ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। କର୍ଣ୍ଣାଟକର ୨୨୪ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି ମୋଟ ୨,୬୧୫ ଜଣ ପ୍ରାର୍ଥୀ। ବିଜେପି, କଂଗ୍ରେସ ଓ ଜେଡିଏସ୍ ଦଳ ଭିତରେ ନିର୍ବାଚନ ଲଢ଼େଇ ହେଉଛି।

ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ୨,୬୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ କୋଟି ୩୧ ଲକ୍ଷରୁ ଊର୍ଦ୍ଧ୍ଵ ଭୋଟର। ଦିନ ୧୧ଟା ସୁଦ୍ଧା ଏଠାରେ ୨୦.୯୨ ପ୍ରତିଶତ ଭୋଟର ମତଦାନ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ମୋଟ ୫୮,୫୪୫ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କର୍ଣ୍ଣାଟକରେ ୨ କୋଟି ୬୭ ଲକ୍ଷ ୨୮ ହଜାର ୫୩ ପୁରୁଷ ଭୋଟର ରହିଥିବା ବେଳେ ୨ କୋଟି ୬୪ ଲକ୍ଷ ୭୪ ରହିଛନ୍ତି ମହିଳା ଭୋଟର। ସେହିପରି ୪୨ ଲକ୍ଷ ୪୮ ହଜାର ୨୮ ନୂଆ ଭୋଟର ରହିଛନ୍ତି। ୧୧ ଲକ୍ଷ ୭୧ ହଜାର ୫୫୮ ଯୁବ ଭୋଟର ରହିଥିବାବେଳେ ୫ ଲକ୍ଷ ୭୧ ହଜାର ୨୮୧ ଭିନ୍ନକ୍ଷମ ଅଛନ୍ତି।

ଶାନ୍ତି ଶୃଙ୍ଖଳା ସହ ନିର୍ବାଚନର ପରିଚାଳନା ପାଇଁ ୧.୫ ଲକ୍ଷରୁ ଅଧିକ ପୋଲିସ ଏବଂ ସିଆରପିଏଫ ଫୋର୍ସ ବୁଥଗୁଡ଼ିକରେ ମୁତୟନ ହୋଇଛନ୍ତି। ସମ୍ଵେଦନଶୀଳ ବୁଥଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯିବା ସହ ପୋଲିସର ସ୍ଵତନ୍ତ୍ର ନଜର ରହିଛି।

କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କୁ ସାମିଲ ହେବା ପାଇଁ କହିଛନ୍ତି। ବିଶେଷ କରି ଯୁବ ଏବଂ ପ୍ରଥମ କରି ଭୋଟ ଦେଉଥିବା ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି।

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବ୍ୟତୀତ ଓଡ଼ିଶାର ଝାରସୁଗୁଡ଼ା, ମେଘାଳୟର ସୋହିୟୋଂଗ, ଉତ୍ତରପ୍ରଦେଶର ଚାନବେ ଓ ସୁଆରରେ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି।

Tags: #KarnatakaAssemblyElection #voters #AssemblyElection2023#Voting #Politics

Comment