ଓଡ଼ିଶାଲାଇଭ୍ ବ୍ୟୁରୋ

 

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ବୁଧବାର ଦିନ ଭୋଟ ଗ୍ରହଣ କରାଯାଇଛି। ଏଠାରେ ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଓ ଦିନ ୧୧ ଟାରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ଦିନ ୧ ଟାରେ ୪୧.୨୬ ପ୍ରତିଶତ ଓ ଅପରାହ୍ଣ ୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିଲା।

ଝାରସୁଗୁଡ଼ା ଉପନିର୍ବାଚନରେ ଏବର୍ଷ ଅନେକ ନୂତନ ମତଦାତା ରହିଥିଲେ। ନୂଆ କରି ଭୋଟ ଦେଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବୁଧବାର ଝାରସୁଗୁଡ଼ାରେ ତାପମାତ୍ରା ଅଧିକ ରହିଥିଲେ ମଧ୍ୟ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରିଛନ୍ତି। ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଝାରସୁଗୁଡ଼ାର ୨ ଲକ୍ଷ ୨୧ ହଜାର ୭୧୯ ଭୋଟର।

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ୨୫୩ଟି ବୁଥର ହୋଇଥିଲା। ବୁଥଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସହ ସମ୍ବେଦନଶୀଳ ବୁଥରେ ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

Tags: #JharsugudaByElection #Voting #VoterTurnout #Politics #OdishaPolitics

Comment