ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ନିଜକୁ ଆଇନାରେ ଦେଖି ନଥିବା ବିଜେପି ଏବେ ଆଇନାରେ ନିଜ ମୁହଁ ଦେଖି ଚମକୁଛି।

ଭୁଲ୍ ରହିଲା କେଉଁଠି? ନିଜେ ଭୁଲ୍ ଜାଣିକି ବି ଅଜଣା ରହୁଥିଲା କି ବିଜେପି? ଏମିତି ଅନେକ ପ୍ରଶ୍ନକୁ ନେଇ ବାହାରେ ଚର୍ଚ୍ଚା ହେଉଥିବା ବେଳେ ବିଜେପି ଶିବିରରେ ଦୋଷ ଲଦାଲଦି ଚାଲିଛି। କେହି ୟେଦିୟୁରପ୍ପାଙ୍କୁ ଦାୟୀ କରୁଥିବା ବେଳେ ଆଉ କିଛି  ବାସବରାଜ ବୋମାଇଙ୍କୁ ଦୋଷ ଦେଉଛନ୍ତି।

ସବୁଠାରୁ ବେଶୀ ରୋଷ, ଟିକେଟ ବଣ୍ଟା ଦାୟିତ୍ଵରେ ଥିବା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କ ଉପରେ। କିନ୍ତୁ ନିର୍ବାଚନ ପୂର୍ବରୁ ନିଜ ଚେହେରା କେମିତି ମଳିନ ପଡ଼ିଛି ଜାଣିଥିଲେ ବି ଆଇନା ଦେଖିବାକୁ ପସନ୍ଦ କରୁନଥିଲେ ବିଜେପି ନେତା।

କଂଗ୍ରେସ ନିଜର ସାଂଗଠନିକ ଶକ୍ତି, ଭୋଟରଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଲା। କିନ୍ତୁ ଜନତାଙ୍କ ରୋଷ ଜାଣିବା ପରେ ମଧ୍ୟ ବିଜେପି ନିଜର ଦୋଷ ବାଛିନଥିଲା। ଏବେ ନିର୍ବାଚନ ସରିବା ପରେ ନିଜ ଦୋଷ ସବୁ ଜଳଜଳ ହୋଇ ଦିଶୁଛି।

ଲିଙ୍ଗାୟତଙ୍କୁ ଆକର୍ଷିତ କରିପାରିଲେନି ୟେଦିୟୁରପ୍ପା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ଲିଙ୍ଗାୟତ ସମ୍ପଦ୍ରାୟର ସବୁଠାରୁ ପ୍ରଭାବଶାଳୀ ନେତା। କିନ୍ତୁ ଚଳିତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପିର କିଛି ଗୋଷ୍ଠୀ ୟେଦିୟୁରପ୍ପାଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟର ସିଂହଭାଗ ଭୋଟ୍ ଏଥର ବିଜେପିକୁ ନମିଳିବାରୁ ଅନେକ ସିଟ୍ ହରାଇବାକୁ ପଡ଼ିଥିଲା। ଅନ୍ୟ ବର୍ଗର ଭୋଟ ଯୋଗୁଁ ଦଳର ଭୋଟ୍ ସ୍ଥିର ହୋଇଥିଲେ ମଧ୍ୟ ତାହା ଆସନରେ ରୂପାନ୍ତରିତ ହୋଇପାରିନଥିଲା।

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜଣେ ବରିଷ୍ଠ ଲିଙ୍ଗାୟତ ନେତା ଭି ସୋମନା ସିଧାସଳଖ ୟେଦିୟୁରପ୍ପାଙ୍କୁ ଟାର୍ଗେଟ କରିଥିଲେ। ଲିଙ୍ଗାୟତଙ୍କ ଭୋଟ୍ କାହିଁକି ଭାଗ ହୋଇଗଲା ବୋଲି ୟେଦିୟୁରପ୍ପା ଉତ୍ତର ଦିଅନ୍ତୁ ବୋଲି ସୋମନା ଦାବି କରିଥିଲେ। ପୂର୍ବ ନିର୍ବାଚନଗୁଡ଼ିକରେ ଲିଙ୍ଗାୟତମାନେ ବିଜେପିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ୮୦ରୁ ୮୫ ପ୍ରତିଶତ ଲିଙ୍ଗାୟତଙ୍କ ଭୋଟ୍ ମିଳୁଥିବାବେଳେ ୨୦୨୩ ନିର୍ବାଚନରେ ଏହା ୫୦ ପ୍ରତିଶତ ତଳକୁ ଖସି ଆସିଛି।

୨୦୧୮ ନିର୍ବାଚନରେ କଂଗ୍ରେସ ଟିକଟରେ ୧୩ ଜଣ ଲିଙ୍ଗାୟତ ବିଧାୟକ ଥିବାବେଳେ ଏଥର ୪୪ ବିଧାୟକଙ୍କ ମଧ୍ୟରୁ ୩୭ ଲିଙ୍ଗାୟତ ବିଧାୟକ କଂଗ୍ରେସର ରହିଛନ୍ତି। ୧୯୮୮ ନିର୍ବାଚନରେ କଂଗ୍ରେସ ୧୭୮ ଆସନ ଜିତିଥିବା ବେଳେ ସେ ଥର କଂଗ୍ରେସ ଟିକଟରୁ ୪୪ ଲିଙ୍ଗାୟତ ବିଧାୟକ ଜିତିଥିଲେ। ଲିଙ୍ଗାୟତ ନେତା ବୀରେନ୍ଦ୍ର ପାଟିଲଙ୍କ ନେତୃତ୍ଵରେ କଂଗ୍ରେସକୁ ଏହି ସଫଳତା ମିଳିଥିଲା।

କଂଗ୍ରେସର ଶୀର୍ଷ ନେତୃତ୍ଵଙ୍କ ତ୍ରୁଟି ପାଇଁ ବୀରେନ୍ଦ୍ର ପାଟିଲଙ୍କୁ ଅପମାନିତ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେବେଠାରୁ କଂଗ୍ରେସ କେବେ ବି ଲିଙ୍ଗାୟତଙ୍କ ସମର୍ଥନ ପାଇନଥିଲା। କିନ୍ତୁ ଏଥର ୧୯୮୯ ନିର୍ବାଚନର ସ୍ଥିତି ହେବା ଏବଂ ବିଜେପି ୭୬ ଲିଙ୍ଗାୟତ ନେତାଙ୍କୁ ଟିକଟ ଦେଇଥିବା ବେଳେ ମାତ୍ର ୧୫ ଜଣ ଜିତିଥିବାରୁ ସବୁ ଦୋଷ ୟେଦିୟୁରପ୍ପାଙ୍କ ଆଡକୁ ଠେଲୁଛନ୍ତି ବିଜେପି ନେତା।

ବୋମାଇ ବି କାଠଗଡ଼ାରେ

ବିଜେପିର ଅନ୍ୟ ଏକ ଗୋଷ୍ଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଦାୟୀ କରୁଛନ୍ତି। କାରଣ ସରକାର ବିରୋଧୀ ଅନ୍ତସ୍ରୋତକୁ ରୋକିବାରେ ବିଫଳ ହୋଇଥିଲେ ବୋମାଇ। ଦୁର୍ନୀତିର ଅଭିଯୋଗ ପାଇଁ ସ୍ଥାନୀୟ ବିଜେପି ବାରମ୍ବାର ନିନ୍ଦିତ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବୋମାଇ ନୀରବରେ ଦେଖୁଥିଲେ। ଏହାର ପ୍ରତିକାର ପାଇଁ ନା ବୋମାଇ ନା ଦଳ, କେହି କିଛି ଉଦ୍ୟମ କରିନଥିଲେ ବୋଲି ବିଜେପିର ଏକ ବୃହତ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ବିଜେପିର ଜଣେ ମୁଖପାତ୍ର ଦୁର୍ନୀତିକୁ ପ୍ରସୟ ଦିଆଯିବାକୁ ଖୋଲାଖୋଲି ଅଭାବନୀୟ ଓ ଅକ୍ଷମଣୀୟ ବୋଲି କହିଛନ୍ତି।

ଟିକେଟ ବଣ୍ଟନରେ ସାଂଘାତିକ ତ୍ରୁଟି

ବିଜେପିର ସ୍ଥାନୀୟ ନେତା କର୍ଣ୍ଣାଟକର ନିର୍ବାଚନ ଦାୟିତ୍ଵରେ ଥିବା ବିଏଲ୍ ସନ୍ତୋଷଙ୍କୁ ସବୁଠାରୁ ଅଧିକ ଦୋଷ ଦେଉଛନ୍ତି। ଟିକେଟ ବାଣ୍ଟିବାର ଗୁରୁ ଦାୟିତ୍ଵ ଥିଲା ସନ୍ତୋଷଙ୍କ ଉପରେ। ତାଙ୍କ ସୁପାରିସ ଅନୁସାରେ ବିଜେପି ଟିକଟ ଦେଇଥିଲା। କିନ୍ତୁ ସନ୍ତୋଷ ଓ ତାଙ୍କ ଟିମ୍ ତୃଣମୂଳସ୍ତରରୁ ଆସିଥିବା ରିପୋର୍ଟକୁ ଗୁରୁତ୍ଵ ନଦେଇ ନିଜ ରିସର୍ଚ ଉପରେ ଭରସା କରି ଟିକଟ ପାଇଁ ସୁପାରିସ କରିଥିଲେ। ଏହା ହିଁ ବିଜେପିକୁ ବୁଡ଼ାଇଲା ବୋଲି ବିଜେପିର ବହୁ ବରିଷ୍ଠ ନେତା ଅଭିଯୋଗ କରୁଛନ୍ତି।

ଦୁର୍ନୀତିକୁ ନେଇ ସରକାର ବିରୋଧୀ ଅନ୍ତଃସ୍ରୋତ ରହୀଥିଲା। କିନ୍ତୁ ଯେଉଁମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲା ସେମାନଙ୍କୁ ସୁରକ୍ଷା ଦେଇଥିଲେ ବୋମାଇ। ଶେଷରେ ଟିକଟ ବାଣ୍ଟିବା ବେଳକୁ ସନ୍ତୋଷ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କ ଟିକେଟ ସୁରକ୍ଷିତ ରଖିଥିଲେ। କିଛି ଲିଙ୍ଗାୟତ ନେତାଙ୍କ ଟିକେଟ କଟୁଥିବା ସେମାନେ ଜାଣିବାରୁ ଅଧିକାଂଶ କଂଗ୍ରେସକୁ ଚାଲିଯାଇଥିଲେ। କିଛି କଂଗ୍ରେସ ଟିକଟରେ ଜିତିଲେ ଆଉ କିଛି କଂଗ୍ରେସରେ ସାମିଲ ହୋଇ ବିଜେପିକୁ ହରାଇବାରେ ସହଯୋଗ କରିଥିଲେ।

ବିଏଲ୍ ସନ୍ତୋଷ ଓ ବୋମାଇ ଟିକଟ ବଣ୍ଟନ ଠିକ୍ ହୋଇଥିବା ନେଇ ଶୀର୍ଷ ନେତୃତ୍ଵଙ୍କୁ ବାରମ୍ବାର ଜଣାଉଥିଲେ। କିନ୍ତୁ ତୃଣମୂଳସ୍ତରରେ ସ୍ଥିତି ଅଲଗା ଥିଲା। ନିର୍ବାଚନରେ ହାରୁଛନ୍ତି ବୋଲି ବିଜେପି ହାଇ କମାଣ୍ଡ ଜାଣିସାରିଥିଲେ ମଧ୍ୟ ଫୁଟାଣି ମାରୁଥିଲେ ବୋଲି କର୍ଣ୍ଣାଟକ ବିଜେପିର କିଛି ନେତା କହିଛନ୍ତି। ହାରି ଯାଇଥିବା ଜଣେ ବିଜେପି ନେତା କହିଛନ୍ତି, ଟିକଟ ବାଣ୍ଟିବାରେ ତ୍ରୁଟି ହୋଇଛି। ଏମିତିକି ଯୋଗ୍ୟ ନେତାଙ୍କୁ ଟିକେଟ ମିଳିନଥିବା ସେ ଅଭିଯୋଗ କରିଛନ୍ତି।

ନିର୍ବାଚନ ସରିବା ପରେ ମଧ୍ୟ ବିଏଲ୍ ସନ୍ତୋଷ ନିଜ ତ୍ରୁଟିକୁ ଘୋଡ଼ାଇବାରେ ଲାଗିପଡ଼ିଥିଲେ। ସାଧାରଣତଃ ନିର୍ବାଚନ ପୂର୍ବରୁ ନେତାମାନେ ବହୁ ଅଧିକ ଭୋଟ୍ ଅଧିକ ଆସନରେ ଜିତିବା କଥା କହିଥାନ୍ତି। କିନ୍ତୁ ନିର୍ବାଚନ ହାରିବା ଜାଣିବା ପରେ ମଧ୍ୟ ସୋସିଆଲ୍ ମିଡିଆରେ ନୀରବ ନରହି ସନ୍ତୋଷ ବୃଥା ଆସ୍ଫାଳନ କରୁଥିଲେ ବୋଲି ଆଉ ଜଣେ ବରିଷ୍ଠ ବିଜେପି ନେତା ଶୀର୍ଷ ନେତୃତ୍ଵକୁ ଜଣାଇଛନ୍ତି।

ଏକ୍‌ଜିଟ୍ ପୋଲ୍ କଂଗ୍ରେସ ସପକ୍ଷରେ ଥିବାବେଳେ ସନ୍ତୋଷ କିନ୍ତୁ ଟ୍ଵିଟରରେ ଏହାକୁ ଖଣ୍ଡନ କରିଥିଲେ। ନିର୍ବାଚନ ଫଳାଫଳରେ ଏକ୍‌ଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହୋଇଛି। ତେଣୁ କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ବିଜେପି ବହୁମତରେ ଆସିବ। ୨୦୧୮ ନିର୍ବାଚନରେ ବିଜେପି ୨୪ ହଜାର ବୁଥ୍‌ରେ ଅଗ୍ରଣୀ ଥିଲା।

କର୍ଣ୍ଣାଟକର ବିଫଳତାକୁ କେବଳ ଜଣକ ମୁଣ୍ଡରେ ଥୋପି ହେବନାହିଁ ବୋଲି ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଛନ୍ତି। ଟିକେଟ ବଣ୍ଟନରେ ତ୍ରୁଟି ନେଇ ବହୁ ଅଭିଯୋଗ ଆସିଥିବା ସେ ସ୍ଵୀକାର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି ଯେ ବିଫଳତାର ଅନେକ କାରଣ ରହିଛି ଏବଂ ଏ ସବୁର ସମୀକ୍ଷା କରାଯିବ।

କଂଗ୍ରେସ-ଜେଡିଏସ୍‌ ସରକାର ଭାଙ୍ଗି ୟେଦିୟୁରପ୍ପାଙ୍କୁ ସରକାର ଗଠନରେ ସହଯୋଗ କରିଥିବା ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କୁ ୟେଦିୟୁରପ୍ପା ଅଧିକ ଗୁରୁତ୍ଵ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ବିଜେପିର ମୂଳନେତାଙ୍କୁ ଅସନ୍ତୁଷ୍ଟ କରି ରଖିଥିଲା। କିନ୍ତୁ ୟେଦିୟୁରପ୍ପା, ବୋମାଇ କିମ୍ବା ସନ୍ତୋଷ ସେମାନଙ୍କ ଥଇଥାନ ଚିନ୍ତା କରିନଥିଲେ। ଏହା ମଧ୍ୟ ବିଜେପିକୁ ସାଂଘାତିକ ଭାବେ କ୍ଷତିଗ୍ରସ୍ତ କରିଥିଲା ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ଏକ ସୂତ୍ର ଅନୁସାରେ ସବୁ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଦିଲ୍ଲୀରୁ ଏକ ରିପୋର୍ଟ ମଗାଯାଇଛି। ଏହି ରିପୋର୍ଟ ଆଧାରରେ ରାଜ୍ୟ ବିଜେପିର ସାଂଗଠନିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଜେପି ପାଇଁ ଆସନ୍ତା ସାଧାରଣ ନିର୍ବାଚନ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ଏଠାରୁ ଗତ ସାଧାରଣ ନିର୍ବାଚନରେ ବିଜେପି ୨୮ ଆସନରୁ ୨୫ ଆସନ ଜିତିଥିଲା। ଯଦି ଏସବୁ ଆସନ କଂଗ୍ରେସକୁ ଚାଲିଯାଏ ତେବେ ବିଜେପି ପାଇଁ ବହୁତ ଗଡ଼ବଡ଼ ହେବ। କାରଣ ଉତ୍ତରଭାରତରେ ବିଜେପି ସଫଳତାର ଚରମସୀମାରେ ପହଞ୍ଚିଛି। ତେଣୁ ସେଠାରେ ଆସନ ବଢ଼ିବାର ସମ୍ଭାବନା ଅପେକ୍ଷା ଆସନ କମିବାର ଯଥେଷ୍ଟ ଆଶଙ୍କା ରହିଛି।

Tags: #Politics #KarnatakaPolitics #KarnatakaAssemblyElection #BJP #Congress

Comment