ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ୨୦୨୩ ମାଟ୍ରିକ ପରୀକ୍ଷାଫଳ। ଗୁରୁବାର ସକାଳ ୧୦ଟା ବେଳେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଏହି ପରୀକ୍ଷାଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାଟ୍ରିକ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏଥର ମାଟ୍ରିକରେ ପାସ୍ ହାର ୯୬.୪ ପ୍ରତିଶତ ରହିଛି।

୨୦୨୩ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୫ ହଜାର ୪୦୪ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଏଥିମଧ୍ୟରୁ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ଓ ୨ ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି।

ଗୁରୁବାର ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଫଳ ମଧ୍ୟ ପାଇଛି। ମଧ୍ୟମାରେ ୮୫.୯୪ ପ୍ରତିଶତ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାରେ ପାସ୍‌ ହାର ୭୫.୦୭ ପ୍ରତିଶତ ରହିଛି।

ମାଟ୍ରିକ ପରୀକ୍ଷାରେ ଓଡ଼ିଶାର କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି। ରାଜ୍ୟର ୩୨୨୨ ସ୍କୁଲରେ ଏ ବର୍ଷ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ପାସ୍‌ ହାର ୯୨.୬୩ ପ୍ରତିଶତ ରହିଛି, ଯାହା ରାଜ୍ୟରେ ସର୍ବନିମ୍ନ।

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୪୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ ପାଇଛନ୍ତି। ଏଥିରେ ଛାତ୍ରୀଙ୍କ ସଂଖ୍ୟା ୨୨୫୪ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧୯୦୪ ରହିଛି। ସେହିଭଳି ଏ-୨ ଗ୍ରେଡରେ ୨୯ ହଜାର ୮୩୮ ଜଣ, ବି-୧ ଗ୍ରେଡରେ ୭୭ ହଜାର ୫୬୭ ଜଣ, ବି-୨ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ଅନ୍ୟପଟେ ୧ ଲକ୍ଷ ୨୧ ହଜାର ୬୧୧ ଜଣଙ୍କୁ ସି-ଗ୍ରେଡ, ୯୫ ହଜାର ୬ ଜଣଙ୍କୁ ଡି-ଗ୍ରେଡ, ୬୧ ହାଜର ୪୭୪ ଜଣଙ୍କୁ ଇ-ଗ୍ରେଡ ମିଳିଛି। ସେହିପରି ୭ ହଜାର ୬୪୫ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

“୨୦୨୩ ମାଟ୍ରିକ ପରୀକ୍ଷାରେ ଗତବର୍ଷ ତୁଳନାରେ ଭଲ ରେଜଲ୍ଟ ହୋଇଛି। ବୋର୍ଡ ପକ୍ଷରୁ ମଧ୍ୟ ତ୍ରୁଟି ଶୂନ୍ୟ ରେଜଲ୍ଟ ବାହାର କରାଯାଇଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି। ଏ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲା ଏହି ପରୀକ୍ଷା ଦେଇପାରିବେ। ୨୦୨୨ ମସିହାରେ ସପ୍ଲିମେଣ୍ଟାରି ପରୀକ୍ଷା ହୋଇପାରିନଥିଲା। ଖୁବଶୀଘ୍ର ଏହାର ତାରିଖ ଘୋଷଣା କରାଯିବ”, କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବୋର୍ଡର ସୂଚନା ଅନୁସାରେ ମାଟ୍ରିକ ପରୀକ୍ଷା ଖାତା ରିଆଡିସନ ପ୍ରକ୍ରିୟା ମେ’ ମାସ ୨୩ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରେ ଆବେଦନ କରିପାରିବେ।

ଅନ୍ୟପଟେ ଗୁରୁବାର ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.in କୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଦେଖିପାରିବେ। ସେହିଭଳି ମୋବାଇଲରୁ OR10 ଓ ନିଜ ରୋଲ ନମ୍ବର ଟାଇପ୍ କରି ୫୬୭୬୭୫୦କୁ ମେସଜ କଲେ ପରୀକ୍ଷା ଫଳ ଦେଖିହେବ।

ଗୁରୁବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାବେଳେ ଗଣଶିକ୍ଷା ବିଭାଗ ସଚିବ ଶାଶ୍ଵତୀ ଏସ, ବୋର୍ଡ ସଭାପତି ରମାଶିଷ ହାଜରା ଓ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Tags: #MatricResults #MatricExam #BSEOdisha #Students

Comment