ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ଅମାନତ ହରାଇଲା କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଲା ମାତ୍ର ୪,୪୭୩ ଖଣ୍ଡ ଭୋଟ। ଏତେ ବଡ଼ ପରାଜୟର କାରଣ ଖୋଜିବାକୁ ବାହାରିଛି କଂଗ୍ରେସ।

ଝାରସୁଗୁଡ଼ା ପରାଜୟର ସମୀକ୍ଷା କରିବାକୁ ତିନି ଜଣିଆ କମିଟି ଗଠନ ହୋଇଥିବା ସୋମବାର ଦିନ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପରାଜୟର କାରଣ ଖୋଜିବାକୁ ୩ ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରିବେ। ରିପୋର୍ଟ ଆସିବା ପରେ ଏଆଇସିସିକୁ ପ୍ରଦାନ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ଦଳ ବିରୋଧୀ ମନ୍ତବ୍ୟ ଯୋଗୁଁ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ଜିତି ପାରିଲା ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଜିଲ୍ଲା ସଭାପତି ଅଶୋକ ମିଶ୍ର। ଏଥିପାଇଁ ସେ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦାୟୀ କରିଛନ୍ତି।

ଏପଟେ ଝାରସୁଗୁଡ଼ା ପରାଜୟ ପାଇଁ ନେତୃତ୍ୱର ଅଭାବ ଏବଂ ଦୁର୍ବଳ ସଙ୍ଗଠନକୁ ଦାୟୀ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଦଳ ଅଧାବାଟରେ ଝାରସୁଗୁଡ଼ା ଉପନିର୍ବାଚନ ଲଢ଼ିଛି, ତେଣୁ ସେଠରେ ବିଜୟ ସମ୍ଭବ ହେଲାନି।

Tags: #Politics #OdishaPolitics #Congress #Review #JharsugudaByelection

Comment