ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ଲାଗି ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୨୫୩ଟି ବୁଥରେ ମତଦାନ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ ଦେବା ପାଇଁ ଅନେକ ନୂଆ ଭୋଟର ଆସିଛନ୍ତି। ପ୍ରଥମଥର ମତଦାନ କରିବାକୁ ନେଇ ସେମାନେ ଉତ୍ସାହିତ ଅଛନ୍ତି। କେତେକ ବୁଥରେ ଭୋଟରମାନଙ୍କୁ ଚନ୍ଦନ ଟିକା ଲଗାଇ ସ୍ଵାଗତ କରାଯାଉଛି।

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ବୁଥଗୁଡ଼ିକରେ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଥକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ‌ର ବ୍ୟବସ୍ଥା କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମତଦାନ କେନ୍ଦ୍ରରେ ସେଲଫି ପଏଣ୍ଟ ମଧ୍ୟ କରାଯାଇଛି।

ଏହି ଉପନିର୍ବାଚନରେ ମହିଳା ଭୋଟରଙ୍କ ପାଇଁ ୨୬ଟି ପିଙ୍କ ବୁଥ କରାଯାଇଛି। ଏହାଛଡ଼ା ୪୦ଟି ମଡେଲ ବୁଥର ବ୍ୟବସ୍ଥା କରାଯାଇଛି। ଏହି ସବୁ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସର୍ବତ ଓ ତରଭୁଜର ବି ବ୍ୟବସ୍ଥା କରାଯାଇଛି।

ବୁଧବାର ଝାରସୁଗୁଡ଼ା ପୌରପରିଷଦ ସହ କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍‌ରେ ମଧ୍ୟ ମତଦାନ ଜାରି ରହିଛି। ଝାରସୁଗୁଡ଼ାର ୨୫୩ଟି ବୁଥ ମଧ୍ୟରୁ ୧୦୬ଟି ସମ୍ବେଦନଶୀଳ ବୁଥ ରହିଛି। ଏହି ବୁଥଗୁଡ଼ିକରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ସବୁ ବୁଥରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଏହି ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୧୦୧୨ ଜଣ ପୋଲିଂ ଅଫିସର ରହିଛନ୍ତି। ଏହାଛଡ଼ା ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର, ୧୦୪ ଜଣ ମହିଳା ପୋଲିଂ ଅଫିସର ଓ ୭୪ ଜଣ ମାଇକ୍ରୋ ଅବଜରଭର ମଧ୍ୟ ରହିଛନ୍ତି।

ଚଳିତବର୍ଷ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ୨୫୩ଟି ଯାକ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ଏହା ସାହାଯ୍ୟରେ ବୁଥର ଲାଇଭ୍ କାଷ୍ଟିଂ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କରାଯାଉଛି। ଏହା ଦ୍ଵାରା ସେମାନେ ନିଜ କାର୍ଯ୍ୟାଳୟରେ ବସି ବୁଥଗୁଡ଼ିକର ନିରୀକ୍ଷଣ କରୁଛନ୍ତି। ଏହାଛଡ଼ା କୌଣସି ଉତ୍ତେଜନାମୂଳକ ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ୨୫ଟି ମୋବାଇଲ ଟିମ ଗଠନ କରାଯାଇଛି।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ସ୍ଵାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଏହି ଉପନିର୍ବଚନରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

Tags: #JharsugudaByElection #Voting #Voters #Politics #OdishaPolitics

 

Comment