ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ହେବ ମତଦାନ। ମୋଟ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର।

ବୁଧବାର ସକାଳ ୭ଟାରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଭୋଟ ଗ୍ରହଣ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ନିଜ ନେତା ବାଛିବାକୁ ପ୍ରସ୍ତୁତ ହୋଇଛନ୍ତି ଝାରସୁଗୁଡ଼ା ଭୋଟର। ମତଦାନ ପାଇଁ ସୋମବାରଠାରୁ ବୁଥଗୁଡ଼ିକରେ ଇଭିଏମ ମେସିନ ପହଞ୍ଚିଥିବାବେଳେ ମଙ୍ଗଳବାର ପହଞ୍ଚଛନ୍ତି ପୋଲିଂ ପାର୍ଟି।

ମତଦାନ ଲାଗି ୨୫୩ଟି ମତଦାନ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ୧୦୬ଟି ସମ୍ବେଦନଶୀଳ ବୁଥ ରହିଛି। ଏହି ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହିଳା ଭୋଟରଙ୍କ ପାଇଁ ୨୬ଟି ପିଙ୍କବୁଥ କରାଯାଇଥିବାବେଳେ ୪୦ଟି ମଡେଲ ବୁଥ ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନ ସୁପରିଚାଳନନା ନିମନ୍ତେ ୧,୧୯୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପ୍ରଥମଥର ଲାଗି ସମସ୍ତ ୨୫୩ଟି ଯାକ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ଏହା ସାହାଯ୍ୟରେ ଜିଲ୍ଲାପାଳ ଏବଂ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ବସି ବୁଥଗୁଡ଼ିକରେ ଭୋଟ ଗ୍ରହଣର ଟିକିନିଖ ଦୃଶ୍ୟ ଦେଖିପାରିବେ। ମତଦାନ ସମୟରେ କୌଣସି ଅଘଟଣକୁ ଏଡ଼ାଇବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଉପନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀକୁ ୫ଟି ଜୋନରେ ବିଭକ୍ତ କରାଯାଇଛି। ଓଡ଼ିଶା ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ସହ ୩ ଶହ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ ଏବଂ ଶତାଧିକ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ଵରେ ନିୟୋଜିତ କରାଯାଇଛି।

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ହେବ ମତଦାନ ହୋଇ ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ମୋଟ ୯ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ୁଛନ୍ତି। ନିର୍ବାଚନ ମଇଦାନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର।

ଗତ ଜାନୁଆରି ୨୯ ତାରିଖରେ ନବକିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ପଦବୀ ପୂରଣ ପାଇଁ ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ଉପନିର୍ବାଚନ।

Tags: #Politics #OdishaPolitics #JharsugudaByElection #ElectionCampaign #Voting

Comment