ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି। ତା’ ମଧ୍ୟରୁ କେତେକ ପ୍ରମୁଖ ପ୍ରକଳ୍ପ ଲାଗି ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି। ଏସବୁର ରୂପରେଖ ପ୍ରସ୍ତୁତି ସହିତ ତୃଣମୂଳ ସ୍ତରରେ କିପରି ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ବିଶେଷ କର୍ମଶାଳା ଆୟୋଜନ କରାଯାଇଥିଲା।

କେନ୍ଦୁଝର ଜିଲ୍ଲା ପ୍ରଶାସନର ସହଯୋଗରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପକ୍ଷରୁ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କର୍ମଶାଳା କରାଯାଇଥିଲା। ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜୀବିକା, ରାସ୍ତା ସଂଯୋଗୀକରଣ ଓ ପରିବେଶ ସୁରକ୍ଷା ଆଦି ବିଷୟରେ ହେଉଥିବା ପ୍ରକଳ୍ପ ସମ୍ପର୍କରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ପ୍ରକଳ୍ପର ରୂପାୟନ ସହ ସଂପୃକ୍ତ ସହଯୋଗୀ ସଂସ୍ଥାର କର୍ମକର୍ତ୍ତା ଏବଂ ଓମ୍ବାଡସି ଅଧିକାରୀମାନଙ୍କୁ ସେ ସ୍ୱାଗତ କରିଥିଲେ।

ଓମ୍ବାଡସିର ଜେନେରାଲ ମ୍ୟାନେଜର (ଆଡମିନ୍) ସୁଧାକର ବୁର୍ଗି ଓମ୍ବାଡସି ପ୍ରକଳ୍ପଗୁଡ଼ିକର କାର୍ଯ୍ୟଶୈଳୀ ବିଷୟରେ କହିଥିଲେ। ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବା ଦରକାର ତା’ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଓମ୍ବାଡସିର ଜେନେରାଲ ମ୍ୟାନେଜର (ଫାଇନାନ୍ସ) ଭବାନୀ ପ୍ରସାଦ ଦାସ ପ୍ରକଳ୍ପ ପ୍ରସ୍ତୁତି ଓ ଲାଗୁ ବେଳେ ଉଚିତ ଆର୍ଥିକ ପରିଚାଳନା ସମ୍ପର୍କରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଟିମ୍ ଲିଡର ଅମ୍ବୁଜ ପ୍ରସାଦ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ତଥା ହିତାଧିକାରୀଙ୍କ ପାଇଁ ଏହାର କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇଥିଲେ।

କେନ୍ଦୁଝର ଜିଲ୍ଲାରେ ଓମ୍ବାଡସି ସହାୟତାରେ ବର୍ତ୍ତମାନ ଚାଲିଥିବା ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି – ବୃହତ୍‌ ପାଇପ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ରାସ୍ତା ସଂଯୋଗୀକରଣ, ହାଇସ୍କୁଲ ରୂପାନ୍ତରଣ, ଜଳ ଓ ମୃତ୍ତିକା ସଂରକ୍ଷଣ, ପରିବେଶ ସୁରକ୍ଷା, ଅଙ୍ଗନବାଡ଼ି କେନ୍ଦ୍ରର ଆଧୁନିକୀକରଣ, ଭିତ୍ତିଭୂମି ନିର୍ମାଣ ଏବଂ ଜୀବିକା ବିକାଶ।

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀମଣି ହାଁସଦା, ବଡ଼ବିଲ୍‌ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ୱାଟକୋ ଜେନେରାଲ ମ୍ୟାନେଜର ନାରଦ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲାର ଓମ୍ବାଡସି ଟିମ୍‌ ଲିଡର ସୀତାକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ।

#OMBADC #MegaDrinkingWater #RoadConnectivity #OdishaGovt

LEAVE A REPLY

Please enter your comment!
Please enter your name here