ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। କିଏ ମାରିବ ବାଜି ଓ କାହାର ହେବ ଝାରସୁଗୁଡ଼ା ବିଧାନସଭା ଆସନ ତା’ ଉପରେ ସମସ୍ତଙ୍କ ନଜର।

ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ଆଶା ବାନ୍ଧିଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ।

ବିପୁଳ ଭୋଟରେ ବିଜୟୀ ହେବାକୁ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ଜିତିବାକୁ ଆଶା ରଖିଛି ବିଜେପି। ଏ କ୍ଷେତ୍ରରେ କଂଗ୍ରେସ ମଧ୍ୟ ଆଶା ଛାଡ଼ି ନାହିଁ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ଝାରସୁଗୁଡ଼ା ବିଧାନସଭା ଆସନ ଜିତିବେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି ବିଜେଡି ସରକାରଙ୍କ ଉପରେ ଝାରସୁଗୁଡ଼ାବାସୀ ଭରସା କରିଛନ୍ତି। ଦୀପାଳିଙ୍କୁ ଝାରସୁଗୁଡ଼ା ଭୋଟରଙ୍କର ବିପୁଳ ସମର୍ଥନ ରହିଛି। ୩୦ ହଜାରରୁ ଅଧିକ ଭୋଟରେ ଝାରସୁଗୁଡ଼ାରେ ବିଜେଡିର ବିଜୟ ହେବ।

ଝାରସୁଗୁଡ଼ା ବିଧାନସଭା ଆସନ ଜିତିବାକୁ ବିଜେପି ଆଶା ରଖିଛି। ବିଜେପି ପକ୍ଷରୁ କୁହାଯାଇଛି ଏଥର ସରକାରଙ୍କ ବିରୋଧରେ ଯିବ ଝାରସୁଗୁଡ଼ା ଭୋଟରଙ୍କ ମତ। ଧାମନଗର ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବେ ଭୋଟର ନୀରବ ରହି ବିଜେପିକୁ ସମର୍ଥନ ଦେଇଥିଲେ ଝାରସୁଗୁଡ଼ାରେ ମଧ୍ୟ ତା’ର ପୁନରାବୃତି ହେବ ବୋଲି ବିଜେପି କହିଛି।

ଏ କ୍ଷେତ୍ରରେ ପଛରେ ନାହିଁ କଂଗ୍ରେସ। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟୀ ହେବାକୁ କଂଗ୍ରେସ ମଧ୍ୟ ଆଶା ବାନ୍ଧିଛି। ଝାରସୁଗୁଡ଼ା ଭୋଟର କଂଗ୍ରେସକୁ ସମର୍ଥନ ଦେଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଝାରସୁଗୁଡ଼ାରେ ତ୍ରିମୁଖୀ ଲଢ଼େଇ ହୋଇଛି। ବିଜୟ ପାଇଁ ଖୁବ୍ କମ୍ ବ୍ୟବଧାନ ରହିବ ବୋଲି ସେ କହିଛନ୍ତି।

ଆସନ୍ତା ୧୩ ତାରିଖରେ ସିଲ୍ ଇଭିଏମ ଭିତରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ କାହା ସହ ରହିଛି ଝାରସୁଗୁଡ଼ାବାସୀଙ୍କ ସମର୍ଥନ।

Tags: #Politics #OdishaPolitics #JharsugudaByelection #Vote #BJD #BJP #Congress

Comment