ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ନିର୍ବାଚନରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା କଂଗ୍ରେସ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ସିଦ୍ଧରମେୟା ନା ଡିକେ ଶିବକୁମାର କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଆସନ?

କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ ଭାଙ୍ଗିଛି କଂଗ୍ରେସ। ଗୋଟିଏ ପଟେ ବିଜୟର ଉଲ୍ଲାସ, ଅନ୍ୟପଟେ କାହାକୁ ଦିଆଯିବ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତାକୁ ନେଇ ଅଛି ଦଳ। ଦୁଇ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡାକିଛନ୍ତି। ସେଇଠି ନିଷ୍ପତ୍ତି ହେବ କିଏ ହେବେ କର୍ଣ୍ଣାଟକର  ମୁଖ୍ୟମନ୍ତ୍ରୀ?

ଗୋଟିଏ ପଟେ ଶିବକୁମାରଙ୍କ ସାଂଗଠନିକ ଦକ୍ଷତା ଓ ଅନ୍ୟପଟେ ସିଦ୍ଧରମେୟାଙ୍କ ପ୍ରାଶାସନିକ ଦକ୍ଷତା ଶୀର୍ଷ ନେତୃତ୍ଵଙ୍କୁ ଦ୍ଵନ୍ଦ୍ଵରେ ପକାଇଛି।

ରବିବାର ଦିନ ବସିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହୋଇଥିଲା। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ହିଁ ମୁଖ୍ୟମନ୍ତ୍ରୀ ଚୟନ କରନ୍ତୁ ବୋଲି ବିଧାୟକ ଦଳ ପ୍ରସ୍ତାବ ଦେଇଥିଲା। ଦିଲ୍ଲୀରେ ଖଡ଼ଗେ, ସୋନିଆ, ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏ ସମ୍ପର୍କରେ ଆଲୋଚନା କରିବେ। ଏହି ବୈଠକରେ ଉଭୟ ସିଦ୍ଧରମେୟା ଓ ଶିବକୁମାର ମଧ୍ୟ ଉପସ୍ଥିତ ରହିବେ।

ପ୍ରଥମେ ଡି. ଶିବ କୁମାର ଖୋଲାଖୋଲି କିଛି କହିନଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଦାବିଦାର ନୁହନ୍ତି ବୋଲି ମନା କରିନଥିଲେ। ତେଣୁ ମଇଦାନରେ ଏବେ ଏଇ ଦୁଇଜଣ ନେତା। ଅବଶ୍ୟ ବିଧାୟକ ଦଳ ଭିତରେ ମତ ସଂଗ୍ରହ ବେଳେ କିଛି ବିଧାୟକ ଗୋପନରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ପ୍ରସ୍ତାବ ରଖିଥିଲେ। ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ପୂର୍ବରକୁ କହିସାରିଛନ୍ତି ଖଡ଼ଗେ।

ପ୍ରାଥମିକ ଚର୍ଚ୍ଚା ଅନୁସାରେ ଅଢ଼େଇ ବର୍ଷ ଲେଖାଏଁ ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିବେ। ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ମଧ୍ୟ ଦଳ ବିଚାର କରୁଛି। ସୂଚନା ଅନୁସାରେ ପର୍ଯ୍ୟବେକ୍ଷକ ମଧ୍ୟ ସବୁ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ସେମାନଙ୍କ ମତାମତ ସଂଗ୍ରହ କରିଛନ୍ତି। ସେମାନଙ୍କ ମତାମତ ଆଧାରିତ ରିପୋର୍ଟ ଖଡ଼ଗେଙ୍କୁ ଦିଆଯାଇଛି। ଦିଲ୍ଲୀରେ ଏହି ରିପୋର୍ଟକୁ ନେଇ ଆଲୋଚନା ହେବା ପରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ପ୍ରଥମରେ ପାଳି ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କେହି ରାଜି ହେଉନଥିଲେ। ସିଦ୍ଧରମେୟା ଓ ଶିବକୁମାରଙ୍କ ମଧ୍ୟରେ ଏ ନେଇ କିଛି ସହମତି ହୋଇପାରିନାହିଁ। ଯଦି ସେମିତି କିଛି ଫର୍ମୁଲା ବାହାର କରାଯାଏ, ତେବେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିଦ୍ଧ ରମେୟା ଦାବି କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।

ଶିବ କୁମାରଙ୍କ ସାଙ୍ଗଠନିକ ଦକ୍ଷତା ଅଦ୍ଭୂତ, କିନ୍ତୁ ସିଦ୍ଧ ରମେୟାଙ୍କ ପରି ତାଙ୍କର ପ୍ରଶାସନିକ ଦକ୍ଷତା ନାହିଁ। କର୍ଣ୍ଣାଟକ ନିର୍ବାଚନ ଜିତିବା ପଛରେ ଉଭୟଙ୍କର ବଡ଼ ଭୂମିକା ରହିଛି। ତେଣୁ ସମାଧାନର ରାସ୍ତା ବାହାର କରିବାକୁ କସରତ ଚଳାଇଛନ୍ତି ଶୀର୍ଷ ନେତୃତ୍ଵ। ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶୀର୍ଷ ନେତୃତ୍ଵଙ୍କ ଉପରେ ଜାତିଗତ ସମୀକରଣର ଚାପ ମଧ୍ୟ ରହିଛି। କାରଣ ସାଧାରଣ ନିର୍ବାଚନକୁ ବର୍ଷେ ଥିବାବେଳେ ସଠିକ ଲୋକଙ୍କୁ ରାଜ୍ୟର ଦାୟିତ୍ଵ ଦେବା କଂଗ୍ରେସ ପାଇଁ ଜରୁରୀ ହୋଇପଡ଼ିଛି।

ଏକ ସୂତ୍ର ଅନୁସାରେ ସିଦ୍ଧରମୟାଙ୍କ ପଛରେ ଅଧିକ ସମର୍ଥନ ରହିଛି। ତାଙ୍କ ନେତୃତ୍ଵରେ ନିର୍ବାଚନରେ କଂଗ୍ରେସକୁ ଅତି କମ୍‌ରେ ୧୮ ପ୍ରତିଶତ ଭୋଟ୍‌ ମିଳିଛି। ଲିଙ୍ଗାୟତ ଓ ଆହିନ୍ଦା ସମ୍ପ୍ରଦାୟ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ ଶିବ କୁମାର ଭୋକାଲିଗା ସମ୍ପ୍ରଦାୟର ହୋଇଥିବାରୁ ଲିଙ୍ଗାୟତ ଓ ଆହିନ୍ଦାଙ୍କ ମଧ୍ୟରେ ସେ ଗ୍ରହଣୀୟ ନୁହନ୍ତି। ଭୋଟ୍ ଅଂଶ ଦୃଷ୍ଟିରୁ ଲିଙ୍ଗାୟତ ଓ ଆହିନ୍ଦାଙ୍କର ଏକ ବଡ଼ ଅଂଶ ରହିଛି। ସେମାନଙ୍କ ସମର୍ଥନ ବିନା ସରକାର ଗଠନ କରିବା ଅସମ୍ଭବ।

ବିଧାୟକ ସମର୍ଥନ ଓ ଜାତି ଆଧାରିତ ସମ୍ମିକରଣରେ ସିଦ୍ଧ ରମେୟା ଆଗରେ ଅଛନ୍ତି। ୧୧୪ ବିଧାୟକ ସିଦ୍ଧ ରମେୟାଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ତଥାପି ଶିବ କୁମାରଙ୍କ ପରିଶ୍ରମ ଓ ଅବଦାନକୁ କଂଗ୍ରେସ ଅଣଦେଖା କରିବ ନାହିଁ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

Tags: #Politics #IndianPolitics #KarnatakaPolitics #CMKarnataka #Sidharameya #DKShibkumar

Comment