ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟ ସେବାରେ ୨୪ଟି ନୂଆ ମୌଳିକ ଜୀବନ ରକ୍ଷାକାରୀ (ବିଏଲଏସ୍) ଆମ୍ବୁଲାନ୍ସ ଓ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (ଏଏଲଏସ୍) ଆମ୍ବୁଲାନ୍ସ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଏହି ଆମ୍ବୁଲାନ୍ସଗୁଡ଼ିକୁ ଲୋକାର୍ପିତ କରିଛନ୍ତି।

“ଏହି ନୂଆ ଅମ୍ବୁଲାନ୍ସଗୁଡ଼ିକ ମାଧ୍ୟମରେ ଓଡ଼ିଶାର ସ୍ଵାସ୍ଥ୍ୟସେବା କ୍ଷେତ୍ର ଆହୁରି ଉନ୍ନତ ହେବ। ଏହାଦ୍ଵାରା ରାଜ୍ୟର ପ୍ରତ୍ୟେକ ବ୍ଲକରେ ଅମ୍ବୁଲାନ୍ସ ସେବା ଆହୁରି ବ୍ୟାପକ ହୋଇପାରିବ। ଲୋକମାନଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଅମ୍ବୁଲାନ୍ସଗୁଡ଼ିକ ସହାୟ ହେବ”, କହିଛନ୍ତି ନବୀନ ପଟ୍ଟନାୟକ।

ପୂର୍ବରୁ ରାଜ୍ୟ ସରକାର ଓଡ଼ିଶାରେ ଜରୁରୀକାଳୀନ ଅମ୍ବୁଲାନ୍ସ ସେବାକୁ ଆହୁରି ବ୍ୟାପକ କରିବାପାଇଁ ୯୨ଟି ନୂଆ ବିଏଲଏସ୍ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ କିଣିବାକୁ ଯୋଜନା ରଖିଥିଲେ। ଏବେ ଏଥିରୁ ୨୪ ଆମ୍ବୁଲାନ୍ସ କିଣାଯାଇଛି। ଏଥିପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଅନ୍ୟପଟେ ୨୯୯ଟି ରୂପାନ୍ତରିତ ଏଏଲଏସ୍ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ଏଗୁଡ଼ିକର ସଂଖ୍ୟା ଏବେ ୪୧୧ରେ ପହଞ୍ଚିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଓଡ଼ିଶାରେ ୨୦୧୩ ମସିହା ମାର୍ଚ୍ଚ ୫ ତାରିଖରୁ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ୬୨୪ଟି ଆମ୍ବୁଲାନ୍ସ ରାଜ୍ୟର ସବୁ ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଆସୁଛି। ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରରେ ୫୧୨ଟି ବିଏଲଏସ୍ ଓ ୧୧୨ଟି ଏଏଲଏସ୍ ଆମ୍ବୁଲାନ୍ସ ସାମିଲ ଥିଲା। ଏବେ ଏଗୁଡ଼ିକର ସଂଖ୍ୟାରେ ବୃଦ୍ଧି ହୋଇଛି। ଏହାବ୍ୟତୀତ ଏବେ ରାଜ୍ୟରେ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟକ୍ଷମ ରହିଛି।

ଏହି ଆମ୍ବୁଲାନ୍ସ ଲୋକର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଓ  ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

Tags: #AmbulanceService #NewAmbulance #HealthCare #H&FWDept #GovtofOdisha

Comment