ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଝାରସୁଗୁଡ଼ାକୁ ମିଳିଯିବ ନୂଆ ନେତା। ଝାରସୁଗୁଡ଼ା ବିଧାନସଭା ଉପବନିର୍ବାଚନ ପାଇଁ ମତଦନା ଶେଷ ହୋଇ ଷ୍ଟ୍ରଙ୍ଗ ରୁମ ଭତିରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଛି ଇଭିଏମ ଏବଂ ଭିଭିପାଟ ମେସିନ। ଆସନ୍ତା ୧୩ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି।

ରାତି ପାହିଲେ ଖୋଲିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଥିବା ଇଭିଏମ ମେସିନ। ଉପନିର୍ବାଚନ ଫଳାଫଳ ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି ପ୍ରାର୍ଥୀ ଏବଂ ଭୋଟର। କିଏ ମାରିବ ବାଜି କାହାକୁ ମିଳିବ ଝାରସୁଗୁଡ଼ା ବିଧାନସଭା ଗାଦି? ତା’ ଉପରେ ସମସ୍ତଙ୍କ ନଜର।

ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋଟ ଗଣତି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଶୁକ୍ରବାର ଦିନ ଦାୟିତ୍ୱ ପ୍ରଦାନ କରାଯାଇଛି। ଶନିବାର ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଝାରସୁଗୁଡ଼ା ବିଧାନସଭା ଆସନ ଜିତିବାକୁ ଆଶା ବାନ୍ଧିଛନ୍ତି। ମେ’ ୧୩ ତାରିଖ ଝାରସୁଗୁଡ଼ାବାସୀ ପାଇବେ ସେମାନଙ୍କର ନୂଆ ନେତାଙ୍କୁ। ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ କାହା ଉପରେ ଭରସା କରିଛନ୍ତି ଝାରସୁଗୁଡ଼ା ଭୋଟର।

ଗତ ଜାନୁଆରି ୨୯ ତାରିଖରେ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନ ଲାଗି ମେ’ ୧୦ ତାରିଖରେ ମତଦାନ କରିଥିଲେ ଝାରସୁଗୁଡ଼ା ଭୋଟର।

Tags: #Politics #JharsugudaByelection #OdishaPolitcs #Result #VoteCounting

Comment