା କରୁଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #JharsugudaByelection #Vote

Comment