ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିର ମାତ୍ରାଧିକ ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ତାତି ବଢ଼ିଚାଲିଛି। ଏହାର ଅଧିକାଂଶ ପ୍ରଭାବ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପଡ଼ୁଛି। ମଙ୍ଗଳବାର ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରେ ହିଟ ୱେଭ ପାଇଁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ବୌଦ୍ଧ ସାମିଲ ରହିଛି।

ଅନ୍ୟପଟେ ସୋମବାର ଦିନ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବ‌ାବେଳେ ଟିଟିଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା।

ସୋମବାର ଓଡ଼ିଶାର ଅନ୍ୟ ସହରଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ‌ବୌଦ୍ଧରେ ୪୨.୯ ଡିଗ୍ରୀ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ମାଲକା‌ନଗିରିରେ ୪୨.୮ ଡିଗ୍ରୀ, ଅନୁଗୁଳରେ ୪୨.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୪ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିଭଳି ସୋମବାର ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୮.୪ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରଯାଇଥିଲା। ମଙ୍ଗଳବାର ଦିନ ଭୁବନେଶ୍ଵର ଓ ଏହାର ପାଖାପାଖି ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ହିଟ ୱେଭକୁ ନେଇ ସତର୍କ ରହିବାକୁ ଲୋକମାନଙ୍କୁ କୁହାଯାଇଛି। ଏହି ସମୟରେ ଆବଶ୍ୟକତା ନଥିଲେ ବାହାରକୁ ନଯିବାକୁ କୁହାଯାଇଛି। ଏହାଛଡ଼ା ଅଧିକ ପରିମାଣରେ ପାଣି ଓ ତରଳଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି।

Tags: #WeatherUpdates #HeatWave #TemperatureRise #WesternOdisha

 

LEAVE A REPLY

Please enter your comment!
Please enter your name here