ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର):କନ୍ଧମାଳରେ ପୁଣି ସକ୍ରିୟ ଲାଲ୍ ବାହିନୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ବୁଧବାର ରାତିରେ ସୁମରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ଗୁଳି କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତ ସାଉଲପଡ଼ା ଅଞ୍ଚଳରେ ଘଟିଛି ଏଭଳି ବର୍ବରକାଣ୍ଡ। ଘରେ ଶୋଇଥିବା ବେଳେ ଘରୁ ଡାକିନେଇ ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବୁଧବାର ରାତ୍ରି ପ୍ରାୟ ୯ଟା ବେଳେ ଖାଇପିଇ ଶୋଇଥିଲେ ସୁବଳ କହଁର। ତିନି ଜଣ ମାଓବାଦୀ ସୁବଳଙ୍କୁ ଘରୁ ଡକି ନେଇଥିଲେ। ପରେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ତାଙ୍କୁ ଗୁଳି କରାଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମାଓବାଦୀଙ୍କ ଏହି ତାଣ୍ଡବ ପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

Tags: #Maoist #Kandhamal #MaoistKilledFormerSarapanch

Comment