ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶାନ୍ତିଶୃଙ୍ଖଳା ମଧ୍ୟରେ ମତଦାନ ଜାରି ରହିଛି। ଏଠାରେ ଅପରାହ୍ଣ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ, ଦିନ ୧୧ ଟାରେ ୨୦.୩୮ ପ୍ରତିଶତ ଏବଂ ଦିନ ୧ ଟାରେ ୪୧.୨୬ ପ୍ରତିଶତ ମତଦାନ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ଏହି ମତଦାନ ଚାଲିବ।

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଝାରସୁଗୁଡ଼ାର ୨ ଲକ୍ଷ ୨୧ ହଜାର ୭୧୯ ଭୋଟର।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସମସ୍ତ ୨୫୩ଟି ବୁଥରେ ଭୋଟ ଗ୍ରହଣ ହେଉଛି। ସବୁ ବୁଥରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାସହ ସମ୍ବେଦନଶୀଳ ବୁଥରେ ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

Tags: #JharsugudaByElection #Voting #VoterTurnout #Politics #OdishaPolitics

 

Comment