ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସରେ ୯୬ ଘଣ୍ଟାର ଆଲୋଚନା ପରେ ବିଭିନ୍ନ ତର୍କରୁ ନିଷ୍କର୍ଷ ବାହାରିଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତିରେ ସିଦ୍ଦରମେୟାଙ୍କ ନାମରେ ମୋହର ବାଜିଛି

କର୍ଣ୍ଣାଟକ ରାଜନୀତିରେ ଗତ ୪୦ ବର୍ଷ ଭିତରେ ସିଦ୍ଦରମେୟା ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଛନ୍ତି। ଏବେ ସେ ପୁଣି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। କଂଗ୍ରେସ ଏବେ ତାଙ୍କୁ କର୍ଣ୍ଣାଟକର ମଙ୍ଗ ଧରିବାକୁ ଚୟନ କରିଛି।

ସିଦ୍ଦରମେୟାଙ୍କ ରାଜନୈତିକ ଜୀବନ ବେଶ ବ୍ୟାପକ। ଜନତା ପାର୍ଟିର ବିଭିନ୍ନ ବିଭାଜିତ ପାର୍ଟିରୁ ସେ ରାଜନୀତି କରିଛନ୍ତି। ସେ ପ୍ରଥମେ ଜନତା ପାର୍ଟି ପରେ ଜେଡିଏସ୍ ଓ ଶେଷରେ କଂଗ୍ରେସରେ ସାମିଲ ହୋଇଥିଲେ।

ସିଦ୍ଦରମେୟା ଜନତା ଦଳ ସରକାରରେ ୧୯୯୬ରୁ ୧୯୯୯ ଏବଂ ଜେଡିଏସ୍ ସରକାରରେ ୨୦୦୪ରୁ ୨୦୦୫ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ରାଜନୈତିକ ଜୀବନରେ ବି ସେ ଉତ୍ଥାନ ଓ ପତନର ସାମ୍ନା କରିଛନ୍ତି। ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ମଧ୍ୟରେ ତାଙ୍କର ଯାତ୍ରା ଅଣ କଂଗ୍ରେସ ରାଜନୀତିରୁ ଆରମ୍ଭ ହୋଇ କଂଗ୍ରେସରେ ବିଲୟ ହୋଇଛି।

ମହୀଶୂର ଜିଲ୍ଲା ସିଦ୍ଦରମାନହୁଣ୍ଡି ଗାଁରେ ସିଦ୍ଦରମେୟାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ଦଶ ବର୍ଷ ହେବା ଯାଏ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍କୁଲ ଶିକ୍ଷା ମିଳି ନ ଥିଲା। କିନ୍ତୁ ପରେ ସେ ଉଚ୍ଚଶିକ୍ଷା ପାଇବାରେ ସଫଳ ହୋଇଥିଲେ। ମହୀଶୂର ବିଶ୍ଵବିଦ୍ୟାଳୟରୁ ସେ ବିଏସ୍‌ସି ଓ ଏଲ୍‌ଏଲ୍‌ବି ପାସ୍ କରିଥିଲେ।

ଜଣେ ବରିଷ୍ଠ ଆଇନଜୀବୀଙ୍କ ସହାୟକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ସିଦ୍ଦରମେୟା। କିଛି ସମୟ ଆଇନରେ ଅଧ୍ୟାପନା ମଧ୍ୟ କରିଥିଲେ। ପଞ୍ଚାୟତିରାଜ ନିର୍ବାଚନରୁ ସିଦ୍ଦରମେୟା ରାଜନୀତିରେ ପ୍ରବେଶ କରିଥିଲେ। ପଞ୍ଚାୟତରାଜ ରାଜନୀତି ଦ୍ଵାରା ତାଙ୍କର ପରିଚୟ ବଢ଼ିଥିଲା। ଏହାପରେ ସେ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପାଇଁ ଯୋଜନା କରିଥିଲେ।
ସିଦ୍ଦରମେୟାଙ୍କ ରାଜ୍ୟ ରାଜନୀତିରେ ଯାତ୍ରା

୧୯୮୩ ମସିହାରେ ସିଦ୍ଦରମେୟା ସ୍ଵାଧୀନ ପ୍ରାର୍ଥୀ ଭାବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଚାମୁଣ୍ଡେଶ୍ଵରୀ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ। ଏ ବିଜୟ ତାଙ୍କ ପାଇଁ ଓ ଲୋକଙ୍କ ପାଇଁ ମଧ୍ୟ ଅପ୍ରତ୍ୟାଶିତ ଥିଲା। ଖୁବ୍ କମ୍‌ ସମୟ ମଧ୍ୟରେ ସେ ମହୀଶୂର ଅଞ୍ଚଳରେ ଲୋକପ୍ରିୟ ହୋଇଯାଇଥିଲେ।

ସେ ୧୯୮୫ ବିଧାନସଭା ନିର୍ବାଚନରେ ଜନତା ପାର୍ଟିରେ ସାମିଲ ହୋଇ ସେହି ଚାମୁଣ୍ଡେଶ୍ଵରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ରାମକୃଷ୍ଣ ହେଗ୍‌ଡେଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା।

ଏହାପରେ ସେ ଜନତା ଦଳରୁ ୧୯୮୯ରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଏଥିରେ ହାରିଯାଇଥିଲେ। ସେ ୧୯୯୪, ୨୦୦୪ ନିର୍ବାଚନରେ ଚାମୁଣ୍ଡେଶ୍ଵରୀ ଆସନରୁ ବିଜୟୀ ହୋଇଥିଲେ।

୧୯୯୯ ବିଧାନସଭା ନିର୍ବାଚନରେ ସିଦ୍ଦରମେୟା ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୨୦୦୬ରେ ସେ କଂଗ୍ରେସରେ ସାମିଲ ହେବା ସହ ଚାମୁଣ୍ଡେଶ୍ଵରୀରୁ ଉପନିର୍ବାଚନ ଲଢ଼ିଥିଲେ। ତାଙ୍କୁ ହରାଇବା ପାଇଁ ଏଚ୍‌ଡି ଦେବେଗୌଡ଼ା ଓ କୁମାର ସ୍ଵାମୀ ଦିନରାତି ଏକ କରିଦେଇଥିଲେ ମଧ୍ୟ ସିଦ୍ଦରମେୟା ୨୫୬ ଖଣ୍ଡ ଭୋଟରେ ଜିତି ପୁଣି ବିଧାନସଭାକୁ ଆସିଥିଲେ। ଏହାପରେ ସେ ୨୦୦୮, ୨୦୧୩, ୨୦୦୧୮ ଓ ୨୦୨୩ରେ ଲଗାତର ବିଧାୟକ ନିର୍ବାଚିତ ହୋଇଛନ୍ତି।

ଜନତା ଦଳ ସରକାରରେ ସିଦ୍ଦରମେୟା କର୍ଣ୍ଣାଟକର ଅର୍ଥମନ୍ତ୍ରୀ ହୋଇଥିଲେ। ତାଙ୍କ ନାମରେ ସର୍ବାଧିକ ୧୩ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମଧ୍ୟ ରହିଛି। ୧୯୯୬ରେ ଜେଏଚ୍ ପଟେଲ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା। ୧୯୯୯ରେ ଜନତା ଦଳ ଭାଙ୍ଗିଯିବା ପରେ ସେ ମନ୍ତ୍ରୀମଣ୍ଡଳରୁ ବହିସ୍କୃତ ହୋଇଥିଲେ। ଏହାପରେ ସେ ଏଚ୍‌ଡି ଦେବେଗୌଡ଼ାଙ୍କ ଜେଡିଏସ୍‌ରେ ଯୋଗଦେବା ସହ ଦଳର ରାଜ୍ୟ ସଭାପତି ମଧ୍ୟ ହୋଇଥିଲେ।

୨୦୦୪ରେ ସିଦ୍ଦରମେୟା ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏଚ୍‌ଡି ଦେବେଗୌଡ଼ାଙ୍କ ସହ ମତାନ୍ତର ପାଇଁ ସେ ଜେଡିଏସ୍‌ରୁ ନିଲମ୍ବିତ ହୋଇଥିଲେ। ଏହା ପରେ ସେ ୨୦୦୬ରେ କଂଗ୍ରେସରେ ସାମିଲ ହୋଇ ଉପ ନିର୍ବାଚନରେ ଜିତି ବିଧାନସଭାକୁ ଫେରିଥିଲେ।

୨୦୦୮ରେ ସେ ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ ବିରୋଧୀ ଦଳରେ ବସିଥିଲେ। ୨୦୧୩ରେ କଂଗ୍ରେସ ସରକାର ଗଢ଼ିଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ସିଦ୍ଦରମେୟା।

୨୦୧୮ରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇ  ନଥିଲେ ମଧ୍ୟ ଜେଡିଏସ୍ ସହ ମେଣ୍ଟ କରି ସରକାର ଗଠନ କରିଥିଲା। ଏହି ମେଣ୍ଟ ଗଠନରେ ସିଦ୍ଦରମେୟାଙ୍କ ବଡ଼ ଭୂମିକା ରହିଥିଲା। କିଛିଦିନ ପରେ କଂଗ୍ରେସ ଓ ଜେଡିଏସ୍‌ର ୧୭ ବିଧାୟକ ଇସ୍ତଫା ଦେବାରୁ ଏ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଉପନିର୍ବାଚନରେ କିନ୍ତୁ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରି ନ ଥିଲା। ବିରୋଧୀ ଦଳ ନେତା ଓ ବିଧାୟକ ଦଳ ନେତା ପଦବୀରୁ ଇସ୍ତଫା ଦେଇଦେଇଥିଲେ ସିଦ୍ଦରମେୟା।

୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଓ ସିଦ୍ଦରମେୟା

ଏବେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସିଦ୍ଦରମେୟାଙ୍କ ନେତୃତ୍ଵରେ ଲଢ଼ିବା ସହ ବିପୁଳ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଫେରିଛି। ଦଳର ବିଜୟରେ ତାଙ୍କର ବେଶ ବଡ଼ ଭୂମିକା ରହିଛି।

ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ୪ ଦିନ ହେଲା କଂଗ୍ରେସରେ ସହମତି ହୋଇ ପାରୁ ନ ଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ବିଧାୟକ ଦଲର ସିକ୍ରେଟ ବାଲଟ ଭୋଟ ସିଦ୍ଦଙ୍କ ସମର୍ଥନରେ ଥିଲେ ମଧ୍ୟ ଶିବ କୁମାର ଅସନ୍ତୁଷ୍ଟ ଥିଲେ। ତେଣୁ ସହମତିରେ ପହଞ୍ଚିବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ଵ ଉଦ୍ୟମ ଚଳାଇଥିଲେ।

କର୍ଣ୍ଣାଟକ ଦଖଲରେ ରାଜ୍ୟ କଂଗ୍ରେସ ସଭାପତି ଡି. କେ ଶିବକୁମାରଙ୍କ ଅବଦାନ ରହିଥିବାରୁ ତାଙ୍କୁ ଆଦୌ ଅଣଦେଖା କରିବାକୁ ଚାହୁଁ ନ ଥିଲା କଂଗ୍ରେସ। ତେବେ ସିକ୍ରେଟ ଭୋଟିଂର ଫଳାଫଳକୁ ବି ଖାରଜ କରିବା, ଦଳ ପାଇଁ ଶୁଭଙ୍କର ହେବନାହିଁ ବୋଲି ଶୀର୍ଷ ନେତୃତ୍ଵଙ୍କ ଅନୁଭବ ହୋଇଥିଲା।  ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟସ୍ଥତାରେ ଆଲୋଚନାରୁ ନିଷ୍କର୍ଷ ବାହାରିଛି ଯେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଓ ଡି. କେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହେବେ।

ମେ’ ୨୦ ତାରିଖରେ ଶପଥ ନେବେ ସିଦ୍ଦରମେୟା। ଏହା ପୂର୍ବରୁ ବସିଥିବା ବିଧାୟକ ଦଳ ବୈଠକରେ ପାଳି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ନେଇ ସହମତି ହୋଇ ନ ପାରିବାରୁ ତାହା ଖାରଜ ହୋଇଛି। ତେଣୁ ଆପାତତଃ ପୁଣିଥରେ ୫ ବର୍ଷିଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି ସିଦ୍ଦରମେୟା।

ସୂତ୍ର ଅନୁସାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବୁଝାଇବା ପରେ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାବିରୁ ଓହରିଥିଲେ। ତାଙ୍କୁ ଦଳର ସ୍ଵାର୍ଥ ପାଇଁ ନିଜ ଇଛା ସହ ସାଲିସ କରିବାକୁ ମନାଇବାରେ ସଫଳ ହୋଇଥିଲ କଂଗ୍ରେସ।

ନିଷ୍କର୍ଷ ବାହାରିବା ପରେ ଗୁରୁବାର ସକାଳେ ଉଭୟ ନେତା ରାଜ୍ୟ କଂଗ୍ରେସ ପ୍ରଭାରୀ କେସି ବେଣୁଗୋପାଳଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ଉଭୟ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିବା ପରେ ଏ ନିଷ୍ପତ୍ତି ଘୋଷଣା ହୋଇଥିଲା।

ବୁଧବାର ସକାଳେ ଦିଲ୍ଲୀରେ ଏକ ବୈଠକ ପରେ ସନ୍ଧ୍ୟାରେ ମଧ୍ୟ ଆଉ ଏକ ବୈଠକ ହୋଇଥିଲା। ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ପଦ ସହ ପିସିସି ସଭାପତି ଦାୟିତ୍ଵ ତୁଲାଇବା ପାଇଁ ଶିବ କୁମାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କେବଳ ଜଣେ ହିଁ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ତାଙ୍କୁ କୁହାଯାଇଥିଲା।

ଦ୍ଵିତୀୟ ବିକଳ୍ପ ଭାବେ ପ୍ରଥମ ଦୁଇ ବର୍ଷ ସିଦ୍ଦରମେୟା ଓ ପରବର୍ତ୍ତୀ ୩ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଏ ପ୍ରସ୍ତାବରେ ମଧ୍ୟ ଶିବ କୁମାର ରାଜି ହୋଇ ନ ଥିଲେ। କିନ୍ତୁ ରାହୁଲ ଓ ସୋନିଆ ଶିବ କୁମାରଙ୍କୁ ବୁଝାଇବାରେ ସଫଳ ହୋଇଥିଲେ।

Tags: #KarnatakaAssemblyElection2023 #Siddaramaiah #KarnatakaCM #Congress #Politics

 

Comment