ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପାଳି ଦାସ। ସୋମବାର ଦିନ ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟୀ ହେବାପରେ ଶପଥ ନେଇଛନ୍ତି ଦୀପାଳି।

ସୋମବାର ଦୀପାଳି ଦାସ ତାଙ୍କ ମା’ ଓ ଭାଇଙ୍କ ସହ ଆସି ବିଧାନସଭାରେ ପହଞ୍ଚିଥିଲେ। ଏହାପୂର୍ବରୁ ସେ ରବିବାର ଦିନ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିଥିଲେ। ଶପଥ ନେବାବେଳେ ବିଜେଡିର ବହୁ ବରିଷ୍ଠ ନେତା ବିଧାନସଭାରେ ଉପସ୍ଥିତ ଥିଲେ। ବିକ୍ରମ କେଶରୀ ଆରୁଖ ଏବେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବାରୁ ଉପବଚସ୍ପତି ଦୀପାଳିଙ୍କୁ ଶପଥ ପାଠ କରାଇଥିଲେ।

“ମୁଁ ଆଜି ସମ୍ବିଧାନର ନୀତି ନିୟମ ଅନୁସାରେ ବିଧାୟିକା ଭାବେ ଶପଥ ନେଇଛି। ସର୍ବଦା ଝାରସୁଗୁଡ଼ାବାସୀଙ୍କ ସେବାରେ ନିୟୋଜିତ ରହିବି। ଝାରସୁଗୁଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ କାମ କରିବି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ମୋ ବାପା ଛାଡ଼ି ଯାଇଥିବା କାମକୁ ଆଗକୁ ନେବି। ତାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବି। ଝାରସୁଗୁଡ଼ାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ମୁଁ ଉନ୍ନତିମୂଳକ କାର୍ଯ୍ୟ କରିବି”, କହିଛନ୍ତି ଦୀପାଳି ଦାସ।

ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ। ଦୀପାଳି ନିଜ ନିକଟତମ ପ୍ରତିଦ୍ଵନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୭୨୧ଟି ଅଧିକ ଭୋଟ ପାଇ ଏହି ଉପନିର୍ବାଚନ ଜିତିଥିଲେ। ତାଙ୍କୁ ମୋଟ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିଲା।

ଦୀପାଳି ଭୋଟ ବ୍ୟବଧାନରେ ନିଜ ବାପାଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ୨୦୧୯ ମସିହାରେ  ନାବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ବିଧାନସଭା ନିର୍ବାଚନ ଜିତିଥିଲେ।

Tags: #DeepaliDas #JharsugudaMLA #OathTaking #OdishaAssembly

Comment