ଓଡ଼ିଶାଲାଇଭ୍ ବ୍ୟୁରୋ

ଖାରଜ ହୋଇଛି ୨୦୨୨ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ମେରିଟ୍ ଲିଷ୍ଟ। ଓଡ଼ିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି ହୋଇଥିବା ଏହି ଏଏସଓ ମେରିଟ୍ ଲିଷ୍ଟକୁ ଖାରଜ କରିଛନ୍ତି। ଦୁଇ ମାସ ଭିତରେ ସାନି ମେରିଟ୍ ଲିଷ୍ଟ ଜାରି କରିବାକୁ ଓପିଏସସିକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଶୁକ୍ରବାର ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପରୀକ୍ଷାର ମେରିଟ୍ ଲିଷ୍ଟକୁ ଖାରଜ କରିଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏବେ ଲିଖିତ ପରୀକ୍ଷାର ମୋଟ ନମ୍ବର ଆଧାରରେ ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ କୁହାଯାଇଛି। ଏହା ପୂର୍ବରୁ ଏଏସଓ ପରୀକ୍ଷାର ପ୍ରତ୍ୟେକ ବିଷୟରେ କଟଅଫ୍ ମାର୍କକୁ ନେଇ ମେରିଟ୍ ଲିଷ୍ଟ ତିଆରି ହୋଇଥିଲା।

୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ଓଡ଼ିଶାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୭୯୬ଟି ‘ଏଏସଓ’ ପଦବୀ ପୂରଣ ପାଇଁ ପରୀକ୍ଷା କରଯାଇଥିଲା। ଓପିଏସସି ପକ୍ଷରୁ ପରିଚାଳିତ ହେଉଥିବା ଏହି ପରୀକ୍ଷା ଦେବା ଲାଗି ୧ ଲକ୍ଷ ୪୮ ହଜାର ୭୮୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ଓପିଏସସି ଏହାର ପରୀକ୍ଷା ଫଳ ବାହାରକରି ୧୧୦୪ ଜଣ ପରୀକ୍ଷାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ମେରିଟ୍ ଲିଷ୍ଟ ତିଆରି କରିଥିଲା।

‘ଏଏସଓ’ ମେରିଟ୍ ଲିଷ୍ଟ ବହରିବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଓପିଏସସି ପକ୍ଷରୁ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ଅଧାରରେ ବାହାରିଥିବା ମେରିଟ୍ ଲିଷ୍ଟ ଏହି ଅସନ୍ତୋଷର କାରଣ ଥିଲା। ପୂର୍ବରୁ ‘ଏଏସଓ’ ପରୀକ୍ଷାର ବିଜ୍ଞପ୍ତିରେ ମୋଟ ନମ୍ବର ଆଧାରରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଥିଲା।

ବିଜ୍ଞପ୍ତି ବାହାରି ପରୀକ୍ଷା ହୋଇସାରିବା ପରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ନିୟମରେ ପରିବର୍ତ୍ତନ ହେବାଫଳରେ ଅନେକ ପରୀକ୍ଷାର୍ଥୀଙ୍କ ଚୟନ ହୋଇନଥିଲା। ଏହା ବିରୋଧରେ କିଛି ପରୀକ୍ଷାର୍ଥୀ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ।

ଏବେ ହାଇକୋର୍ଟଙ୍କ ନିର୍ଦେଶ ଆବେଦନକାରୀ ପରୀକ୍ଷାର୍ଥୀମାନଙ୍କ ଖୁସିର କାରଣ ପାଲଟିଥିବାବେଳେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଏହା ଚିନ୍ତାରେ ପକାଇଛି।

Tags: #ASOExam #MeritList #OPSC #Examination #Employment #OdishaHighCourt

 

Comment